ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରାୟଗଡ଼ା ଗସ୍ତ; ଟିକିରିରେ କଲେରା ସ୍ଥିତି କଲେ ଅନୁଧ୍ୟାନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଟିକିରିରେ କଲେରା ସ୍ଥିତିର ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ଉଷାପଡ଼ା, ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହ ମନ୍ତ୍ରୀ କଲେରା ପ୍ରଭାବିତ ଅଞ୍ଚଳ ଟିକିରି ଝୋଡ଼ିଆ ସାହି, ଦୁଡୁକାବାହାଲ ଗସ୍ତ କରି ଆକ୍ରାନ୍ତ ଓ ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ମୋବାଇଲ ହେଲଥ ଟିମ ମୁତୟନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ବର୍ତ୍ତମାନ ୮ଟି ମୋବାଇଲ ହେଲଥ ଟିମ ଗାଁ ଗାଁକୁ ବୁଲି ଚିକିତ୍ସା ସେବା ଯୋଗାଉ ଥିବା ବେଳେ କଲେରା ନିୟନ୍ତ୍ରଣକୁ ଆସିବା ପରେ ମଧ୍ୟ ୨ଟି ମୋବାଇଲ ଟିମ ପ୍ରଭାବିତ ଅଂଚଳରେ ନିୟମିତ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏଥି ସହିତ ସମସ୍ତ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ସୁଧାରିବ ଉପରେ ଗୁରୁତ୍ୱାରୋପ କରିଛନ୍ତି।

କାଶୀପୁରରେ ବ୍ୟାପିଥିବା କଲେରା ନିୟନ୍ତ୍ରଣ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ସହ କାଶୀପୁରର ବିକାଶକୁ ସବୁବେଳେ ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। କାଶୀପୁର, ଟିକିରି ମେଡିକାଲରେ ଖାଲି ପଡିଥିବା ଡାକ୍ତରୀ ପଦବି ପୂରଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବାରମ୍ବାର ଦାବି ପରେ ବି ଡାକ୍ତର ପଦବି ପୂରଣ ହେଉନଥିବାରୁ ଜରୁରି ଚିକିତ୍ସା ନ ପାଇ ଲୋକେ ଅକାଳରେ ମୃତ୍ୟୁବରଣ କରିବା ସହ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି। ଖୁବ ଶୀଘ୍ର ଡାକ୍ତର ପଦବୀ ପୂରଣ ସହ ଆଗାମୀ ଦିନରେ ଯେମିତି ଆଉ କଲେରା ନ ବ୍ୟାପିବ ସେ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ। ପ୍ରଭାବିତ ଅଞ୍ଚଳ ଓ ମେଡିକାଲ ଗସ୍ତ ପରେ ମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ କଲେରା ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରାକା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ସ୍ୱଧା ଦେବ ସିଂ, ସ୍ୱାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିଥିଲେ। ସୂଚନାଯୋଗ୍ୟ, ଆଜି ସୁଦ୍ଧା କଲେରାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୮ ଆକ୍ରାନ୍ତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର