ଭୁବନେଶ୍ବର : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଆଜି ମନ୍ତ୍ରୀ ନବକିଶୋର ଦାସ ବିଭାଗ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ବିଭାଗୀୟ ଅଧିକାରୀଙ୍କ ସହିତ ରାଜ୍ୟ ସ୍ବାସ୍ଥ୍ୟସେବା ସଂପର୍କରେ ଆଲୋଚନା କରିଛନ୍ତି। ବିଭାଗକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ପାଇଁ ୧୦୦ ଦିନି ଲକ୍ଷ୍ୟ ଧାର୍ଯ୍ୟ କରି କାମ କରିବାକୁ ଶ୍ରୀ ଦାସ ନିର୍ଦେଶ ଦେଇଛନ୍ତି।

Advertisment

ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପ୍ରଦାନ କରିବାଠାରୁ ଆରମ୍ଭ କରି ଭିତ୍ତିଭୂମି, ମାନବ ସମ୍ବଳ ବିକାଶ ଆଦି ନିମନ୍ତେ ଏକ ସ୍ପଷ୍ଟ ଓ ପ୍ରଗତିଶୀଳ ସ୍ବାସ୍ଥ୍ୟନୀତି ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ମେଡିକାଲ କଲେଜଠାରୁ ଆରମ୍ଭ କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସବୁଠାରେ ସୁବିଧାରେ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା, ଖାଲି ପଡ଼ିଥିବା ପଦବିଗୁଡ଼ିକୁ ପୂରଣ ଓ ଅଧିକ ସଂଖ୍ୟକ ଡାକ୍ତର ସୃଷ୍ଟି କରିବା ଆଦି ପ୍ରସଙ୍ଗ ଉପରେ ମନ୍ତ୍ରୀ ଆଲୋଚନା କରିଛନ୍ତି। ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଉପଯୁକ୍ତ ଧ୍ୟାନ ଦିଆଯିବ। ବିଭାଗ ଉପରେ ସାଧାରଣ ଲୋକଙ୍କ ଆସ୍ଥା ଯେପରି ବଜାୟ ରହିବ ସେ ନେଇ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା ବିଭାଗର ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଓ ଲକ୍ଷ୍ୟ ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ସ୍ବାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସ୍ବତନ୍ତ୍ର ସଚିବ ଶରତ ମିଶ୍ର ଓ ଡା.ବି‌.କେ ବ୍ରହ୍ମା, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ଯୁଗ୍ମ ସଚିବ ଯାମିନୀ ଷଡ଼ଙ୍ଗୀଙ୍କ ସମେତ ବିଭାଗର ସମସ୍ତ ନିର୍ଦେଶକ ଓ ପଦାଧିକାରୀ ଉପସ୍ଥିତ ଥିଲେ।