ବିଗୁଡ଼ୁଛି ରାୟଗଡ଼ାରେ ସ୍ୱାସ୍ଥ୍ୟସେବା : ମୁନିଗୁଡ଼ାରେ ଡେଙ୍ଗୁ, ବାରିଝୋଲାରେ ଚିକେନଗୁନିଆ, ଓଡ଼ୁଗୁଡ଼ାରେ କରୋନା

ସବୁଜ ରଙ୍ଗରୁ ହଟିଲା, ଅରେଞ୍ଜରେ ସାମିଲ୍ ହେଲା
ଅକଳରେ ସ୍ୱାସ୍ଥ୍ୟ ବିଭାଗ, ଲୋକେ ଭୟଭୀତ

ରାୟଗଡ଼ା, (ନବୀନ ଚନ୍ଦ୍ର ସାହୁ): ମୁନିଗୁଡ଼ାରେ ମଶା ହଜାଇ ଦେଇଛି ନିଦ। ଅଣାୟତ୍ତ ଡେଙ୍ଗୁ। ବାରିଝୋଲାରେ କଲବଲ କଲାଣି ଚିକେନଗୁନିଆ। ବଢ଼ୁଛନ୍ତି ରୋଗୀ, ବଢ଼ୁଛି ଟେନସନ୍। ରାୟଗଡ଼ା ଓଡ଼ୁଗୁଡ଼ାରେ ନାଲିଆଖି ଦେଖାଇଲାଣି କରୋନା। ଏକ ସମୟରେ ଡେଙ୍ଗୁ, ଚିକେନଗୁନିଆ, କରୋନା ଆକ୍ରାନ୍ତ ଚିହ୍ନଟକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ଜିଲ୍ଲାବାସୀ। ଗୋଟିଏ ପରେ ଗୋଟିଏ ରୋଗ ବ୍ୟାପିବା କାରଣରୁ ଜିଲ୍ଲାର ସ୍ବାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଥିବାରୁ ଚିନ୍ତାରେ ପଡ଼ିଛି ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ।

The Scientist Magazine

କୋଭିଡ଼୍ ମୁକାବିଲା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ୪ଟି ପର୍ଯ୍ୟାୟ ଲକଡାଉନରେ ଗ୍ରିନ୍ ଜୋନରେ ଥିଲା ରାୟଗଡ଼ା। ରାଜ୍ୟର ଏକ ମାତ୍ର ଜିଲ୍ଲା ଭାବେ ରାୟଗଡ଼ାକୁ କରୋନା ଛୁଇଁ ପାରିନଥିବାରୁ ଜିଲ୍ଲାବାସୀ ବେଶ୍ ଖୁସି ଥିଲେ। ଲକଡାଉନ୍ କୋହଳ ପରେ ପ୍ରବାସୀ ଓଡ଼ିଆ ଘରମୁହାଁ ହେବା ପରେ ଗ୍ରିନ୍ ଜୋନ୍ ରାୟଗଡ଼ାରେ ଗତକାଲି ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗ୍ରିନ୍ ଜୋନରୁ ରାୟଗଡ଼ା ଅରେଞ୍ଜ ଜୋନକୁ ଆସିବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ, ପୁଲିସ୍ ଓ ସ୍ବାସ୍ଥ୍ୟ ବିଭାଗ। ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ହୋଇଥିବାରୁ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରିବା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ସେପଟେ ମୁନିଗୁଡ଼ାରେ ନିଦ ହଜାଇ ଦେଇଛି ମଶା। ଟିକରପଡ଼ା ଗାଁ ଡେଙ୍ଗୁ ହଟସ୍ପଟ୍ ଭାବେ ଚିହ୍ନଟ ହୋଇଛି। ଗାଁର ୪୨ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ବେସରକାରୀ ଭାବେ ଗତ ୨ ମାସରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଟିକରପଡ଼ା ସମେତ ସାରା ରାୟଗଡ଼ା ସହର, ବିଷମକଟକ ବ୍ଲକର ହଜାରୀଡାଙ୍ଗ, ଟାଙ୍ଗଣାପଦର, ରାୟଗଡ଼ା ବ୍ଲକର ମାଲିଗାଁରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ମୋଟ ଜିଲ୍ଲାରେ ୮୧ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗ ଅକଳରେ ପଡ଼ିଛି।

nationalpoliticalmirror.com

କରୋନା ମୁକାବିଲା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚ୍ୟାଲେଞ୍ଜ ସଦୃଶ୍ୟ ହୋଇଥିବା ବେଳେ ୟା, ଭିତରେ ଡେଙ୍ଗୁ ନିଦ ହଜାଇ ଦେଇଛି। ଟିକରପଡ଼ାରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ମୁତୟନ ସହ ଉଚ୍ଚ ପଦସ୍ତ ଅଧିକାରୀଙ୍କ ଘନ ଘନ ଗସ୍ତ ପରେ ସ୍ଥିତିରେ ସୁଧାର ଆସୁଥିବା ବେଳେ ବାରିଝୋଲାରେ ଚିକେନଗୁନିଆ ଆତଙ୍କ ସ୍ୱାସ୍ଥ୍ୟ ବିଭାଗର ହୋସ୍ ଉଡ଼ାଇ ଦେଇଛି। ଗତ ୨୨ ଦିନରେ ବାରିଝୋଲାରେ ୮୨ ଜଣ ଜ୍ୱର, ଆଣ୍ଠୁଗଣ୍ଠି ବ୍ୟଥା, ବାନ୍ତି, ଝାଡ଼ାରେ ଆକ୍ରାନ୍ତ ହୋଇଥିବା ବେଳେ ପରୀକ୍ଷା ପାଇଁ ଯାଇଥିବା ୧୫ ରକ୍ତ ନମୁନାରୁ ୨ ଜଣଙ୍କ ରକ୍ତ ନମୁନାରେ ଚିକେନଗୁନିଆ ଚିହ୍ନଟ ହୋଇଛି। ସଂଖ୍ୟା ଆଗକୁ ବଢ଼ିବା ସମ୍ଭାବନା ଥିବାରୁ ସ୍ଥିତି ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ମୋବାଇଲ୍ ହେଲଥ୍ ୟୁନିଟ ଆଜିଠୁ ୧୪ ଦିନ ପର୍ଯ୍ୟନ୍ତ ଗାଁରେ ମୁତୟନ କରାଯାଇଛି। ଏହି ଗାଁରେ ରହୁଥିବା ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ବର, ଆଶା, ଅଙ୍ଗନବାଡ଼ିକର୍ମୀ ରୋଗରେ ଆକ୍ରାନ୍ତ ହେବା ପରେ କାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ରୋଗର ମୁକାବିଲା କରିବ ତାକୁ ନେଇ ଚିନ୍ତାରେ ପଡ଼ିଛି। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ମଶା ବଂଶ ରୋଗୀଙ୍କୁ କଲବଲ କରୁଥିବାରୁ ଗ୍ରାମର ୨୪୬ ପରିବାରକୁ ମଶାରୀ ବାଣ୍ଟିଛି ସ୍ୱାସ୍ଥ୍ୟ ବିଭାଗ। କିନ୍ତୁ ପାଣି ସମସ୍ୟା ଏଯାବତ୍ ଦୂର ହୋଇ ପାରିନି। ଯାହା ରୋଗ ବ୍ୟାପିବାର ମୂଳ କାରଣ ପାଲଟିଛି। ଆକ୍ରାନ୍ତଙ୍କ ସଂଖ୍ୟାରେ ସ୍ଥିରତା ଆଣିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବି. ଲକ୍ଷ୍ମୀ ନାରାୟଣ ପୃଷ୍ଟିଙ୍କ ତତ୍ତ୍ବାବଧାନରେ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ପଦକ୍ଷେପ ନିଆଯାଇଛି। ତେବେ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ ଜିଲ୍ଲାବାସୀଙ୍କ ପାଇଁ କେତେ ସହାୟକ ହେଉଛି ତାହା ସମୟ କହିବ।

ସମ୍ବନ୍ଧିତ ଖବର