ଲାଞ୍ଜିଗଡ଼ : ସଚେତନତା ଅଭାବ ସହ ଚିକିତ୍ସା ସୁବିଧା ନମିଳିବାରୁ ଘରେ ୨ଜଣ ଯାଅଁାଳା ସନ୍ତାନଙ୍କୁ ଜନ୍ମଦେଇ ଜଣେ ମହିଳା ଆଖି ବୁଜିଛନ୍ତି। କଳାହାଣ୍ଡି ଜିଲ୍ଲା ଦୁର୍ଗମ ଲାଞ୍ଜିଗଡ଼ରେ ଏହିଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ଏହି ମହିଳା ହେଲେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ କୁଲାନାଳ ଗାଁର ଗଦା ମାଝୀଙ୍କ ସ୍ତ୍ରୀ ଲାଖ ମାଝୀ। ଗତ ନଭେମ୍ବର ୨୧ ତାରିଖ ଦିନ ଲାଖଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଗର୍ଭରେ ଦୁଇଟି ଛୁଆ ଥିବା ପୂର୍ବରୁ ଜଣାପଡ଼ିଥିଲା। ତେବେ, ଘରେ ହିଁ ଲାଖ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଅନ୍ୟଟି ଜନ୍ମ ନହେବାରୁ ଗର୍ଭ ଯନ୍ତ୍ରଣାରେ କଲବଲ ଲାଖଙ୍କୁ ତୁରନ୍ତ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେହିଦିନ ହିଁ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଉଭୟ ଶିଶୁ ସୁସ୍ଥ ଥିବାବେଳେ ଲାଖଙ୍କୁ ପ୍ରସବ ପରେ ଗୋଟିଏ ୟୁନିଟ୍ ରକ୍ତ ଦିଆଯାଇଥିଲା। ଦ୍ୱିତୀୟ ଶିଶୁ ଜନ୍ମର ୧୨ ଘଣ୍ଟା ପରେ ସେମାନେ ଘରକୁ ଚାଲି ଆସିଥିଲେ। ପ୍ରସବ ପରେ ଲାଖଙ୍କ ଶରୀର ଅସ୍ୱାଭାବିକ ଭାବେ ଫୁଲି ରହିଥିବା ସତ୍ତ୍ୱେ ଗାଁ କୁଲାନାଳକୁ ଫେରିଥିଲେ। ଘଟଣାର ୧୪ ଦିନ ପରେ ସୋମବାର ୫ ତାରିଖ ଦିନ ଲାଖଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତରଖାନାରୁ ଫେରିବା ଦିନଠାରୁ ଶରୀର ଫୁଲି ରହିଥିବା ସହ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ମାତ୍ର ସଚେତନତା ଅଭାବରୁ ଗରିବ ଆଦିବାସୀ ପରିବାର କିଛି ଜାଣି ପାରି ନଥିଲେ। ସେମାନଙ୍କ ସହ ଆଲୋଚନା କରିବା ପରେ ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା ସାମ୍ନାକୁ ଆସିଥିଲା।
ଅଭିଯୋଗ ଅନୁସାରେ, ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ମୂଷାନାଳ ସବ୍ସେଣ୍ଟର ବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ କୁଲାନାଳ ଗାଁ ମାତ୍ର ୪ କି.ମି.। ମାତ୍ର ମୂଷାନାଳ ସବ୍ସେଣ୍ଟର ବନ୍ଦ ରହୁଥିବା ବେଳେ ମିୟମିତ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ବିଭାଗର ଏଏନ୍ଏମ୍ ଯୋଗ ଦେଉନଥିବା ଜଣାପଡ଼ିଥିଲା। ସେହିପରି ଆଶାକର୍ମୀ ଜଣକ କୁଲାନାଳ ଗାଁରୁ ମାତ୍ର ୫ କିମି ଦୂର ସିନ୍ଧିପଦର ଗାଁରେ ରହନ୍ତି। ତେବେ ଲାଖଙ୍କ ପ୍ରସୂତି ବେଳେ ଏଏନ୍ଏମ୍ ଓ ଆଶା ନିରାଶ କରିଥିବା ବେଳେ ଲାଖଙ୍କ ପ୍ରସୂତିର ହାଇରିକ୍ସ ଥିବା ଏଏନ୍ସି ପରୀକ୍ଷାରୁ ଜଣା ପଡ଼ିଥିଲା ଏବଂ ଏଥିପାଇଁ ତାଙ୍କୁ ରେଡ୍ କାର୍ଡ ଦିଆଯାଇଥିଲା ବୋଲି ଜଣାପଡ଼ିଛି। ଏହାସତ୍ତ୍ୱେ ମଧ୍ୟ ଲାଖ କିଭଳି ଘରେ ପ୍ରସବ ହେଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଏଥିସହିତ, ଏହା ସ୍ୱାସ୍ଥ୍ୟ ବିଭାଗ ଅବହେଳାକୁ ସ୍ପଷ୍ଟ କରିଛି।
ପୂର୍ବରୁ ଲାଖଙ୍କ ୪ ସନ୍ତାନ ଥିଲେ। ସେଥିମଧ୍ୟରୁ ଗୋଟିଏ ଛୁଆ ଦିବ୍ୟାଙ୍ଗ। ବଡ଼ଝିଅକୁ ୮ ବର୍ଷ ହେଉଥିବା ବେଳେ ଦ୍ୱିତୀୟ ଝିଅକୁ ୬ ଓ ତୃତୀୟ ଝିଅକୁ ୨ ବର୍ଷ ହେଉଛି। ୪ ବର୍ଷର ପୁଅ ଟିଏ ମଧ୍ୟ ରହିଛି। ଏବେ ୬ ସନ୍ତାନକୁ କିଭଳି ଲାଳନପାଳନ କରିବେ ବାପା ଚିନ୍ତାରେ ପଡ଼ିଛନ୍ତି। ଏହି ଖବର ଅଞ୍ଚଳରେ ପ୍ରଚାର ହେବା ପରେ ଜିଲ୍ଲା ପ୍ରଶାସନ ତାଙ୍କ ଘରେ ପହଞ୍ଚି ଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶିଶୁ ସୁରକ୍ଷା ସମିତିର ଏକ ଟିମ୍ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ କୁଲାନାଳ ଗାଁର ଗଦା ମାଝୀଙ୍କ ପହଞ୍ଚିଥିଲେ। ଆଲୋଚନା ପରେ ଦୁଇ ନବଜାତଙ୍କୁ ଜିଲ୍ଲା ଶିଶୁ ସମିତିରେ ଉପସ୍ଥାନ କରାଯାଇ ଥିଲା। ସରକାରଙ୍କ ନିୟମ ଅନୁଯାୟୀ ଗଦା ଦୁଇ ଶିଶୁଙ୍କ ଦାୟିତ୍ୱ ଦେବାକୁ ସମିତିକୁ ଲିଖିତ ଅନୁରୋଧ କରିବାପରେ ତାଙ୍କ ଯାଆଁଳା ସନ୍ତାନ ପୁଅ-ଝିଅର ଦାୟିତ୍ୱ ଗ୍ରହଣ କରାଯାଇଛି।