ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ରୋଷେୟାଙ୍କ ଆତ୍ମହତ୍ୟା ମାମଲା: ନବଙ୍କୁ ଟାର୍ଗେଟ କଲା ବିଜେପି

ଝାରସୁଗୁଡା: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କ ଘରେ ରୋଷେୟା ଭାବେ କାର୍ଯ୍ୟରତ ଲଳିତ ସାହୁ(୨୨)ଙ୍କ ଆତ୍ମହତ୍ୟାକୁ ନେଇ ଝାରସୁଗୁଡ଼ା ରାଜନୀତି ସରଗରମ ହେବାରେ ଲାଗିଛି। ରାତିରେ ତରବରିଆ ଭାବେ ଶବ ବ୍ୟବଚ୍ଛେଦକୁ ନେଇ ପୁଲିସ ଭୂମିକା ନେଇ ସନ୍ଦେହ ଘେରରେ ରହିଥିବା ବେଳେ ବିଜେପି ଆଜି ସାଂଘାତିକ ଅଭ‌ିଯୋଗ ଆଣିଛି। ପୁଲିସ ଘଟଣା ସଂକ୍ରାନ୍ତରେ ମୁହଁ ଖୋଲୁନଥିବା ବେଳେ ଲଳିତଙ୍କ ବ୍ୟାଙ୍କ ଆକାଉଣ୍ଟ ଜମା ହୋଇଥିବା ୭ ଲକ୍ଷ ଟଙ୍କା ତାଙ୍କ ମୃତ୍ୟୁ ପଛର କାରଣ ହୋଇଥାଇପାରେ ବୋଲି ସହରରେ ଚର୍ଚ୍ଚା ଚାଲିଛି।

ଗତ ୧୭ ତାରିଖ ରାତିରେ ପଶ୍ଚିମ ଓଡିଶାର ପ୍ରଭାବଶାଳୀ ନେତା ନବ ଦାସଙ୍କ ଘର ରୋଷେୟାର ଆତ୍ମହତ୍ୟା କରିଥିଲେ। ପୁଲିସ ତରବରିଆ ଭାବେ ‌ମଧ୍ୟରାତ୍ରିରେ ଶବ ବ୍ୟବଚ୍ଛେଦ କରିଥିଲା। ଇତିମଧ୍ୟରେ ୩ ଦିନ ଅତିକ୍ରାନ୍ତ ହୋଇଗଲାଣି। ପୁଲିସ ତଦନ୍ତ କିନ୍ତୁ ଆଗକୁ ବଢ଼ିପାରୁନାହିଁ। ତଦନ୍ତ ଚାଲିଥିବାର ଆଳ ଦେଖାଇ ଘଟଣା ସଂକ୍ରାନ୍ତରେ ପୁଲିସ କିଛି କହୁ ନାହିଁ। ଏପଟେ କିଛି ଦିନ ତଳେ କେହି ଜଣେ ଲଳିତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭ ଲକ୍ଷ ଟଙ୍କା ଜମା କରିଥିଲେ। ଉକ୍ତ ଟଙ୍କାରୁ ଲଳିତ କିଛି ଅର୍ଥ ଖର୍ଚ୍ଚ କରିଦେଇଥିଲେ। ଆଉ ଏହାକୁ ନେଇ ସେ ଚାପରେ ଥିବା କହାଯାଉଛି। ସମ୍ଭବତଃ ଚାପରେ ଥିବା ଯୋଗୁଁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇପାରିଥା’ନ୍ତି ବୋଲି କ‌େତେକ କହୁଥିବା ବେଳେ ତାଙ୍କୁ ଏହି ଟଙ୍କାକୁ ନେଇ ହତ୍ୟା କରାଯାଇଥାଇପାରେ ବୋଲି ମଧ୍ୟ ସହରେର ଚର୍ଚ୍ଚା ଚାଲିଛି।

ଆତ୍ମହତ୍ୟା ନୁହେଁ, ଏହା ଏକ ହତ୍ୟାକାଣ୍ଡ

 କିଏ ଜମା କରିଥିଲା ୭ ଲକ୍ଷ ଟଙ୍କା ?

