ଭୁବନ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ଆଖପାଖ ଅଞ୍ଚଳରେ ଡାଇରିଆ ମାଡ଼ିବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଆଜି ଭୁବନ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତକାଲି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ଆଜି ଏହି ସଂଖ୍ୟା ୬୩ରେ ପହଞ୍ଚିଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଆକ୍ରାନ୍ତମାନଙ୍କର ଚିକିତ୍ସା ଚାଲିଛି ଓ ସେମାନଙ୍କ ସ୍ଥିତିରେ ସୁଧାର ଆସୁଥିବା କୁହାଯାଇଛି। ସେମାନଙ୍କ ମଧ୍ୟରୁ କିଛି ରୋଗୀ ଚିକିତ୍ସିତ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରୀ ଡାକ୍ତର ମହାଲିଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆସି ଆକ୍ରାନ୍ତମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଗତକାଲି ଭୁବନ ଏନ୍ଏସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ଦଳିତ ବସ୍ତିର କୃପାସିନ୍ଧୁ ମଳିକଙ୍କର ଡାଇରିଆରେ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ତାଙ୍କ ମୃତ୍ୟୁ ଡାଇରିଆ ଜନିତ ନୁହେଁ ବୋଲି କୁହାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ କାମାକ୍ଷାନଗର ଉପଜିଲ୍ଲାପାଳ ଦୀନମଣି ନାୟକ ଆଜି ମୃତକ କୃପାସିନ୍ଧୁଙ୍କ ଘରେ ପହଞ୍ଚି ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। 

Advertisment

ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ମହାଲିଙ୍ଗ ଆଜି ଷ୍ଟପ୍ ଡାଇରିଆ ସଚେତନତା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ୪୫ ଦିନ ଧରି ଚାଲିବ। କାର୍ଯ୍ୟକ୍ରମରେ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ଶତ୍ରୁଘ୍ନ ଜେନା, ବିଧାୟିକା ସୀମାରାଣୀ ନାୟକ, ବିଧାୟକ ବିଭୂତି ଭୂଷଣ ପ୍ରଧାନ, ଯୋଗାଣ ମନ୍ତ୍ରୀଙ୍କ ପ୍ରତିନିଧି ରାହାସ ବିହାରୀ ବେହେରା, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ମୁଖ୍ୟ ଚିକିତ୍ସା ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ଯୋଗ ଦେଇଥିଲେ। ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିସହିତ ସ୍ବାସ୍ଥ୍ୟମନ୍ତ୍ରୀ ବର୍ତ୍ତମାନର ଡାଇରିଆ ସ୍ଥିତିର ସମୀକ୍ଷା କରିଥିଲେ। ଏଥିରେ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ଜନ ପ୍ରତିନିଧିମାନେ ସାମିଲ ହୋଇଥିଲେ। ସରକାର ଓ ପ୍ରଶାସନ ସ୍ଥିତି ଉପରେ ନଜର ରଖିଛନ୍ତି; ଭୟଭୀତ ନ ହେବାକୁ ମନ୍ତ୍ରୀ ଲୋକଙ୍କୁ ପରାମର୍ଶ ଦେଇଥିଲେ।