କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପାର୍ଇ କିଏ ଦାୟୀ? ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ସଦଗୁରୁ ହସ୍ପିଟାଲର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ନାହିଁ
ଭୁବନେଶ୍ୱର/ଝାରସୁଗୁଡ଼ା: କଟକର ଜଗତପୁରସ୍ଥିତ ସଦଗୁରୁ କୋଭିଡ-୧୯ ହସ୍ପିଟାଲରେ ଆଜି ହୋଇଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ । ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଅଗ୍ନିଶମ ଓ ବିଦ୍ୟୁତ ବିଭାଗକୁ ମିଳିତ ଭାବେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ସେ ଏକ ନୋଟିସ ଜାରି କହିଛନ୍ତି ଯେ, ଘଟଣାର ତଦନ୍ତ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଦାଖଲ କରାଯାଉ । ଅଗ୍ନିକାଣ୍ଡ ଘଟଣାର ତଦନ୍ତ ସାରି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ଦାସ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଗ୍ନିଶମ ବିଭାଗର ମୁଖ୍ୟ ଅଧିକାରୀ ସୁକାନ୍ତ ସେଠୀ କହିଛନ୍ତି, ସଦଗୁରୁ କୋଭିଡ ହସ୍ପିଟାଲର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ନ ଥିଲା । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ପ୍ରମାଣପତ୍ର ପାଇବା ଲାଗି ଆବେଦନ କରିଥିଲେ । ଅଗ୍ନିଶମ ବିଭାଗରୁ ହସ୍ପିଟାଲ ଯାଂଚ କରାଯିବା ପରେ ଏଠାରେ କିଛି ତ୍ରୁଟି ଥିବାରୁ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଅଗ୍ନିଶମ ବିଭାଗର ନୋଟିସ ମିଳିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିଥିଲେ, ଫଳରେ ଆଜି ବଡ଼ ଧରଣର ଦୁର୍ଘଟଣା ଘଟି ନାହିଁ ।
ସଦଗୁରୁ କୋଭିଡ-୧୯ ହସ୍ପିଟାଲରେ ଆଜି ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର (ଆରଡିସି) ଅନିଲ କୁମାର ସାମଲ ନିଆଁ ଲାଗିବାର କାରଣ ସଂପର୍କରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ କେଉଁ ଭଳି ପରିସ୍ଥିତିରେ ନିଆଁ ଲାଗିଲା, ସେ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି । କିନ୍ତୁ ବର୍ତ୍ତମାନ ପ୍ରାଥମିକତା ଭିତ୍ତିରେ ଗୁରୁତର ରୋଗୀଙ୍କୁ ଅଶ୍ୱିନୀ, ସମ ହସ୍ପିଟାଲ, ଏସସିବି ଓ ଭେଣ୍ଟିଲେଟର ବ୍ୟବସ୍ଥା ଥିବା ବିଭିନ୍ନ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ହସ୍ପିଟାଲର ଆଇସିୟୁରୁ ପ୍ରଥମେ ନିଆଁ ଲାଗିଥିଲା ବୋଲି ପ୍ରାଥମିକ ତଦନ୍ତରୁ ପ୍ରକାଶ। ଡାକ୍ତରଖାନାର ଆଇସିୟୁରେ ଥିବା ଏକ ଏସିରୁ ପ୍ରଥମେ ଧୂଆଁ ବାହାରିଥିଲା। ଏହାପରେ ରୋଗୀମାନଙ୍କୁ ଆଇସିୟୁରୁ ସ୍ଥାନାନ୍ତରଣ ଆରମ୍ଭ ହୋଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଘଟଣାସ୍ଥଳରେ କଟକ ଜିଲ୍ଲାପାଳ, ପୁଲିସ କମିସନର, ଡିସିପି ଏବଂ ସିଏମସି କମିସନର ପ୍ରମୁଖ ଉପସ୍ଥିତ ଅଛନ୍ତି।
ଦେଶରେ ପ୍ରଥମ ଥର ପାଇଁ ବେଙ୍ଗାଲୁରୁସ୍ଥିତ ଏକ କୋଭିଡ ହସ୍ପିଟାଲରେ ନିଆଁ ଲାଗିଥିଲା । ସଦଗୁରୁ କୋଭିଡ ହସ୍ପିଟାଲରେ ନିଆଁ ଲାଗିବା ଦେଶର ଦ୍ୱିତୀୟ ଘଟଣା ହୋଇଥିବା ବେଳେ ରାଜ୍ୟରେ ଏହା ହେଉଛି ପ୍ରଥମ । ୩୦ରୁ ୪୦ ଜଣ କିଡନି ଆକ୍ରାନ୍ତ , ପ୍ରାୟ ୭ ଜଣ ପ୍ରସୂତୀଙ୍କ ସମେତ ୧୩୦ ଜଣ କରୋନା ସଂକ୍ରମିତଙ୍କୁ ସଦଗୁରୁ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ସଦଗୁରୁ କୋଭିଡ ହସ୍ପିଟାଲରେ ଲାଗିଥିବା ନିଆଁ ନିୟନ୍ତ୍ରଣକୁ ଆସିଛି । ଦମକଳ ବାହିନୀର ମୁଖ୍ୟ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସମସ୍ତ କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏଠାରେ ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତରିତ କରାଯାଇଛି । ନିଆଁ କେମିତି ଲାଗିଲା ତା’ର ତଦନ୍ତ ହେବ । ଯଦି ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି, ତାହା କେମିତି ହେଲା ଯାଞ୍ଚ ହେବ ବୋଲି ବୋଲି ସେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, କୌଣସି କାରଣରୁ ଆଜି ଅଚାନକ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ସୂଚନା ମିଳିବା ପରେ ୨ଟି ଦମକଳଗାଡ଼ି ପହଂଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ । ଆଇସିୟୁରେ ନିଆଁ ଲାଗିଥିବାରୁ ହେତୁ ପରିସ୍ଥିତି ସଙ୍ଗୀନ ଥିଲା । ପ୍ରାୟ ୧୨ଟି ଆମ୍ବୁଲାନ୍ସରେ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅଗ୍ନିକାଣ୍ଡ ସଂପର୍କିତ ସୂଚନା ମିଳିବା ପରେ ଜିଲ୍ଲାପାଳ, ଡିସିପି, ସିଏମସି କମିସନର ଅନନ୍ୟା ଦାସ ଘଟଣାସ୍ଥଳକୁ ପହଂଚିଥିଲେ ।