କରୋନା ଭାଇରସ୍‌ ଆତଙ୍କ : ଭୟ କରିବାର ନାହିଁ, ସରକାର ପ୍ରସ୍ତୁତ, ଏସ୍‌ସିବିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା

କଟକ : କରୋନା ଭାଇରସ ନେଇ କଟକ ବଡ଼ ଡାକ୍ତରଖାନାରେ କି କି ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି, ସେ ସଂପର୍କରେ ସମୀକ୍ଷା‌ କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ। ବୁଧବାର ଅପରାହ୍ନରେ ସ୍ବାସ୍ଥ୍ୟମନ୍ତ୍ରୀ ଏସ୍‌ସିବିରେ ପହଞ୍ଚି ଏହାର ସମୀକ୍ଷା କରିବା ସହ ଏଥିପାଇଁ ଖୋଲାଯାଇଥିବା ୱାର୍ଡ, ଆଇସୋଲେସନ୍‌ ୱାର୍ଡ ଓ ଆଇସିୟୁ ବ୍ୟବସ୍ଥା ବୁଲି ଦେଖିଛନ୍ତି। ଆସନ୍ତା ୫ ଦିନ ଭିତରେ ରକ୍ତ ପରୀକ୍ଷଣ ପାଇଁ ଆରଏମ୍‌ଆର୍‌ସିରୁ ସମସ୍ତ ଯନ୍ତ୍ରାଂଶ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଡିନ୍‌ ତଥା ପ୍ରିନ୍‌ସିପାଲଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ବସିଥିଲା। ବୈଠକରେ କରୋନା ଭାଇରସ ଆକ୍ରାନ୍ତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବା ସହ ଏହାର ମୁକାବିଲା ପାଇଁ ଜନସଚେତନତା ଉପରେ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ବାରୋପ କରିଥିଲେ। ବୈଠକରେ ଏସ୍‌ସିବି ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜକାନ୍ତ ସାହୁ, ଚୌଦ୍ବାର-କଟକ ବିଧାୟକ ସୌଭିକ୍‌ ବିଶ୍ବାଳ, କରୋନା ଭାଇରସ୍‌ ପାଇଁ ଏସ୍‌ସିବିରେ ଗଠନ ହୋଇଥିବା ଟିମ୍‌ର ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ, ପ୍ରଫେସର ଡାକ୍ତର ବିରଞ୍ଚି ନାରାୟଣ ମହାପାତ୍ର, ପ୍ରଫେସର ଡାକ୍ତର ଦୈତାରୀ ରାଉତରାୟ, କରୋନା ଭାଇରସର ନୋଡାଲ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ତାୟତରାୟ, ସିଡିଏମଓ ଡାକ୍ତର ସତ୍ୟବ୍ରତ ଛୋଟରାୟ, ପ୍ରଫେସର ଡାକ୍ତର ନିରୁପମା ଚଇନୀ, ଆସୋସିଏଟ୍‌ ପ୍ରଫେସର ଡାକ୍ତର ଅସରନ୍ତି କର, ପ୍ରଫେସର ଅନ୍ନଦା ପ୍ରସାଦ ପଟ୍ଟନାୟକ, ଡ. ସତ୍ୟଶ୍ରୀ ରାୟତରାୟ, ପ୍ରଫେସର ଡାକ୍ତର ଜୟନ୍ତ ପଣ୍ତା, ଅତିରିକ୍ତ ଅଧୀକ୍ଷକ ଶ୍ରୀକାନ୍ତ ପଣ୍ତା, ପ୍ରାଶାସନିକ ଅଧିକାରୀ କଳ୍ପତରୁ ବେହେରା, ପୂର୍ବତନ କପୋର୍ରେଟର ରଞ୍ଜନ କୁମାର ବିଶ୍ବାଳ ଓ ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ, ଏଥିରେ ଭୟଭୀତ ହେବାର କିଛି କାରଣ ନାହିଁ। କେନ୍ଦ୍ର ସରକାର ବିମାନବନ୍ଦରକୁ ପ୍ରତିଷେଧକ ବ୍ୟବସ୍ଥାରେ ସାମିଲ କରି ନ ଥିଲେ ବି ରାଜ୍ୟ ସରକାର ବିମାନବନ୍ଦରକୁ ଏଥିରେ ସାମିଲ କରିଛନ୍ତି। ଚୀନରୁ ଆସୁଥିବା ଲୋକଙ୍କ ସଂପର୍କରେ ସତର୍କ ନଜର ରଖିବା ପାଇଁ ହୋଟେଲ ଆସୋସିଏସନ୍‌କୁ ମଧ୍ୟ କୁହାଯାଇଛି। ସତର୍କତା ପାଇଁ ୨୪ଘଣ୍ଟିଆ ‌କଂଟ୍ରୋଲ ରୁମ୍‌ ଖୋଲାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର