ପୁଣି ଟିକା ଅଭାବ ଦୋହରାଇଲେ ସ୍ବାସ୍ଥ୍ୟମନ୍ତ୍ରୀ

ଟିକାର ଅଭାବ ପାଇଁ ‘ଟିକା ଉତ୍ସବ’ ସମ୍ଭବ ହେଉନାହିଁ
ଆସିଲା ୨ଲକ୍ଷ ୭୧ହଜାର ‘କୋଭିସିଲ୍‌ଡ’
ଦିନକରେ ସର୍ବାଧିକ ୧୧ଜଣଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାର ଅଭାବ ରହିଥିବା ନେଇ ପୁଣିଥରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଟିକାର ଅଭାବ ଓ ଅନିୟମିତତା ପାଇଁ ‘ଟିକା ଉତ୍ସବ’ ସମ୍ଭବ ହେଉ ନ ଥିବା ବେଳେ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ଓଡ଼ିଶାକୁ ୨୫ଲକ୍ଷ ଡୋଜ୍‌ର ଟିକା ଯୋଗାଇ ଦେବା ଲାଗି ସ୍ବାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧ୍ୟ କେନ୍ଦ୍ରକୁ ଚିଠି ଲେଖି ଟିକା ଅଭାବ ସଂପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅପରପକ୍ଷରେ ଆଜି ରାଜ୍ୟକୁ ୨ଲକ୍ଷ ୭୧ହଜାର ଡୋଜ୍‌ର ‘କୋଭିସିଲ୍‌ଡ’ ଟିକା ଆସିଛି। ସ୍ବାସ୍ଥ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୪୬ଲକ୍ଷ ୮ହଜାର ୬୫୦ ଡୋଜ୍ ଟିକା ଦିଆଯାଇଛି। ତହିଁରୁ ୪୨ଲକ୍ଷ ୭୧ହଜାର ୮୭୦ ଡୋଜ୍ ‘କୋଭିସିଲ୍‌ଡ’ ହୋଇଥିବା ବେଳେ ୩ଲକ୍ଷ ୩୬ହଜାର ୭୮୦ ଡୋଜ୍‌ ‘କୋଭାକ୍ସିନ୍’ ରହିଛି। ରାଜ୍ୟର ଟିକାକରଣ ଉପକେନ୍ଦ୍ରରେ କୌଣସି ଟିକା ଉପଲବ୍ଧ ନ ଥିବା ବେଳେ ପ୍ରାୟ ୭ଶହ ଟିକା କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି। ଚଳିତମାସ ୩ତାରିଖରେ ରାଜ୍ୟରେ ୧୪୭୬ଟି ଟିକାକରଣ କେନ୍ଦ୍ରରେ ୨ଲକ୍ଷ ୭୧ହଜାର ୪୮୦ ହିତାଧିକାରୀ ଟିକା ନେଇଥିବା ବେଳେ ଟିକାର ଅଭାବ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଟିକା ଯୋଗାଣରେ ନିୟମିତତା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି। ରାଜ୍ୟ ନିକଟରେ ଦୈନିକ ୩ଲକ୍ଷ ଟିକା ଦେବାର କ୍ଷମତା ରହିଥିଲେ ହେଁ, ଏବେ ଏହି ସଂଖ୍ୟା ୧ଲକ୍ଷକୁ ଖସି ଆସିଛି। ଏହା ପୂର୍ବରୁ ଗତ ୭ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟିକା ବାବଦରେ ଚିଠି ଲେଖିଥିଲେ।

ଅପରପକ୍ଷରେ ଆଜି ମାତ୍ର ୮୨୪ଟି ଟିକାଦାନ କେନ୍ଦ୍ରରେ ୧ଲକ୍ଷ ୪୦ହଜାର ୬୧ଜଣଙ୍କୁ ଟିକା ଦିଆଯାଇଛି। ଯାଜପୁରରେ ଗୋଟିଏ, ସମ୍ବଲପୁର, ବୌଦ୍ଧ, ଦେବଗଡ଼ରେ ୨ଟି ଲେଖାଏଁ, ସୋନପୁର, ପୁରୀ, କେନ୍ଦୁଝର, କେନ୍ଦ୍ରାପଡ଼ାରେ ୬ଟି‌ ଲେଖାଏଁ ଅଧିବେଶନ ଆୟୋଜିତ ହୋଇପାରିଛି। ଏଥିରେ ୪୫ବର୍ଷରୁ ଅଧିକ ୮୧,୪୧୨ଜଣଙ୍କୁ ପ୍ରଥମ ଡୋଜ୍, ୨୨୮୮ଙ୍କୁ ଦ୍ବିତୀୟ ଡୋଜ୍, ୬୦ବର୍ଷରୁ ଅଧିକ ୩୯,୫୨୫ଜଣଙ୍କୁ ପ୍ରଥମ ଓ ୧୩,୮୯୨ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଆଜି ଗୋଟିଏ ଦିନରେ ୧୧ଜଣଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଗଞ୍ଜାମରେ ୮, ଖୋର୍ଧାରେ ୨ ଓ ଦେବଗଡ଼ରେ ଜଣଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଟିକାକରଣକୁ ମିଶାଇ ରାଜ୍ୟରେ ମୋଟ ୪୫ଲକ୍ଷ ୧୮ହଜାର ୨୬୨ଜଣ କୋଭିଡ୍‌ ଟିକା ନେଇ ସାରିଲେଣି।

ସମ୍ବନ୍ଧିତ ଖବର