ବିଭିନ୍ନ ରୋଗର ସମୀକ୍ଷା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ: ବେଆଇନ ସଂଯୋଗ ପାଇପ୍‌ ଲାଇନ୍‌ରୁ ବ୍ୟାପିଛି ଜଣ୍ଡିସ୍‌

୪ ଦିନ ଭିତରେ ବେଆଇନ ପାଇପ୍‌ ଲାଇନ୍‌ ହଟାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ଏବେ ଡିପ୍‌ଥେରିଆ, ଜଣ୍ଡିସ୍ ଓ ଜାପାନୀ ଏନ୍‌ସେଫାଲଟିସ୍‌(ଜେଇ) ରାଜ୍ୟବାସୀଙ୍କୁ କଲବଲ କରୁଛି। ଏହି ୩ରୋଗର ସ୍ଥିତି ସଂପର୍କରେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସମୀକ୍ଷା କରିଛନ୍ତି। ଅନୁଗୁଳ, ରାୟଗଡ଼ା ଓ ସମ୍ବଲପୁରର ଜିଲ୍ଲାପାଳ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସହ ଭିଡିଓ କନଫରେନ୍‌ସିଂ ଜରିଆରେ ଆଲୋଚନା କରିଛନ୍ତି। ରାୟଗଡ଼ା ଜିଲ୍ଲାରେ ଚଳିତମାସ ୧୭ ତାରିଖରେ ପ୍ରଥମେ ଡିପ୍‌ଥେରିଆ ମାମଲା ଠାବ ହୋଇଥିଲା। ଏହି ଘଟଣା ପରେ ଜିଲ୍ଲାରେ ଟିକାକରଣ ଆରମ୍ଭ ହୋଇଛି। ଏବେ ୫ବର୍ଷ ତଳର କମ୍ ଶିଶୁଙ୍କୁ ଟିକା ଦିଆଯାଉଛି। ୩ଟି ଗାଁକୁ ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ଏହି ଅଞ୍ଚଳକୁ ଗସ୍ତ କରି ସ୍ଥିତିରେ ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଜିଲ୍ଲାରେ ଟ୍ୟାଙ୍କର ଦ୍ବାରା ସ୍ବଚ୍ଛ ପାନୀୟ ଜଳ ଯୋଗାଇଦେବା ସହ ଡିପ୍‌ଥେରିଆ ଯେପରି ଅଧିକ ନ ବ୍ୟାପିବ ତାହା ଉପରେ ଅଙ୍କୁଶ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

୪ ଦିନ ଭିତରେ ବେଆଇନ ପାଇପ୍‌ ଲାଇନ୍‌ ହଟାଇବାକୁ ନିର୍ଦ୍ଦେଶ
ଜାପାନୀ ଏନ୍‌ସେଫାଲାଇଟିସ୍‌ ନାଁରେ ଗୁଜବ ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ

ସେହିପରି ସମ୍ବଲପୁରରେ ଜଣ୍ଡିସ୍ ସଂପର୍କରେ ଶ୍ରୀ ମହାଲିଙ୍ଗ ଏହାକୁ ରୋକିବା ଲାଗି କ’ଣ କ’ଣ ପଦକ୍ଷେପ ନିଆଯାଇଛି ତାହା ଉପରେ ଆଲୋଚନା କରିଛନ୍ତି। ଏବେ ସୁଦ୍ଧା ସେଠାରେ ୮୨ଟି ଜଣ୍ଡିସ୍ ମାମଲା ନଜରକୁ ଆସିଛି। ଲଗାତାର ଦୁଇଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟପଦାର୍ଥ ଓ ପାନୀୟ ଜଳର ନମୁନା ଯାଞ୍ଚ କରାଯାଉଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା ପାଇପ୍ ବଦଳାଯାଇଛି। ୱାଟ୍‌କୋ ପକ୍ଷରୁ ଘରକୁ ଘର ବୁଲି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲାଇନ୍‌ ସବୁକୁ ତନଖି କରାଯାଇଛି। ତେବେ ଅନେକ ଘରକୁ ବେଆଇନ ଭାବେ ସଂଯୋଗ ହୋଇଥିବା ପାଇପ୍‌ ଲାଇନ୍‌ ନାଳ ତଳ ଦେଇଯାଇଛି। ଏଥରୁ ସଂକ୍ରମଣ ବ୍ୟାପୁଥିବା ଜଣାପଡ଼ିଛି। ଆସନ୍ତା ୪ଦିନ ଭିତରେ ସବୁ ବେଆଇନ ଓ ଅସ୍ବାସ୍ଥ୍ୟକର ପରିବେଶ ଭିତରେ ଯାଇଥିବା ଘରୋଇ ପାଇପ ସଂଯୋଗକୁ ହଟାଇଦେବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ସହରର ଆବଶ୍ୟକ ସ୍ଥଳେ ସ୍ବଚ୍ଛ ପାନୀୟ ଜଳ ଟ୍ୟାଙ୍କର ମାଧ୍ୟମରେ ଯୋଗାଇଦେବା ସହ ହାଲୋଜେନ୍ ବଟିବା ବିତରଣ, ପାଣିର ସ୍ବଚ୍ଛତା ପରୀକ୍ଷା ଓ ଏହାର ଗୁଣାବତ୍ତା ବଜାୟ ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଅନୁଗୁଳ ଜିଲ୍ଲାରେ ଜେଇର ଦୁଇଟି ସନ୍ଦିଗ୍ଧ ଘଟଣା ସାମ୍ନାକୁ ଆସିଥିବା ବେଳେ ତହିଁରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ମୃତ୍ୟୁ ହୋଇଥିବା ଶିଶୁଠାରେ ରକ୍ତହୀନତାଜନିତ ଅସୁସ୍ଥତା ଥିବା ବେଳେ ଅନ୍ୟ ଜଣେ ସେପ୍ଟିସେମିଆରେ ଆକ୍ରାନ୍ତ ଥିଲେ। ଦୁଇ ଶିଶୁ ଅପପୁଷ୍ଟିର ଶିକାର ହୋଇ ସେମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିଲା। ଜିଲ୍ଲାରେ ଆଶା ଓ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ସଂପୃକ୍ତ ଅଞ୍ଚଳ ଗସ୍ତ କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଦେଇନାହାନ୍ତି। ତେଣୁ ଜେଇକୁ ନେଇ ଯେଉଁମାନେ ଗୁଜବ ସୃଷ୍ଟି କରୁଛନ୍ତି ‌ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର