ଭିଡ଼ିଓ କନଫରେନ୍ସିଂରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା : ଓଡ଼ିଶାକୁ ଅଧିକ ଅର୍ଥ ଓ ୫ ଲକ୍ଷ ପିପିଇ ସମେତ ଆର୍ଟିପିସିଆର୍ କିଟ୍ ଯୋଗାଇ ଦେବାକୁ ଦାବି  

ଝାରସୁଗୁଡା: ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପ ସ୍ବରୂପ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ବୃଦ୍ଧି ନିଷ୍ପତ୍ତି ଓ ରାଜ୍ୟକୁ ଏହି ମହାମାରୀ ପାଇଁ କେନ୍ଦ୍ର ସରକାର ଆବଶ୍ୟକ ଅର୍ଥ ଓ ସ୍ବାସ୍ଥ୍ୟ ଚିକିତ୍ସା ସାମଗ୍ରୀ ଯୋଗାଇ ଦେବାକୁ ଆଜି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ସହିତ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ।

ଆଲୋଚନା ପରେ ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ, ଓଡ଼ିଶା ସରକାର କୋଭିଡ଼୍ ୧୯  ମୁକାବିଲା ପାଇଁ ଅନେକ ଯୋଜନା କରି ସାରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ୬ ହଜାର ଶଯ୍ୟାର କୋଭିଡ଼୍ ହସପିଟାଲ ଖୋଲିବା ପାଇଁ ଯୋଜନା ଆରମ୍ଭ କରି ଏ ପର୍ଯ୍ୟନ୍ତ ୧୫୯୭ ଶଯ୍ୟାବିଶିଷ୍ଟ କୋଭିଡ୍ ହସପିଟାଲ ଖୋଲି ସାରିଥିବା ଅବଗତ କରିଥିଲେ। ରାଜ୍ୟ ସରକାର ଏହାକୁ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ମାତ୍ର ୪୬.୩୫ କୋଟି ଟଙ୍କା ପ୍ରଦାନ କରିଥିବାରୁ ଆହୁରି ଅଧିକ ଅର୍ଥ ଯୋଗାଇ ବାକୁ ମନ୍ତ୍ରୀ ଶ୍ରୀ ଦାସ ଦାବି କରିଥିଲେ।

କରୋନା ରୋଗୀଙ୍କ ଚିକତ୍ସା କରୁଥିବା ଡାକ୍ତରମାନଙ୍କ ସୁରକ୍ଷାକୁ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ବ ଦେଇଥିବା ବେଳେ ରାଜ୍ୟକୁ ୫ ଲକ୍ଷ ପିପିଇ କିଟ୍ ସହିତ ହାଇଡ୍ରୋସ୍କି କ୍ଲୋରୋକୁଇନ୍ , ଭିଟାମିନ୍-ସି, ମାସ୍କ୍, ସେନିଟାଇଜର୍ ଯଥେଷ୍ଟ ପରିମାଣରେ ଯୋଗାଇ ଦେବାକୁ ଦାବି କରିଥିଲେ। ରାଜ୍ୟରେ ଆର୍ଟିପିସିଆର୍ କିଟ୍ ନ ଥିବାରୁ ତୁରନ୍ତ ଏହି କିଟ୍ ଯୋଗାଇ ଦେବା ସହିତ ବୁର୍ଲା, ବଲାଙ୍ଗୀର, କୋରାପୁଟ ଭଳି ସମସ୍ତ ମେଡ଼ିକାଲ କଲେଜରେ ପରୀକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଥିବା କହିଥିଲେ। ଏହା ବ୍ୟତୀତ କବେସ ପ୍ଲାଟ୍ ଫର୍ମ ଭଳି ସୁବିଧା ରାଜ୍ୟରେ କରାଯିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଦାବି ଉପସ୍ଥାପନ କରିଥିବା ଜଣାଇଥିଲେ। କେନ୍ଦ୍ରମନ୍ତ୍ରୀ ଏହି ସମସ୍ତ ଦାବି ଉପରେ ତୁରନ୍ତ ପ୍ରତିକାର କରାଯିବାକୁ ସମ୍ମତି ପ୍ରଦାନ କରିଥିବା ଜଣାଇଥିଲେ।

ସମ୍ବନ୍ଧିତ ଖବର