କାଶୀପୁରରେ ଝାଡ଼ାବାନ୍ତି ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତନାଘନା: ୭୨ଘଣ୍ଟାରେ ରିପୋର୍ଟ ଦିଅ

ରାଜଧାନୀରୁ ଘଟଣାସ୍ଥଳକୁ ଗଲେ ୩ଜଣିଆ ସ୍ବାସ୍ଥ୍ୟ ଟିମ୍

ଭୁବନେଶ୍ବର : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ଝାଡ଼ାବାନ୍ତି ଏକାଧିକ ଲୋକଙ୍କ ଜୀବନ ନେବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଭୁବନେଶ୍ବରରୁ ଏକ ୩ଜଣିଆ ସ୍ବାସ୍ଥ୍ୟ ଟିମ୍ କାଶୀପୁର ଯିବା ସହିତ ସ୍ଥାନୀୟ ସିଡିଏମ୍‌ଓଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଅପରପ‌କ୍ଷରେ ଘଟଣା ସଂପର୍କରେ ଆସନ୍ତା ୭୨ଘଣ୍ଟାରେ ବିସ୍ତୃତ ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ କାଶୀପୁର ବ୍ଲକ୍‌ରେ ଝାଡ଼ାବାନ୍ତି କାରଣରୁ ଜୀବନହାନୀ ଘଟିଥିବା ରାଜ୍ୟ ସରକାରଙ୍କ ଦୃଷ୍ଟି‌ ଗୋଚର ହୋଇଛି। ସ୍ଥାନୀୟ ସିଡିଏମ୍‌ଓ ତୁରନ୍ତ ଏହି ଅଞ୍ଚଳକୁ ଏକ ଅଭିଜ୍ଞ ଡାକ୍ତରୀ ଦଳ ପଠାଇ ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀମାନଙ୍କର ଚିକିତ୍ସା କରନ୍ତୁ। ତୁରନ୍ତ ଏହାକୁ ରୋକିବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ଲାଗି ସେ ନିର୍ଦେଶ ଦେଇଛନ୍ତି।

ଅପରପକ୍ଷରେ ଏ ଘଟଣା ସଂପର୍କରେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ଯେ ପ୍ରଭାବିତ ଗାଁରେ ଏକ ସ୍ବାସ୍ଥ୍ୟ ଟିମ୍ କ୍ୟାମ୍ପ କରି ରହିଛନ୍ତି। ୩ଟି ମେଡିକାଲ ଦଳ ଗାଁ ଗାଁ ବୁଲୁଛନ୍ତି। ଆଖପାଖ ଗାଁରେ ସଚେତନ କାର୍ଯ୍ୟକ୍ରମ ଚାଲିଛି। ଜଳ ଉତ୍ସଗୁଡ଼ିକୁ ବିଶୋଧନ କରାଯାଉଛି। ଯେଉଁମାନେ ଆକ୍ରାନ୍ତ ସେମାନଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାପାଳ ଓ ସିଡିଏମ୍‌ଓ ସେ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଭୁବନେଶ୍ବରକୁ ମଧ୍ୟ ଏକ ଟିମ୍ ଯାଇଛି। ଖୁବଶୀଘ୍ର ସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି ଡା.ମିଶ୍ର ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର