ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଂଗାଲି ଥାନା ଅନ୍ତର୍ଗତ ଲାରିପାଲି ଜଙ୍ଗଲ ଭିତରେ ପରିତ୍ୟକ୍ତ ନଳକୂଅ ଭିତରୁ ଉଦ୍ଧାର କରାଯାଇଥିବା ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ତାକୁ ନବଜାତ ଶିଶୁ ଯତ୍ନ ୟୁନିଟ୍‌ ରୁ ବାହାରକୁ ଅଣାଯାଇଛି।  ୬ ଦିନ ହେବ ଶିଶୁଟି ଚିିକିତ୍ସିତ ହେଉଛି। ଦୁଇ ଦିନ ତଳେ କ୍ଷୀର ଦିଆଯାଇଥିବା ବେଳେ ପେଟ ଫୁଲିବା ସହ ପବନ ଭର୍ତ୍ତି ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ଜଙ୍ଗଲ ଭିତରେ ପରିତ୍ୟକ୍ତ ନଳକୂଅ ଭିତରୁ ଉଦ୍ଧାର କରାଯିବା ସମୟରେ ଶିଶୁକନ୍ୟାର ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିଲା। ଶିଶୁକନ୍ୟାର ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିଲା। ଏଥିସହିତ ଶିଶୁକନ୍ୟାର ଶରୀରର କେତେକ ସ୍ଥାନରେ ଆଘାତ ଲାଗିଥିଲା। ଶିଶୁକନ୍ୟାର ଶୀଘ୍ର ଆରୋଗ୍ୟ ପାଇଁ ଉପଯୁକ୍ତ ଚିକିତ୍ସା ସହିତ ସ୍ବତନ୍ତ୍ର ଯତ୍ନ ନିଆଯାଉଛି ବୋଲି ଭିମ୍‌ସାରର ଅଧୀକ୍ଷକ ପ୍ରଫେସର ଡାକ୍ତର ଲାଲମୋହନ ନାଏକ କହିଥିଲେ।

publive-image

ଉଲ୍ଳେଖଯୋଗ୍ୟ ଯେ, ଗତ ୧୨ ତାରିଖରେ ଜଣେ ନବଜାତ ଶିଶୁକନ୍ୟାକୁ କେହି ହତ୍ୟା ଉଦ୍ଦେଶ୍ୟରେ ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ଗଭୀର ନଳକୂପ ଭିତରକୁ ଫିଙ୍ଗିଦେଇ ଚାଲିଯାଇଥିଲା। ନୂଳକୂପ ଭିତରେ ଫିଙ୍ଗିଲେ ଶ୍ବାସରୁଦ୍ଧ ହୋଇ ଶିଶୁ ମରିଯିବ ଆଉ ଘଟଣା ବି ସାମ୍‌ନାକୁ ଆସିବ ନାହିଁ, ସେଭଳି ଉଦ୍ଦେଶ୍ୟ ନେଇ ଏହି କାଣ୍ଡ ଭିଆଇଥିଲା। କେବଳ ସେତିକି ନୁହେଁ, ନଳକୂପର ମୁହଁରେ ଏକ ପଥର ରଖିଦେଇଥିଲା। ତେବେ, ଜଣେ ଛେଳି ଚରାଳି ଶିଶୁକନ୍ୟାର କ୍ରନ୍ଦନ ଶବ୍ଦ ଶୁଣିବା ପରେ ଘଟଣାଟି ପ୍ରଘଟ ହୋଇଥିଲା। ପୁଲିସ-ପ୍ରଶାସନ ଘଟଣା ସଂପର୍କରେ ଅବଗତ ହେବା ପରେ ତ୍ବରିତ ପଦକ୍ଷେପ ନେଇଥିଲା। ଅପରାହ୍‌ଣ ୩ଟାରୁ ବିଧିବଦ୍ଧ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରାତି ସାଢ଼େ ୯ଟାରେ ଶିଶୁଟିକୁ ଜୀବତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏଭଳି କାଣ୍ଡ କିଏ ଭିଆଇଥିଲା, ତାହା ଜାଣିବା ପାଇଁ ସବୁ ମହଲରେ ଉତ୍ସୁକତା ପ୍ରକାଶ ପାଇଛି।