ସନ୍ଦେହଘେରରେ ପୁଲିସର ଭୂମିକା

ବିଜେପିର ଅଭିଯୋଗ ଭିତ୍ତିହୀନ: ବିଜେଡି

ଲଳିତଙ୍କ ପରିବାର ଲୋକ‌େ କିନ୍ତୁ ଏପର୍ଯ୍ୟନ୍ତ ମୁହଁ ଖୋଲୁ ନଥିବା ବେଳେ ବିଜେପି ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଛି। ଆଜି ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଓ ଦୀନେଶ ଜୈନ ପୃଥକ୍ ପୃଥକ୍ ଭାବେ ସାମ୍ବାଦିକ ସମ୍ମିଳନୀ ଡାକି ମନ୍ତ୍ରୀ ନବ ଦାସଙ୍କୁ ଟାର୍ଗେଟ କରିଛନ୍ତି। ଆଜି ପୂର୍ବାହ୍ନରେ ହୋଟେଲ ମେଘଦୂତ ଠାରେ ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ‌ସାମ୍ବାଦିକ ସମ୍ମିଳନୀ ଡାକି ଲଳିତ ସାହୁ ପ୍ରକୃତରେ ମନ୍ତ୍ରୀଙ୍କ ଘରେ ରାନ୍ଧୁଣିଆ ଥିଲେ ନା’ ଆଉ କିଛି ବୋଲି ପ୍ରଶ୍ନ କରିଥିଲେ। ଘଟଣାକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରାଯାଉଛି। ମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ସତକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟା‌ନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଅପରାହ୍‌ଣରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ଶ୍ରୀ ଜୈନ କହିଲେ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଲିତ ସାହୁ(୨୨)ଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ। ଲଳିତଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି।

ଯଦି, ଏକ ସ୍ବାଭାବିକ ଆତ୍ମହତ୍ୟା ଘଟଣା ହୋଇଥା’ନ୍ତା,  ତାହେଲେ  ଥାନାରେ ମାମଲା ରୁଜୁଠୁ ନେଇ ଶବ ବ୍ୟବଚ୍ଛେଦ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ସ୍ୱାବାଭିକ ଭାବେ କରାଗଲା ନାହିଁ କାହିଁକି ? ରାତିଅଧିଆ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ଘଟଣାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସୂଚାଉଛି। ମନ୍ତ୍ରୀଙ୍କ ଇଙ୍ଗିତରେ ପୁଲିସ ପ୍ରଶାସନ ଘଟଣାକୁ ଚପାଇବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ଆସନ୍ତାକାଲି ଏନେଇ ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ତ‌େବେ, ସାମ୍ବାଦିକ ସମ୍ମିଳନୀ ପରେ ଲଳିତ ମୃତ୍ୟୁ ପାଇଁ ମନ୍ତ୍ରୀଙ୍କୁ ଦାୟୀ କରି ଜିଲ୍ଲା ବିଜେପି କାର୍ଯାଳୟ ସାମ୍ମୁଖରେ ନବ ଦାସଙ୍କ କୁଶପତ୍ତଲିକା ଦାହ କରାଯାଇଥିଲା। ବିଜେପି ନେତା ତ୍ରିନାଥ ଗୁଆଲ, ନେତାଜୀ ପଟ୍ଟନାୟକ, ପ୍ରେମସେନ ରାଏ, ସନୁ ଥିରାନୀ ପ୍ରମୁଖ ବିଜେପି ନେତାଙ୍କ ସହିତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।

ଅପରପକ୍ଷରେ ସନ୍ଧ୍ୟାରେ ବିଜେଡି ପକ୍ଷରୁ ହୋଟେଲ ମେଘଦୂତରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସମଗ୍ର ଘଟଣାକ୍ରମରେ ମନ୍ତ୍ରୀଙ୍କୁ କୌଣସି ଭୂମିକା ନଥିବା କହିଛି। ବିଜେଡି ନଗର ସଭାପତି ସନ୍ଦୀପ ଅଗସ୍ତି, ବରିଷ୍ଠ ନେତା ତାପସରାୟ ଚୈଧୁରୀ ସାମ୍ବାଦିକମାନଙ୍କୁ କହି‌ଲେ, ମନ୍ତ୍ରୀ ନବ ଦାସଙ୍କ ପ୍ରତି ବିଜେପି ଆଣୁଥିବା ସବୁ ଅଭିଯୋଗ ଭିତ୍ତିହୀନ। ରାନ୍ଧୁଣିଆ ଲଳିତର ମୃତ୍ୟୁ ନବଙ୍କ ଘରେ ନୁହେଁ, ସର୍ଭେଣ୍ଟ କ୍ବାର୍ଟର୍ସରେ ହୋଇଥିଲା। ଘଟଣା ଦିନ ମନ୍ତ୍ରୀ ଘରେ ନଥିଲେ। ଖବରପାଇ ଲଳିତଙ୍କ ଭାଇ ଆସି ବିଧିବଦ୍ଧ ଭାବେ  ଥାନାରେ ଏଫ୍‌ଆଇଆର୍‌ କରିଥିଲେ। ପୁଲିସ ଅପମୃତ୍ୟୁ ମାମଲା ରଜୁ କରି ଆଇନଗତ ନିୟମର ପାଳନ କରି ପଦକ୍ଷେପ ଗ୍ରହଣ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଉପନଗରପାଳ ବେଣୁଗୋପାଳ ପାଣିଗ୍ରାହୀ, ପି. ରାମମୋହନ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର