୧୪ ଲକ୍ଷ ଯୁବପିଢ଼ିଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଶିକ୍ଷଣ ପାଇଁ ବୁଝାମଣା

ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ତ୍ୱରାନ୍ଵିତ ହେଉଛି : ଧର୍ମେନ୍ଦ୍ର

ଭୁବନେଶ୍ୱର : ସ୍କିଲ୍‌ ଫର୍‌ ଲାଇଫ୍‌ – ସେଭ୍‌ ଲାଇଫ୍‌ ନାମରେ ଦେଶର ୧୪ ଲକ୍ଷ ଯୁବକ, ଯୁବତୀଙ୍କୁ ସ୍ୱାସ୍ଥ୍ୟ ସେବାର ୧୦ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦକ୍ଷତା ବିକାଶ କରି ସେମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବାକୁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ସଂଯୋଜନାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ମାନବ ସମ୍ବଳ ମନ୍ତ୍ରଣାଳୟ ଅଧୀନସ୍ଥ ଇଗ୍‌ନୋ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

୧୦ଟି କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଶିକ୍ଷଣ ଓ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଦକ୍ଷତା ବିକାଶ ମନ୍ତ୍ରଣାଳୟ ଇଗ୍‌ନୋକୁ ଏହି ସୀମିତ ଅବଧି ପାଠ୍ୟକ୍ରମ ପାଇଁ ସହାୟତା ଯୋଗାଇ ଦେବ। ଦେଶର ଜିଲ୍ଲା ଓ ଗାଁ ସ୍ତର ପର୍ଯ୍ୟନ୍ତ ମାନବ ସମ୍ବଳକୁ ପ୍ରଶିକ୍ଷିତ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସ୍ଥିରୀକୃତ ମାନକ ଅନୁସାରେ ପ୍ରାର୍ଥୀମାନଙ୍କୁ ପ୍ରଶିକ୍ଷିତ କରାଯିବ।
ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଉପସ୍ଥିତ ରହି କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ କାରଣରୁ ଦେଶରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ତ୍ୱରାନ୍ଵିତ କରାଯାଇପାରୁଛି। ଆୟୁଷ୍ମାନ ଭାରତ ଯୋଜନାର ସଫଳତା ବିଶାଳ ପ୍ରଶିକ୍ଷିତ ସ୍ୱାସ୍ଥ୍ୟ ସେବାର ମାନବ ସମ୍ବଳ ବିନା ସଫଳ ହୋଇପାରିବ ନାହିଁ। ଏଥିରେ ପ୍ରଶିକ୍ଷିତ ପ୍ରାର୍ଥୀମାନଙ୍କୁ ରାଷ୍ଟ୍ରୀୟ ଦକ୍ଷତା ବିକାଶ ଫ୍ରେମ୍‌ର ସାର୍ଟିଫିକେଟ୍‌ ସହ ସଂଯୁକ୍ତ କରାଯିବ।

ଏହି କାର୍ଯ୍ୟକ୍ରମରେ ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର