ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଗସ୍ତ କରିବାକୁ କଡ଼ା ନିର୍ଦେଶ

ରୋଗୀଙ୍କ ସମସ୍ୟାଠାରୁ ନିରାମୟ ଯୋଜନାର କରିବେ ତଦାରଖ

ଭୁବନେଶ୍ୱର : ଏଣିକି ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲାଗସ୍ତ କରିବାକୁ ବାଧ୍ୟ। ସ୍ୱତନ୍ତ୍ର ସଚିବଙ୍କଠାରୁ ଆରମ୍ଭ କରି ନିର୍ଦେଶକ, ଅତିରିକ୍ତ ନିର୍ଦେଶକମାନେ ନିୟମିତ ଭାବେ ଜିଲ୍ଲା ଗସ୍ତ କରିବେ। ଗସ୍ତ ସମୟରେ ରୋଗୀଙ୍କ ସମସ୍ୟା ଓ ଚିକିତ୍ସା ସେବା ସଂପର୍କରେ ତଦାରଖ କରିବାକୁ କୁହାଯାଇଛି।

ସଚିବାଳୟରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଉପରେ ଆଲୋଚନା କରାଯାଇଥିଲା। ନିରାମୟର କାର୍ଯ୍ୟକାରିତା ନେଇ ବିଭିନ୍ନ ସ୍ତରରୁ ଅଭିଯୋଗ ହେଉଛି। ତେଣୁ ସବୁ ଜିଲ୍ଲାରେ ନିରାୟମ ଯୋଜନାର କାର୍ଯ୍ୟକାରିତା ଓ ମାଗଣାରେ ଔଷଧ ଯୋଗାଇଦେବା ଉପରେ ଗସ୍ତ ସମୟରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ସଂପୃକ୍ତ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯିବ। ଆସନ୍ତା ୨ମାସ ମଧ୍ୟରେ ନିରାମୟ ଯୋଜକୁ ଅଧିକ ସକ୍ରୀୟ କରିବାକୁ ଶ୍ରୀ ଜେନା ନିର୍ଦେଶ ଦେଇଛନ୍ତି।

ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ଭୁବନେଶ୍ୱରସ୍ଥିତ ସରକାରୀ ଆୟୁର୍ବେଦିକ ଡାକ୍ତରଖାନାକୁ ଅଚାନକ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଡାକ୍ତରଖାନାରେ ରହିଥିବା ତ୍ରୁଟି ବିଚ୍ୟୁତି ଓ ସମସ୍ୟା ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଡାକ୍ତରଖାନାର ବିକାଶ ପାଇଁ ଯାହା ଆବଶ୍ୟକ, ରୋଗୀମାନଙ୍କୁ ଅଧିକ ଚିକିତ୍ସା ସୁବିଧା, ମାଗଣାରେ ଆବଶ୍ୟକ ଔଷଧ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ଜେନା ନିର୍ଦେଶ ଦେଇଛନ୍ତି।

ବୈଠକରେ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା, ସ୍ୱତନ୍ତ୍ର ସଚିବ ଡା.କୈଳାସ ଚନ୍ଦ୍ର ଦାଶ, ଅତିରିକ୍ତ ସଚିବ ସୁରଜିତ ଦାଶ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶକ ଆରପି ସିଂହ, ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବ୍ରଜକିଶୋର ବ୍ରହ୍ମାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର