ସ୍ୱାସ୍ଥ୍ୟ ସମ୍ପଦ ପ୍ରତି ଯତ୍ନବାନ ହେବା ଉଚିତ: ମନ୍ତ୍ରୀ

ରାଜ୍ୟସ୍ତରୀୟ ସମନ୍ବିତ ସର୍ବେକ୍ଷଣ ଅଭିଯାନ-୨୦୨୪ର ଶୁଭାରମ୍ଭ

ବ୍ରହ୍ମପୁର: ରାଜ୍ୟରେ ଆଜି ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଛି ସମନ୍ବିତ ସର୍ବେକ୍ଷଣ ଅଭିଯାନ-୨୦୨୪। ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁରସ୍ଥିତ ଡାଇମଣ୍ଡ ଜୁବୁଲି ଟାଉନ୍‌ ହଲ୍‌ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମନ୍ତ୍ରୀ ଡ. ମହାଲିଙ୍ଗ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’, ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ। ସମନ୍ବିତ ସର୍ବେକ୍ଷଣ ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆବାହକତ୍ୱରେ ହେଉଥିବା ବେଳେ ଏହା ଲୋକଙ୍କୁ ଡାଇରିଆ, ଡେଙ୍ଗୁ, ଟିବି, କୁଷ୍ଠ, ଯକ୍ଷ୍ମା ଭଳି ମାରାତ୍ମକ ରୋଗ ବିଷୟରେ ସଚେତନ କରାଇବ। ନିଜେ ନିଜର ଉତ୍ତରଦାୟିତ୍ବ ନେଲେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିବ ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ କହିଥିଲେ। ଚଳିତବର୍ଷ ହେପାଟାଇଟିସ- ବି ପାଇଁ ପରୀକ୍ଷା କରାଯାଇ ନ ଥିବା ଗର୍ଭବତୀଙ୍କୁ ଏହି ଅଭିଯାନରେ ସାମିଲ କରାଯାଇଛି। ଏହି ଅଭିଯାନ ଆଜିଠାରୁ ଆରମ୍ଭ ହୋଇ ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ଦୁଇମାସ ଧରି ଜାରି ରହିବ ବୋଲି ମନ୍ତ୍ରୀ କହିଛନ୍ତି।

ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସମସ୍ତ ପରିବାରକୁ ଆଶାକର୍ମୀମାନେ ପରିଦର୍ଶନ କରି ଓଆର୍‌ଏସ୍, ଜିଙ୍କ୍‌ର ବ୍ୟବହାର, ଶୌଚାଳୟ ବ୍ୟବହାର, ହାତକୁ ସାବୁନ୍‌ରେ ଭଲଭାବେ ଧୋଇବା ସଂପର୍କରେ ସଚେତନ କରାଇବେ। ଜିଙ୍କ୍‌, ଓଆର୍‌ଏସ୍, ଆର୍‌ଡିଟି ଭଳି ସାମଗ୍ରୀ ମହଜୁଦ ରଖିବା ପାଇଁ ଇଣ୍ଟିଗ୍ରେଟେଡ୍‌ ଆଇଇସି କର୍ଣ୍ଣର ସେଟଅପ୍ କରାଯିବ ଏବଂ ନିୟନ୍ତ୍ରଣ ଷ୍ଟକ ସହ ପ୍ରଦର୍ଶିତ ହେବ। ଏହି ଅଭିଯାନ ୨୦୧୪ରୁ ଚାଲିଆସୁଛି ଏବଂ ପ୍ରାୟ ୮, ୩୮, ୦୦୦ ପରିବାର ଓ ପ୍ରାୟ ୫୦୮୬ ଜଣ ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁ ଅଭିଯାନରେ ସାମିଲ ହୋଇ ସୁଫଳ ପାଇଥିବା ସୂଚନା ଦେଇଛନ୍ତି। ମ୍ୟାଲେରିଆ ଓ ଡେଙ୍ଗୁ ରୋଗୀ ଚିହ୍ନଟ ନିମନ୍ତେ ପ୍ରାୟ ୨୫,୬୪୦ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଟିବି ନିମନ୍ତେ ୨୫୯୧ଟି ଓ ୧୯୯୪ଟି କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରାଯାଇ ତଦନୁସାରେ ପଦକ୍ଷେପ ନିଆଯାଇଛି। ସମ୍ମାନିତ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଚଳିତ ବର୍ଷ ଏହି ଅଭିଯାନ ସଫଳତାର ସହ କାର୍ଯ୍ୟକାରୀ ହେବ ଏବଂ ମିଳିମିଶି ସମସ୍ତେ ଏହାର ଲକ୍ଷ୍ୟ ହାସଲ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି।

ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସୋରଡ଼‌ା ବିଧାୟକ ନୀଳମଣି ବିଶୋୟୀ, ମେୟର ସଂଘମିତ୍ରା ଦଳେଇ, ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଉପଜିଲ୍ଲାପାଳ ଧୀନା ଦସ୍ତାଗିର୍‌, ବିଏମ୍‌ସି କମିସନର ଭବାନୀପ୍ରସାଦ ମିଶ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର, ସାଂସଦ ପ୍ରତିନିଧି ଡା. ସୁବାସ ସାହୁ, ଡିପିଏମ୍‌ ଶ୍ୟାମସୁନ୍ଦର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଏକ ସଚେତନତା ରଥକୁ ଅତିଥିମାନେ ଶୁଭାରମ୍ଭ କରିବା ସହ କିଛି ହିତାଧିକାରୀଙ୍କୁ ପୁଷ୍ଟିକର ଖାଦ୍ୟ ଓ ଏମ୍‌ଡିଡି କିଟ୍‌ ପ୍ରଦାନ କରିଥିଲେ। ଏଡିପିଏମ୍‌ ଶକ୍ତିପ୍ରସାଦ ଦିଗାଲଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ଆଶା ଓ ଏଏନ୍‌ଏମ୍‌ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର