ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାର ମାଷ୍ଟରମାଇଣ୍ଡକୁ ଖସାଇବାକୁ ଉଦ୍ୟମ ଚାଲିଛି: ଛାତ୍ର କଂଗ୍ରେସ

ଭୁବନେଶ୍ବର: ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାର ମାଷ୍ଟର ମାଇଣ୍ଡକୁ ଖସାଇ ଦେବାଲାଗି ଅପଚେଷ୍ଟା ଆରମ୍ଭ ହୋଇଛି। ହତ୍ୟା ଘଟଣାର ତଦନ୍ତ କରୁଥିବା ସଂସ୍ଥା ପ୍ରତିଦିନ ନୂଆ ନୂଆ କାହାଣୀ ଲେଖୁଛନ୍ତି। ଯାହାକୁ ନେଇ ସାଧାରଣ ଜନତା ସନ୍ଦେହ ପ୍ରକଟ କଲେଣି। ଏପରିକି ହତ୍ୟାକାଣ୍ଡକୁ ଲୁଚାଇ ଦେବାକୁ ଚକ୍ରାନ୍ତ ହେଉଥିବା ସାଧାରଣରେ ଆଲୋଚନା ହେଉଛି ବୋଲି ଅଭିଯୋଗ କରିଛନ୍ତି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ୟାସିର କହିଲେ ଯେ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲରେ ନବ ଦାସଙ୍କ ଇସିଜି ରିପୋର୍ଟ ମୃତ ବୋଲି ଜଣାପଡ଼ିବା ପରେ ବି ତାଙ୍କୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲକୁ ଆଣି କ’ଣ ପାଇଁ ଅସ୍ତ୍ରୋପଚାର କରାଗଲା? ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନାରେ ‌ଗୋପାଳ ଦାସର ଚିଠି ଦୁଇଦିନ ପରେ ନଷ୍ଟ ନ ହୋଇ ତାଜା ଭାବେ ବାହାରିବା ଓ ପାଇଖାନାକୁ ସଫା କରିଥିବା ଲୋକ କୌଣସି ଚିଠି ନ ପାଇବା ସଂପର୍କରେ ଗଣମାଧ୍ୟମରେ ବୟାନ ଦେବା ଘଟଣା ରାଜ୍ୟବାସୀଙ୍କୁ ଚକିତ କରିଛି। ଏହା ଏକପ୍ରକାର ଜହ୍ନମାମୁଁ ଗପ ‌ଭଳି ଲାଗୁଛି। ସେହିପରି ଯେଉଁ କ୍ରାଇମବ୍ରାଞ୍ଚର ପୁଲିସ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି ସେମାନଙ୍କ ମଧ୍ୟରୁ ୨ଜଣ ଭିନ୍ନ ଭିନ୍ନ ଘଟଣାରେ ସନ୍ଦେହ ଘେରରେ ଅଛନ୍ତି। ଏଭଳି ପରିସ୍ଥିତିରେ ଅଭିଯୁକ୍ତ ଗୋପାଳଙ୍କ କୌଣସି ସମୟ‌ରେ ଯେ ମୃତ୍ୟୁ ହେବ ନାହିଁ ତାହା କହିହେବ ନାହିଁ।

ଓଡ଼ିଶା ପୁଲିସ ବା କ୍ରାଇମବ୍ରାଞ୍ଚର କାର୍ଯ୍ୟଦକ୍ଷତା ନାହିଁ। ଅତୀତରେ ଅନେକ ଘଟଣାର ତଦନ୍ତ କରି ବିଫଳ ହେବା ବା ଘଟଣାର ପ୍ରମାଣ ନଷ୍ଟ କରିବା ଭଳି ଅଭିଯୋଗ ରହିଛି। ତତ୍କାଳୀନ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ମାହାଙ୍ଗା ହତ୍ୟା ଘଟଣା ଏଫ୍‌ଆଇଆରରୁ କାଟି ଦେବା ଓ ସାଲେପୁର କୋର୍ଟ ମନ୍ତ୍ରୀଙ୍କ ନାମ ଏଫ୍‌ଆଇଆରରେ ସାମିଲ କରିବା ପାଇଁ ନିର୍ଦେଶ ଦେବା ପୁଲିସର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ କରୁଥିବା ପୁଲିସ ଅଧିକାରୀ ଅରୁଣ ବୋଥ୍ରା ନୂଆ କାହାଣୀ ଲେଖିବାରେ ସିଦ୍ଧହସ୍ତ। ରାଜ୍ୟ ସରକାରଙ୍କ ଦୋଷ ଓ ଅପରାଧକୁ କିଭଳି ଲୁଚାଇବାକୁ ହେବ ତାହା ତାଙ୍କୁ ଭଲଭାବେ ଜଣା। ତେଣୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ। ଏହାସହ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍‌ଆଇଟି ଏହାର ତଦନ୍ତ କରୁ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର