ଆପୋଲୋ କିଡ୍‌ନି ଚୋରି ମାମଲାର ସଂପୂର୍ଣ୍ଣ ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟବିଭାଗକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ବର: କିଡ୍‌ନି ଚୋରି ମାମଲାରେ ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ କରିବା ସହିତ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ମାନବିକ ଅଧିକାର କମିସନ ନିର୍ଦେଶ ଦେଇଥିବା ଖବର ଗତକାଲି ପ୍ରକାଶ ପାଇଥିଲା।  ଏହାସହ ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟଶାସନ ସଚିବଙ୍କୁ ନିର୍ଦେଶ ଦେଇଥିବା କଥା ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି,  ଘଟଣା ସଂପର୍କରେ ସଂପୂର୍ଣ୍ଣ  ଅନୁଧ୍ୟାନ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲେ ତର୍ଜମା କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ।

୨୦୧୩ ମସିହାରେ ବରଗଡ଼ ଜିଲ୍ଲାର ଅନିଲ କୁମାର ସ୍ବାମୀଙ୍କ କିଡ୍‌ନିକୁ ବେଆଇନ ଭାବେ ତାଙ୍କ ପଡ଼ୋଶୀ ରାଘବ ରାମ ଦୋରାଙ୍କଠାରେ ଆପୋଲୋ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା। ଏହାକୁ ନେଇ ୨୦୧୬ ମସିହାରେ ଅନିଲ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପରେ ମାନବାଧିକାର କର୍ମୀ ଅଖଣ୍ଡ ଏହି ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍ ଦାଖଲ କରିଥିଲେ। କମିସନ ଗତ ଅଗଷ୍ଟ ମାସରେ ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ ସହିତ ପୀଡ଼ିତକୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ପୂର୍ବରୁ ନିର୍ଦେଶ ଦେଇଥିଲେ। ଏହାର ବିରୋଧରେ ହସ୍ପିଟାଲ କର୍ତୃପକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ କମିସନ ହସ୍ପିଟାଲ କର୍ତୃପକ୍ଷଙ୍କ ଯୁକ୍ତିକୁ ଖାରଜ କରିଦେଇଛନ୍ତି।

ସମ୍ବନ୍ଧିତ ଖବର