ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ମାମଲା : ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ

କଟକ : ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ପଦ ପୂରଣ ସହିତ ଭିତ୍ତିଭୂମିର ବିକାଶ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଦୁଇ ସପ୍ତାହ ଭିତରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଡାକ୍ତର ପଦବି ପୂରଣ ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପ୍ରସଂଗରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଜବାବ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ସମୟ ଲୋଡା ଯାଇଥିବା ବେଳେ ଆବେଦନକାରୀ ଶ୍ରୀ ମହାପାତ୍ର ଏହାକୁ ବିରୋଧ କରି ଦର୍ଶାଇଥିଲେ ଯେ ବହୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଏହି ପ୍ରସଂଗରେ ସରକାର ତୁରନ୍ତ ପଦକ୍ଷେପ ନେବା ଜରୁରି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ଡାକ୍ତର ପଦବି ପୂରଣ ଓ ଭିିଭୂମୀର ଉନ୍ନତିକରଣ ପାଇଁ ୨୦୧୦ ମସିହାରେ ଆଇନଜୀବୀ ଶ୍ରୀ ମହାପାତ୍ର ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ମାମଲାର ଚୂଡାନ୍ତ ଶୁଣାଣି କରି ଏହି ପ୍ରସଂଗରେ ୬ ସପ୍ତାହ ଭିିତରେ ପଦକ୍ଷେପ ନେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ରାଜ୍ୟ ସରକାରଙ୍କୁ ଏହି ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୧୨ରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ କିନ୍ତୁ ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ କରାଯାଇ ନଥିଲା।

ଅନ୍ୟପକ୍ଷରେ ଏହି ପ୍ରସଂଗରେ ପଦକ୍ଷେପ ନିଆଯାଉଛି ବୋଲି ଦର୍ଶାଇ ସରକାର ଦୁଇଟି ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟ ସୀମା ଭିତରେ ସରକାର କିଛି ଠୋସ୍‌ ପଦକ୍ଷେପ ନେଇ ନଥିଲେ। ଏହା ପରେ ଶ୍ରୀ ମହାପାତ୍ର ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଏହି ମାମଲାରେ ତତ୍କାଳୀନ ସ୍ୱାସ୍ଥ୍ୟ ସଚିବ ପି.କେ.ମହାପାତ୍ର ସତ୍ୟପାଠ ଦାଖଲ କରି ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଡାକ୍ତର ପଦବି ପୂରଣ ନେଇ ପ୍ରକ୍ରିୟା ଜାରି ରହିଛି ବୋଲି ଦର୍ଶାଇଥିଲେ। ଅନ୍ୟପକ୍ଷରେ ଏବେ ବି ବହୁ ଡାକ୍ତର ପଦବି ଖାଲି ପଡିଛି ଓ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ଭିତ୍ତିଭୂମି ବିକାଶ କରାଯାଇ ନାହିଁ ବୋଲି ଆବେଦନକାରୀ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର