ଅସନ୍ତୋଷ ଝାଡ଼ିଲେ ସ୍ବାସ୍ଥ୍ୟମନ୍ତ୍ରୀ, ୧୦୦ ଦିନ ମଧ୍ୟରେ ସାରିବାକୁ ଥିବା ପ୍ରକଳ୍ପ ତାଲିକା ମାଗିଲେ

ଭୁବନେଶ୍ବର : ବିଭିନ୍ନ ସ୍ବାସ୍ଥ୍ୟ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର ହୋଇଛି ହେଲେ ଏ ଯାଏଁ କାମ ସରିପାରୁନି। ଏ ନେଇ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଅଧିକାରୀମାନଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ଆସନ୍ତା ୧୦୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକର ତାଲିକା ପ୍ରଦାନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦୁଇ ମାସ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇ-ଡାକ୍ତରଖାନା ପରିଚାଳନା ବ୍ୟବସ୍ଥା ବା ଇ-ଏଚଏମଏସ କାର୍ଯ୍ୟକାରୀ କରିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ମଧ୍ୟ ଦେଇଛନ୍ତି ନିର୍ଦ୍ଦେଶ। ଆସନ୍ତା ୨ ବର୍ଷ ମଧ୍ୟରେ ଯେପରି ସମସ୍ତ ସରକାରୀ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ ସେଥିଲାଗି ଏବେଠୁ ସବୁ ପ୍ରକାର ତ୍ବରିତ ପଦକ୍ଷେପ ନିଆଯିବ।

ସୋମବାର ସ୍ଥାନୀୟ ଏନଏଚଏମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଥିଲେ, ସରକାରୀ ଡାକ୍ତରଖାନାଗୁଡ଼ିକରେ ଇ-ପରିଚାଳନା ବ୍ୟବସ୍ଥା କରିବା ଲାଗି ଆବଶ୍ୟକ ପଡ଼ୁଥିବା ଅର୍ଥ ଓ ମାନବସମ୍ବଳ ସଂକ୍ରାନ୍ତରେ ଏକ ରିପୋର୍ଟ ୨ ମାସ ଭିତରେ ପ୍ରସ୍ତୁତ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ଦୁଇଟି ପ୍ରମୁଖ ଡାକ୍ତରଖାନା କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଓ ହସ୍ପିଟାଲ ଏବଂ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ପାଇଲଟ ପ୍ରକଳ୍ପ ଭାବେ ଇ-ଏଚଏମଏସ କାର୍ଯ୍ୟକାରୀ ହୋଇଛି। ଆସନ୍ତା ୬ ମାସ ମଧ୍ୟରେ ଏହା ପୂର୍ଣ୍ଣକାଳୀନ ଭାବେ କାର୍ଯ୍ୟ କରିବ। ଏହି ବ୍ୟବସ୍ଥା ଜରିଆରେ ରୋଗୀମାନଙ୍କର ସମସ୍ତ ସୂଚନା ଡିଜିଟାଲ ପଦ୍ଧତିରେ ଉପଲବ୍ଧ ହେବ। ଫଳରେ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ଡାକ୍ତରଖାନାକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବନି। ସେମାନଙ୍କ ରୋଗର ବିବରଣୀ କମ୍ପ୍ୟୁଟରରେ ଷ୍ଟୋର ରହିଥିବା ଯୋଗୁଁ ଚିକିତ୍ସକମାନେ ସହଜରେ ରୋଗ ସଂକ୍ରାନ୍ତରେ ଅବଗତ ହୋଇ ଚିକିତ୍ସା ସେବା ଯୋଗାଇପାରିବେ। ଏହି ଅବସରରେ ବିଭାଗୀୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ପ୍ରଦାନ କରି କହିଥିଲେ, ବର୍ତ୍ତମାନ ଏହି ଯୋଜନାରେ ସିଡାକ୍ କାର୍ଯ୍ୟ କରୁଥିବାବେଳେ ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କିଭଳି କାର୍ଯକାରୀ ହେବ ସେଥିପାଇଁ ସମ୍ପୃକ୍ତ ଡାକ୍ତରଖାନା ଗସ୍ତକରି କ୍ଷେତ୍ର ପ୍ରସ୍ତୁତ ଲାଗି ଏହି ସଂସ୍ଥାକୁ କୁହାଯାଇଛି।

ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରି ସ୍ବାସ୍ଥ୍ୟ ମନ୍ତ୍ରୀ କହିଥିଲେ ୨୦୧୮-୧୯ ବର୍ଷରେ ୪୦୩ଟି ପ୍ରକଳ୍ପ ପାଇଁ ୧୪୪ କୋଟି ୬ ଲକ୍ଷ ୧୬ ହଜାର ଟଙ୍କା ଅନୁମୋଦିତ ହୋଇଥିବାବେଳେ ୧୨୧ କୋଟି ୭୦ ଲକ୍ଷ ୧୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ସେହିଭଳି ୨୦୧୯-୨୦ରେ ୭୧ଟି ପ୍ରକଳ୍ପ ପାଇଁ ଅନୁମୋଦିତ ହୋଇଥିବା ୧୪୭ କୋଟି ୭୧ ଲକ୍ଷ ଟଙ୍କାରୁ ୮୧କୋଟି ୮୬ ଲକ୍ଷ ୬୦ ହଜାର ଟଙ୍କା ମଞ୍ଜୁର ହୋଇଛି। ଏହିପରି ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଯୋଜନାରେ ୨୦୧୫-୧୬ରୁ ୨୦୧୮-୧୯ ମଧ୍ୟରେ ୪ ହଜାର ୩୩୭ଟି ପ୍ରକଳ୍ପ ପାଇଁ ୬୨୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଚଳିତ ଆର୍ଥିକ ବର୍ଷରେ ୮ ହଜାର ୯୭୨ଟି ପ୍ରକଳ୍ପ ପାଇଁ ବ୍ୟୟ ବରାଦ ହୋଇଛି ୫୭୨ କୋଟି ଟଙ୍କା। ସେହିଭଳି ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ ଜରିଆରେ ୪୩୩ଟି ପ୍ରକଳ୍ପ ଲାଗି ୬୩୦ କୋଟି ୨୧ ଲକ୍ଷ ୮୬ ହଜାର ଟଙ୍କା ଅନୁମୋଦନ କରାଯାଇଥିବାବେଳେ ଏଥିରୁ ମାତ୍ର ୯୪ କୋଟି ୫୩ ଲକ୍ଷ ୨୮ ହଜାର ଟଙ୍କା ମଞ୍ଜୁର ହୋଇଛି। ଅର୍ଥ ମଞ୍ଜୁର ପରେ ଯେଉଁସବୁ ପ୍ରକଳ୍ପ କାମ ଆରମ୍ଭ ହୋଇପାରିନି ତାହ ତୁରନ୍ତ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ଦାସ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ନିର୍ଦ୍ଦେଶକ, ଏସସିବିର ଡିନ୍ ତଥା ପ୍ରିନିସିପାଲଙ୍କ ସମେତ ବିଭାଗୀୟ ଅଧିକାରୀମାେନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର