ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ମିଳିତ ମହାସଂଘର ଚେତାବନୀ; ୭ରୁ କଳାବ୍ୟାଜ୍‌, ୧୪ରୁ ଅସହଯୋଗ

ଭୁବନେଶ୍ବର : ଜନ୍ମଠୁ ମୃତ୍ୟୁ ଯାଏ ସରକାର ସମସ୍ତ ଯୋଜନାକୁ ସଫଳ ରୂପାୟନ କରିଆସୁଥିବା ସତ୍ତ୍ବେ ସରକାର ସେମାନଙ୍କୁ ଅଣଦେଖା କରିଆସୁଛନ୍ତି। ତେଣୁ ସେମାନଙ୍କ ୫ଦଫା ଦାବି ଶୀଘ୍ର ପୂରଣ କରାନଗଲେ, ଆସନ୍ତା ୭ ତାରିଖରୁ ସେମାନେ କଳାବ୍ୟାଜ୍‌ ପରିଧାନ କରି ଆନ୍ଦୋଳନ କରିବେ। ଏହା ପରେ ବି ସରକାର ନ ଶୁଣିଲେ ୧୪ରୁ ଅସହଯୋଗ ଓ ୨୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ସରକାରଙ୍କୁ ଅଡ଼ୁଆରେ ପକାଇବ ବୋଲି ଚେତାବନୀ ଦେଇଛି ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ମିଳିତ ମହାସଂଘ ଚେତାବନୀ ଦେଇଛି। ଏହି ଅବସରରେ ମହାସଂଘ ପକ୍ଷରୁ ଆଜି ଏକ ଦାବିପତ୍ର ଏଡିୟୁପିଏଚ୍‌ଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

ମହାସଂଘର ଦାବିଗୁଡ଼ିକ ହେଲା, ବହୁମୁଖୀ ସ୍ବାସ୍ଥ୍ୟକର୍ମୀଙ୍କ କ୍ୟାଡର୍‌ ପୁନର୍ଗଠନ କରି ଚାକିରି କାଳରେ ସର୍ବନିମ୍ନ ୪ଟି ପଦୋନ୍ନତି, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୦୨୦ ନଭେମ୍ବର ୩ ତାରିଖରେ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରେଡ୍‌-ପେ’ ୪୨୦୦, ୪୬୦୦ ଏବଂ ୪୮୦୦ ଆର୍‌ଏସିପି ଆକାରରେ ପ୍ରଦାନ, ୨୦୧୩ ମସିହାରେ ଜିଏପିଜି ବିଭାଗ ଦ୍ବାରା ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ଠିକା ବ୍ୟବସ୍ଥାକୁ ଉଚ୍ଛେଦ, ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଓ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ପଦର ନାମ ପରିବର୍ତ୍ତନ, ପୋଷାକ ଭତ୍ତା ଆକାରରେ ବାର୍ଷିକ ୫ହଜାର ଟଙ୍କା ପ୍ରଦାନ ଇତ୍ୟାଦି। ସରକାର ତୁରନ୍ତ ଦାବି ପୂରଣ ନକଲେ, ଆସନ୍ତା ୭ ତାରିଖରୁ ୨୦ ହଜାର କର୍ମୀ କଳାବ୍ୟାଜ୍‌ ପିନ୍ଧି ନିରବ ପ୍ରତିବାଦ କରିବେ। ତଥାପି ସରକାର ନ ଶୁଣିଲେ, ୧୪ ତାରିଖଠାରୁ ଅସହଯୋଗ ଆନ୍ଦୋଳନ ଓ ୨୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ।

ସମ୍ବନ୍ଧିତ ଖବର