ଏଲାୟନ୍ସ ଏୟାର ସିଇଓଙ୍କୁ ଭେଟିଲେ ନବ ଦାସ, ଝାରସୁଗୁଡ଼ାରୁ ବିଭିନ୍ନ ସ୍ଥାନକୁ ବିମାନ ଉଡ଼ାଣ ପାଇଁ କଲେ ଦାବି

ଝାରସୁଗୁଡ଼ା: ଝାରସୁଗୁଡ଼ା ଠାରେ ଥିବା ରାଜ୍ୟର ଦ୍ବିତୀୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ ବିମାନବନ୍ଦର ପ୍ରତି ଏବେ ଯାତ୍ରୀ ବିମୁଖ ହୋଇ ପଡ଼ିଲେଣି। ବିଭିନ୍ନ ସ୍ଥାନକୁ ଉଡ଼ାଣ କରୁଥିବା ବିମାନ ଧୀରେ ଧୀରେ ବନ୍ଦ ହୋଇଯାଇଥିବା ବେଳେ ବହୁ ପୂର୍ବରୁ ଅଗ୍ରୀମ ଟିକେଟ କରି କାର୍ଯ୍ୟକ୍ରମ ସ୍ଥିର କରିଥିବା ଯାତ୍ରୀ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବିମାନ ବନ୍ଦରରୁ ଏକାଧିକ ସ୍ଥାପକୁ ବିମାନ ସେବା ଯୋଗାଉଥିବା ସ୍ପାଇସ ଜେଟ୍‌ ସେବା ସଙ୍କୁଚିତ ହେବା ପରେ କମ୍ପାନି ଝାରସୁଗୁଡ଼ା ବିମାନବନ୍ଦର ପ୍ରତି ଆଉ ଦୃଷ୍ଟି ଦେଇ ପାରୁନାହିଁ। ଫଳରେ ଏଠାରୁ ଉଡ଼ାଣ କରୁଥିବା ବହୁ ବିମାନ ବନ୍ଦ ହୋଇ ଯାଇଥିବା ବେଳେ କିଛି ବିମାନ ଉଡ଼ାଣରେ ଅନିୟମିତତା ଦେଖା ଦେଇଛି।

ଝାରସୁଗୁଡ଼ାରୁ ଭୁବନେଶ୍ବର, କୋଲକାତା ଓ ରାୟପୁରକୁ ଅନ୍ୟତମ ସେବା ଯୋଗାଣ କମ୍ପାନି ଏଲାୟନ୍ସ ଏୟାର ତାର ସେବାକୁ ଆହୁରି ବ୍ୟାପକ କରିବାକୁ ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଦାବି କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାସ ଆଜି ନୂଆଦିଲ୍ଲୀର ଓଡ଼ିଶା ଭବନ ଠାରେ ଏଲାୟନ୍ସ ଏୟାରର ସିଇଓ ବିନିତ ସୁଦଙ୍କୁ ସାକ୍ଷାତ କରି ଖଣି ଓ ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଦେଶରେ ଏକ ପ୍ରମୁଖ ସହର ଭାବରେ ପରିଚିତ ହୋଇଥିବା ବେଳେ ଏଠାରେ ଥିବା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଅଧିକ ବିମାନ ସେବା ଯୋଗାଇ ଯାତ୍ରୀ, କର୍ପୋରେଟ ସେକ୍ଟର ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ଆଗମନକୁ ସରଳ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଯାତ୍ରୀ ସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ଝାରସୁଗୁଡ଼ାରୁ ଭୁବନେଶ୍ବର ମଧ୍ୟରେ ଆଉ ଏକ ବିମାନ ଚଳାଇବା, ଝାରସୁଗୁଡ଼ାରୁ ଦିଲ୍ଲୀ ଅଭିମୁଖେ ଦ୍ବତୀୟ ବିମାନ ସେବା ଆରମ୍ଭ କରିବା ସହିତ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବିଶାଖାପାଟଣାକୁ ନିୟମିତ ବିମାନ ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର