ଭୁବନେଶ୍ବର: ଆଖି ବୁଜିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଜୀବନ ଓ ମୃତ୍ୟୁ ସହିତ କେଇ ଘଣ୍ଟା ପର୍ଯ୍ୟନ୍ତ ଲଢ଼େଇ କରିବା ପରେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଭୁବନେଶ୍ବର ଆପୋଲେ ହସ୍ପିଟାଲରେ ରାଜ୍ୟର ଜଣାଶୁଣା ବିଶେଷଜ୍ଞ ଡାକ୍ତରମାନଙ୍କ ଏକ ଦଳ ବହୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନାହାନ୍ତି। ଆଜି ମଧ୍ୟାହ୍ଣରେ ସେ ଏକ କାର୍ଯ୍ୟକ୍ରମରେ ବ୍ରଜରାଜନଗର ଯାଇଥିବା ବେଳେ ସ୍ଥାନୀୟ ଗାନ୍ଧୀଛକ ଫାଣ୍ଡିର ପୁଲିସ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳିମାଡ଼ କରିଥିଲେ। ଏହି ଗୁଳିମାଡ଼ ପରେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା ଓ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ଗୁରୁତର ନବ ଦାସଙ୍କୁ ବଞ୍ଚାଇବା ପାଇଁ ଭୁବନେଶ୍ବରସ୍ଥିତ ଆପଲୋ ହସ୍ପିଟାଲରେ ଡାକ୍ତରୀ ଟିମ୍ ବହୁ ଉଦ୍ୟମ କରି ଶେଷରେ ବିଫଳ ହୋଇଛନ୍ତି।
ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଥିବା ନବକିଶୋରଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା। ସେ ୧୯୬୨ ମସିହା ଜାନୁଆରି ୭ ତାରିଖରେ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ। ନବ ଦାସଙ୍କ ପରଲୋକରେ ପଶ୍ଚିମ ଓଡ଼ିଶା ସମେତ ପୂରା ରାଜ୍ୟ ଜଣେ ଟାଣୁଆ ନେତାଙ୍କୁ ହରାଇଛି।
ସୂଚନାଯୋଗ୍ୟ, ରବିବାର ମଧ୍ୟାହ୍ନରେ ଶ୍ରୀ ଦାସ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାହାରିଥିଲେ। କାର୍ଯ୍ୟକ୍ରମସ୍ଥଳରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଅତର୍କିତ ଭାବେ ପୁଲିସ କର୍ମଚାରୀ ଗୋପାଳ ଦାସ ଗୁଳିମାଡ଼ କରିଥିଲେ। ହଜାର ହଜାର ଲୋକ ଉପସ୍ଥିତ ଥିଲେ ମଧ୍ୟ ହଠାତ୍ କେହି କିଛି ଜାଣି ପାରି ନଥିଲେ। ଗୁଳି ଛାତିରେ ବାଜିବା ପରେ ସେ ତଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ଉଠାଇ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା।
ମନ୍ତ୍ରୀ ଶ୍ରୀ ଦାସଙ୍କୁ ସ୍ୱାଗତ ପାଇଁ କର୍ମୀମାନେ ବ୍ୟସ୍ତ ଥିଲା ବେଳେ ଗୁଳି ଫୁଟିଥିଲା। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧିଛକ ଫାଣ୍ଡିରେ ମୁତୟନ ଥିବା ଏଏସ୍ଆଇ ଗୋପାଳ ଦାସ ମନ୍ତ୍ରୀ ଶ୍ରୀ ଦାସଙ୍କ ଉପରକୁ ଗୁଳି ବର୍ଷା କରିଥିଲେ। ୨ ରାଉଣ୍ଡ ଗୁଳି କରିବା ପରେ ଉପସ୍ଥିତ ଅନ୍ୟ ପୁଲିସ୍ କର୍ମଚାରୀମାନେ ଗୋପାଳଙ୍କୁ କାବୁ କରି ନେଇଥିଲେ। ବନ୍ଧୁକ ଧରିଥିବା ହାତଟିକୁ ଉପରକୁ କରି ଦେଇଥିଲେ। ତେଣୁ ଆଉ ଅଧିକ ଗୁଳି ଫୁଟାଇ ପାରି ନଥିଲା। କିନ୍ତୁ ଏହା ପୂର୍ବରୁ ନବ ଦାସ ଗୁରୁତର ହୋଇସାରିଥିଲେ।
ଗୁଳିମାଡ଼ର ଶିକାର ହେଲା ପରେ ନବ ଦାସଙ୍କୁ ବ୍ରଜରାଜନଗରରୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଇଥିଲା। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏୟାର ଆମ୍ବୁଲାନ୍ସ ପହଞ୍ଚିଲା ପରେ ନବ ଦାସଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଗ୍ରିନ୍ କରିଡର କରାଯାଇଥିଲା। ବିମାନବନ୍ଦରରୁ ଅଳ୍ପ ସମୟ ମଧ୍ୟରେ ଆପଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନବ ଦାସଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଶତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/7922f055-df48-4015-a30e-f9aa4108c4b7.jpg)