ଭୁବନେଶ୍ବର : ବିଭିନ୍ନ ଯୋଜନା ଅଧୀନରେ ପାରାମେଡିକ କର୍ମଚାରୀ ନିଯୁକ୍ତି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ତେବେ କିଛି କର୍ମଚାରୀ ଆଉଟସୋର୍ସିଂ କର୍ମଚାରୀଙ୍କ ନିଯୁକ୍ତି ପାଇଁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଛି। ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ। ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ଆଉଟସୋର୍ସିଂ କର୍ମଚାରୀ ନିଯୁକ୍ତିରେ ସ୍ବଚ୍ଛତା ବଜାୟ ରଖିବା ଲାଗି ସବୁ ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।

Advertisment

ବିଭାଗ ପକ୍ଷରୁ କୁହାଯାଇଛି ଯେ ନିୟମିତ ପଦବିରେ କର୍ମଚାରୀ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ଆଉଟସୋର୍ସିଂ ଜରିଆରେ କର୍ମଚାରୀ ନିଯୁକ୍ତିକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏଥିପାଇଁ ଜାରି ନିର୍ଦେଶାବଳୀରେ ନିଯୁକ୍ତି ବେଳେ ସ୍ବଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି। ମାତ୍ର କିଛି କର୍ମଚାରୀ ଏଥିପାଇଁ ଟଙ୍କା ଆଦାୟରେ ଲିପ୍ତ ରହିବା ଅଭିଯୋଗ ଆସିବା ପରେ ସବୁ ଜିଲ୍ଲା ଏହା ଉପରେ ସତର୍କ ଦୃଷ୍ଟି ରଖିବା ଜରୁରୀ ହୋଇ ପଡ଼ିଛି। ‌ଆଉଟସୋର୍ସିଂ କର୍ମଚାରୀ ନିଯୁକ୍ତି ସମୟରେ ଯେପରି କୌଣସି ଅଭିଯୋଗ ନ ଆସିବ ସେଥିପ୍ରତି ଦୃଷ୍ଟି ଦେବାକୁ ସବୁ ସିଡିଏମ୍‌ଓଙ୍କୁ ନିର୍ଦେଶ ଦିଆଯାଇଛି।