ଓଡ଼ିଶାରେ ପ୍ଲାଜମା ଥେରାପି ମାଧ୍ୟମରେ ହେବ କରୋନା ଚିକିତ୍ସା: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର/ଝାରସୁଗୁଡା: ଓଡ଼ିଶାରେ କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ପ୍ଲାଜମା ଥେରାପି ଉପଲବ୍ଧ କରିବା ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଛି। ଏହି କ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଥେରାପି ମାଧ୍ୟମରେ କରୋନା ରୋଗୀଙ୍କ ଚିକିତ୍ସା ପଦ୍ଧତି ନିରୂପଣ କରିବା ପାଇଁ ଏକ ବୈଷୟିକ କମିଟି ଗଠନ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି।

ଏହି କମିଟି ଚିକିତ୍ସା ପଦ୍ଧତିର ସଫଳ ରୂପାୟନ ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତି, ସଚେତନତା ସୃଷ୍ଟି ଓ ଏଥିରେ କେଉଁ ରୋଗୀ ଉପକୃତ ହେବେ ସେ ସଂପର୍କରେ ସରକାରଙ୍କୁ ତଥ୍ୟ ପ୍ରଦାନ କରିବ। ଏହି ଚିକିତ୍ସା ରାଜ୍ୟର ୪ଟି ପ୍ରମୁଖ ଚିକିତ୍ସା କେନ୍ଦ୍ର କଟକ ଏସ୍‌ସିବି ମେଡିକାଲ କଲେଜ, ଅଶ୍ୱିନୀ ହସପିଟାଲ, ସମ୍‌ ହସପିଟାଲ ଓ କିମ୍‌ସ ହସପିଟାଲରେ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ କରାଯିବା ସହ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଆଜି ଏହି ବୈଠକରେ ବରିଷ୍ଠ ଚିକିତ୍ସକ ତଥା ସୋଆ ବିଶ୍ୱ ବିଦ୍ୟାଳୟର କୁଳପତି ଡା. ଅଶୋକ ମହାପାତ୍ର, କିମ୍‌ସ ମେଡିକାଲ କଲେଜର ନିର୍ଦ୍ଦେଶକ ଡା. ସୁବ୍ରତ ଆଚାର୍ଯ୍ୟ, ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ପ୍ରଫେସର ଡା. ସିବିକେ ମହାନ୍ତି, ଆର୍‌ଏମ୍‌ଆରସି ନିର୍ଦ୍ଦେଶିକା ଡା. ସଙ୍ଘମିତ୍ରା ପତି, ଛାତି ରୋଗ ବିଶେଷଜ୍ଞ ପ୍ରଫେସର ଡା. ଏମ୍‌.ଆର୍‌. ପଟ୍ଟନାୟକ, ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ଜୟନ୍ତ କୁମାର ପଣ୍ଡା ପ୍ରମୁଖ ଏହି ଥେରାପି ସଂପର୍କରେ ତାଙ୍କର ମତାମତ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର