ବ୍ରଜରାଜନଗର : ବେଲପାହାଡ଼ରେ ଟ୍ରେନ୍ ରହଣି ଓ ଝାରସୁଗୁଡ଼ାରେ ଅଣ୍ଡରପାସ୍ ବ୍ରିଜ୍ ଦାବି ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଏ ଅବସରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ। ଧୁତୁରା ରେଲୱେ ୟାର୍ଡର ସମ୍ପ୍ରସାରଣ ହେତୁ ୨୫୫ ନମ୍ବର ଲେଭଲ୍ କ୍ରସିଂ ବନ୍ଦ ହୋଇଯାଇଛି। ତେଣୁ ଲୋକମାନେ ଚିକିତ୍ସା, ଶିକ୍ଷା, କୋର୍ଟ ମାମଲା ଏବଂ ଅନ୍ୟାନ୍ୟ ବ୍ୟବସାୟିକ ଉଦ୍ଦେଶ୍ୟରେ ଝାରସୁଗୁଡାକୁ ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେଠାରେ ଏକ ‘ଅଣ୍ଡରପାସ୍’ ରାସ୍ତା ନିର୍ମାଣ ପାଇଁ ସେ ଦାବି କରିଛନ୍ତି। ଅଲଟ୍ରାଟେକ୍ ସିମେଣ୍ଟ କାରଖାନା ନିକଟରେ ୨୫୪ ଲେଭଲ୍ କ୍ରସିଂଠାରେରେ ଅନ୍ୟ ଏକ ‘ଅଣ୍ଡରପାସ୍’ ନିର୍ମାଣ ପାଇଁ ଦାବି କରିଛନ୍ତି। ଝାରସୁଗୁଡ଼ା ସହରରେ ଟ୍ରାଫିକ ସମସ୍ୟା ଦୂରକରିବା ଓ ଏହାର ଉତ୍ତମ ପରିଚାଳନା ପାଇଁ ସରବାହାଲରୁ ଝାରସୁଗୁଡ଼ା ରେଳ ଷ୍ଟେସନ ପର୍ଯ୍ୟନ୍ତ ଗୋଟିଏ ସମାନ୍ତରାଳ ଡବଲ୍ ଲେନ୍ ରାସ୍ତା ଏବଂ ବସ୍ଷ୍ଟାଣ୍ଡରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଗୋଟିଏ ସମାନ୍ତରାଳ ରାସ୍ତା ନିର୍ମାଣର ଆବଶ୍ୟକତା ରହିଛି। ତେଣୁ ଏହି ୨ଟି ରାସ୍ତା ନିର୍ମାଣର ଆବଶ୍ୟକତା ଉପରେ ଦୃଷ୍ଟି ଦେବାକୁ ବି ଏହି ଦାବିପତ୍ରରେ ଉଲ୍ଲେଖ ରହିଛି।
ବେଲପାହାଡ଼ ସହିତ ୧୯ ଖଣ୍ଡ ମୌଜା, ଏମ୍ସିଏଲ୍, ଓପିଜିସି, ଟିଆର୍ଏଲ୍ରେ କାର୍ଯ୍ୟରତ ଶ୍ରମିକ କର୍ମଚାରୀ ବେଲପାହାଡ଼ ରେଳ ଷ୍ଟେସନ ଉପରେ ନିର୍ଭର କରନ୍ତି। ତେଣୁ ଏହି ଷ୍ଟେସନ୍ରେ ସାଉଥ ବିହାର ଏକ୍ସପ୍ରେସ୍, ହୀରାକୁଦ ଏକ୍ସପ୍ରେସ, ଆଜାଦହିନ୍ଦ୍ ଏକ୍ସପ୍ରେସ ଟ୍ରେନଗୁଡିକର ରହଣି, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଯାତ୍ରୀମାନଙ୍କ ପାଇଁ ଗୋଟିଏ ରାମ୍ପ ନିର୍ମାଣ କରାଯିବା ଆବଶ୍ୟକ ଜରୁରୀ ରହିଛି। ଲୋକଙ୍କ ଚାହିଦାକୁ ଦେଖି ଝାରସୁଗୁଡା ଷ୍ଟେସନରେ ଦୂରନ୍ତ ଏକ୍ସପ୍ରେସର ହଲ୍ଟ କିମ୍ବା ଷ୍ଟପେଜ ପାଇଁ ଦୀର୍ଘ ଦିନରୁ ଧରି ହେଉଥିବା ଦାବିକୁ ପ୍ରାଥମିକତା ଭିତ୍ତିରେ ପୂରଣ ପାଇଁ ଶ୍ରୀ ଦାସ ଦାବି କରିଛନ୍ତି। ଏହି ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ବିଭାଗୀୟ ରେଳ ପରିଚାଳକ ଚକ୍ରଧରପୁର ଡିଭିଜନ୍ ପକ୍ଷରୁ ଯଥାଶୀଘ୍ର ଉପରୋକ୍ତ ପ୍ରକଳ୍ପଗୁଡିକର ଅନୁମୋଦନ ଏବଂ କାର୍ଯ୍ୟକାରିତା ପାଇଁ ତୁରନ୍ତ ପଦକ୍ଷେପ ନେବା ଉପରେ ନିର୍ଦ୍ଦେଶ ଦେବାକୁ ମନ୍ତ୍ରୀ ଶ୍ରୀ ଦାଶ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/naba-das-met-union-railway-minister.jpg)