ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା(ଆର୍ଜିଏଚ୍)ରେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଇଛି। ଚିକିତ୍ସାଳୟ ସୁବ୍ୟବସ୍ଥିତ ଭାବରେ ରୋଗୀମାନଙ୍କୁ ସେବା ପ୍ରଦାନ କରୁଛି। ରୋଗୀମାନଙ୍କ ପାଇଁ ଆବଶ୍ୟକ ଔଷଧ ମହଜୁଦ ଥିବାବେଳେ ଡାଇଲିସିସ ରୋଗୀଙ୍କୁ ମଧ୍ୟ ଆବଶ୍ୟକ ସେବା ମିଳିପାରୁଛି। ଖୁବଶୀଘ୍ର ଏହାର ଭିତ୍ତିଭୂମି ମଜବୁତ କରିବାକୁ ପାଇଁ ନୂତନ ବିଲ୍ଡିଂ ନିର୍ମାଣ କରାଯିବ। ଏହାଦ୍ବାରା ହସ୍ପିଟାଲର ବେଡ ସଂଖ୍ୟା ବଢିବ ଓ ଅଧିକ ରୋଗୀ ସେବା ପାଇପାରିବେ। ଆଗାମୀ ଦିନରେ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।
ଶନିବାର ଦିନିକିଆ ରାଉରକେଲା ଗସ୍ତରେ ଆସି ସ୍ବାସ୍ଥ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ଓଡ଼ିଶା ମେଡିକାଲ ସେବା ସଂଘର କାର୍ଯ୍ୟକ୍ରମରେ ଯୋଗଦେବା ସହ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍ଜିଏଚ୍) ପରିଦର୍ଶନ କରିଥିଲେ। ଶ୍ରୀ ପୂଜାରୀଙ୍କ ସହିତ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମଧ୍ୟ ଉପସ୍ଥିତ ଥିଲେ। ଆର୍ଜିଏଚ୍ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସେବା, ଔଷଧ, ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିର ସ୍ଥିତି ସମୀକ୍ଷା କରିଥିଲେ। ପରେ ହସପିଟାଲର ବିଭିନ୍ନ ଓ୍ବାର୍ଡ୍ ପରିଦର୍ଶନ କରି ରୋଗୀମାନଙ୍କ ପାଇଁ କରାଯାଇଥିବା ଆବଶ୍ୟକ ବ୍ୟବସ୍ଥା ବୁଲି ଦେଖିବାସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ଜନ ସ୍ବାସ୍ଥ୍ୟ ବିଭାଗ ନିଦ୍ଦେର୍ଶକ ଡା. ନିରଂଜନ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଧରଣୀ ରଂଜନ ଶତପଥୀ, ଆର୍ଜିଏଚ୍ର ନିର୍ଦ୍ଦେଶକ ଡା. ସନ୍ତୋଷ ସ୍ୱାଇଁ, ସୁପରିଟେଣ୍ଡେଣ୍ଟ୍ ଡା. ସୁଧାରାଣୀ ପ୍ରଧାନ, ଡେପୁଟି ସୁପରିଟେଣ୍ଡେଣ୍ଟ୍ ଡା. ପଣ୍ଡିତ ସାହୁ, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଶଙ୍କର ଆଚାର୍ଯ୍ୟ, ଆରଜିଏଚ ମ୍ୟାନେଜର ମୋହିତ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ।