‘ବାତ୍ୟା ଅଞ୍ଚଳରେ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦିଆଯାଉଛି’

୨ମାସରେ ପୁରୀ ଜିଲ୍ଳାରେ ବଣ୍ଟାଯିବ ୨୪ଲକ୍ଷ ସାନିଟାରି ନାପକିନ୍, ବିଦ୍ୟୁତ ସଂଯୋଗ ବଢ଼ୁଛି, ବ୍ୟାଙ୍କ, ଏଟିଏମ୍ ସେବା ସୁଧୁରୁଛି, ୯୪% ହିତାଧିକାରୀଙ୍କୁ ନଗଦ ଅର୍ଥ ରିଲିଫ ଆକାରରେ ଦିଆଗଲାଣି

ଭୁବନେଶ୍ବର : ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନଃସଂସ୍ଥାପନ ଏବଂ ରିଲିଫ ବିତରଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଥିଲେ ହେଁ ଏଠାରେ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦିଆଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ତଥା ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିସନ୍‌ର ରାଜ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି।

ଆଜି ଜୟଦେବ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ, ବାତ୍ୟା ପରେ ଝାଡ଼ାବାନ୍ତି ଏବଂ ଜଳବାହିତ ରୋଗ ହେବାର ସମ୍ଭାବନା ଥିବାରୁ ଏଠାରେ ଆଶାକର୍ମୀଙ୍କ ଦ୍ବାରା କ୍ଲୋରିନ୍ ଓ ହାଲୋଜେନ୍ ବଟିକା ବଣ୍ଟାଯାଉଛି। ସବୁ ଅଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବାକୁ ଚେଷ୍ଟା ଚାଲିଛି।

ବାତ୍ୟା ପ୍ରଭାବିତ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ବ ଦିଆଯାଉଥିବାବେଳେ ପୁରୀ ଜିଲ୍ଲାରେ ଅଧିକ ପ୍ରଭାବିତ ପୁରୀ, ଗୋପ, କଣାସ, ସତ୍ୟବାଦୀ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ବ୍ଳକ ଉପରେ ସ୍ବତନ୍ତ୍ର ଧ୍ୟାନ ରଖାଯାଇଛି। ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରକୁ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇଛି। ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ ପୁରୀ ଜିଲ୍ଲାର ସବୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଖୋର୍ଦ୍ଧା ଜିଲ୍ଲାର ୧୨ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ୧୧ଟିରେ ଜଳ ଯୋଗାଣ ସ୍ବାଭାବିକ ହୋଇଛି।ପ୍ରଭାବିତ ଅଞ୍ଚଳରେ ୧୨୦ଟି ଭ୍ରାମ୍ୟମାଣ ଡାକ୍ତରୀ ଦଳ ଓ ୪୬ଟି ଡାକ୍ତରୀ ରିଲିଫ ଶିବିର କାର୍ଯ୍ୟ କରୁଛି।

ଆସନ୍ତା ୨ମାସରେ ପୁରୀ ଜିଲ୍ଲାରେ କିଶୋରୀ ତଥା ମହିଳାମାନଙ୍କୁ ୨୪ଲକ୍ଷ ସାନିଟାରି ନାପକିନ୍ ମାଗଣାରେ ଯୋଗାଇ ଦିଆଯିବ। ଗାଁ କଲ୍ୟାଣ ସମିତିଗୁଡ଼ିକୁ ୧୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାିଛି। କୌଣସି ଅଞ୍ଚଳରେ ସଂକ୍ରମଣ ଜନିତ ରୋଗ ବ୍ୟାପି ନଥିବାବେଳେ ଏହା ଯେପରି ଆଗାମୀ ଦିନରେ ନବ୍ୟାପିବ ସେଥିପ୍ରତି ଧ୍ୟାନ ଦିଆଯାଉଛି ବୋଲି କୁହାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ‌େଲାକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ କହିଛନ୍ତି ଯେ, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାର ସମୁଦାୟ ୨୩୬୪ଟି ଗ୍ରାମୀଣ ପାନୀୟ ଜଳଯୋଗାଣ ବ୍ୟବସ୍ଥା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୨୯୪ଟିକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ପୁରୀ ଜିଲ୍ଲାର ଅତ୍ୟଧିକ କ୍ଷତିଗ୍ରସ୍ତ ବ୍ରହ୍ମଗିରି ଓ କାକଟପୁର ବ୍ୟତୀତ ଅନ୍ୟ ସମସ୍ତ ବ୍ଳକରେ ୨୮୭ଟି ପାଇପ ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ପୁରୀ ଜିଲ୍ଲାରେ ୨୮୬ଟି ଟ୍ୟାଙ୍କର ମାଧ୍ୟମରେ ଦିନକୁ ଦୁଇଥର ୫.୭୨ଲକ୍ଷ ଲିଟର ପାନୀୟ ଜଳ ଯୋଗାଇ ଦିଆଯାଉଛି।

ବିଦ୍ୟୁତ ସଂଯୋଗୀକରଣ କ୍ଷେତ୍ରରେ କଟକ ସିଡିଡି-୧ ଡିଭିଜନ ଡିଭିଜନରେ ଥିବା ସମସ୍ତ ୭୧,୮୬୭ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ଦିଆଯାଇଥିବାବେଳେ ସିଡିଡି-୨ର ପ୍ରାୟ ୬୯,୦୩୧ ଉପଭୋକ୍ତାଙ୍କ ମଧ୍ୟରୁ ୫୦୦୦୦ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। କଟକ ସିଇଡି ଅନ୍ତର୍ଗତ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୯୫,୫୯୯ ଉପଭୋକ୍ତାଙ୍କ ମଧ୍ୟରୁ ୪୮,୨୩୦ଜଣଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି।

ଭୁବନେଶ୍ବରରେ ବିସିଡିଡି-୧ ଅନ୍ତର୍ଗତ ସମସ୍ତ ୫୮,୭୪୨ଜଣ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି। ବିସିଡିଡି-୨ ଅନ୍ତର୍ଗତ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୧,୪୭,୫୩୧ ଜଣ ଉପଭୋକ୍ତାଙ୍କ ମଧ୍ୟରୁ ୧,୧୮,୭୭୮ଜଣଙ୍କୁ, ବିଇଡି ଅଞ୍ଚଳରେ ୧,୦୯,୯୮୪ ଉପଭୋକ୍ତାଙ୍କ ମଧ୍ୟରୁ ୯୩,୮୪୧ଜଣଙ୍କୁ, ବିସିଡିଡି-୨ର ୮୧% ଏବଂ ବିିଇଡିର ୮୫% ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇ ପାରିଛି। ହେଲେ ଉତ୍ତରା ଓ ବାରଙ୍ଗ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ‌ସ୍ବାଭାବିକ ହୋଇପାରିନି।

ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ୭୪%, ପୁରୀ‌ ଜିଲ୍ଲାରେ ୪୫%, କଟକ ଜିଲ୍ଲାର ୮୪% ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଛି। ସେହିପରି ଭୁବନେଶ୍ବର ସହରରେ ୭୬%, ପୁରୀ ସହରରେ ୩୮% ଓ କଟକ ସହରରେ ୮୫% ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଛି। ପୁରୀ ସହରରେ ଏବେ ୧୪ଟି କାଓ କାର୍ଯ୍ୟ କରୁଛି। ଖୋର୍ଦ୍ଧାର ୯୯ଟି ବିଏସ୍‌ଏନ୍‌ଏଲ୍ ଟେଲିଫୋନ ଏକ୍ସଚେଞ୍ଜ ମଧ୍ୟରୁ ୯୩ଟି କାର୍ଯ୍ୟକ୍ଷମ ‌ଥିବାବେଳେ ପୁରୀରେ ୪୧ଟି ବିଏସ୍‌ଏନ୍‌ଏଲ୍‌ ଟେଲିଫୋନ୍ ଏକ୍ସଚେଞ୍ଜ ମଧ୍୍ୟରୁ ୩୧ଟି ଓ କଟକର ସମସ୍ତ ୭୭ଟି ଏକ୍ସଚେଞ୍ଜ କାର୍ଯ୍ୟ କରୁଛି।

ସେହିପରି ପୁରୀରେ ୮୧.୦୮%, ଖୋର୍ଦ୍ଧାରେ ୯୭.୭୨%, କଟକରେ ୯୮.୯୮%, ଜଗତସିଂହପୁରରେ ୯୬.୩୪%, ଗଞ୍ଜାମରେ ୯୯.୫୩%, କେନ୍ଦ୍ରାପଡ଼ାରେ ଶତପ୍ରତିଶତ ବ୍ୟାଙ୍କ କାର୍ଯ୍ୟକ୍ଷମ ଥିବାବେଳେ ପୁରୀରେ ୨୭.୨୭%, ଖୋର୍ଦ୍ଧାରେ ୬୧.୭୪%, କଟକରେ ୬୭.୪୨%, ଜଗତସିଂହପୁରରେ ୭୦.୯୦%, କେନ୍ଦ୍ରାପଡ଼ାରେ ୮୦.୧୨% ଏଟିଏମ୍ କାର୍ଯ୍ୟକ୍ଷମ ହୋଇଛି।

ପ୍ରଶାସନ ପକ୍ଷରୁ ରିଲିଫ ସହାୟତା ଯୋଗା ଯାଉଥିବାବେଳେ ନଗଦ ଅର୍ଥ ଆକାରରେ ପୁରୀ ଜିଲ୍ଲାରେ ୯୧.୭%, ଖୋର୍ଦ୍ଧା ଜିଲ୍ଲାରେ ୯୩.୫%, ଜଗତସିଂହପୁର ଜିଲ୍ଲାରେ ୯୫%, କେନ୍ଦ୍ରାପଡ଼ା ଜିଲ୍ଲାରେ ୯୫.୫%, କଟକ ଜିଲ୍ଲାରେ ୯୬%, ବିଏମ୍‌ସିରେ ୮୫% ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏହିପରି ମୋଟ୍‌ ୯୪% ହିତାଧିକାରୀଙ୍କୁ ନଗଦ ଅର୍ଥ ରିଲିଫ ଆକାରରେ ଦିଆଯାଇଛି।

ଆଇଟିଆଇ ପ୍ରଶିକ୍ଷାର୍ଥୀମାନେ ଭୁବନେଶ୍ବର ଓ କଟକରେ ୨୭,୪୫୮ଘରକୁ ଯାଇ ସେବା ଯୋଗାଇଛନ୍ତି। ‌କଟକରେ ୨୬୧ଜଣ ପ୍ରଶିକ୍ଷାର୍ଥୀ ୮,୬୮୧ଟି ଘରକୁ ‌ଯାଇ ସେବା ଯୋଗାଇଥିବାବେଳେ ବାକି ପ୍ରଶିକ୍ଷାର୍ଥୀ ଭୁବନେଶ୍ବରରେ ସେବା ଯୋଗାଇଛନ୍ତି। ଆଗାମୀ ଦିନରେ ପୁରୀରେ ମଧ୍ୟ ଏହିଭଳି ସହଯୋଗ କରିବେ।

ସେହିପରି ଲୋକ ଯେପରି ନିଜ ଘରୁ ଭାଙ୍ଗି ଯାଇଥିବା ଗଛ କାଟିବାରେ କି ଏହାକୁ ସ୍ଥାନାନ୍ତର କରିବାରେ କୌଣସି ସମସ୍ୟାର ସମ୍ମୁଖୀନ ହେବେନି ସେଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଟିଟି ଅନୁମତିକୁ ସରଳୀକରଣ କରାଯାଇଛି। ଲୋକାମାନେ ଡିଏଫ୍‌ଓଙ୍କୁ ଆବେଦନ କରି ଏହି ଅନୁମତି ଯଥାସମ୍ଭବ ଶୀଘ୍ର ପାଇପାରିବେ।

ଶ୍ରୀ ସିଂହ କହିଛନ୍ତି ଯେ, ବାଲୁଖଣ୍ଡ ଅଭୟାରଣ୍ୟରେ ଆଜି ବହୁ ହରିଣଙ୍କୁ ଦେଖାଯାଇଛି। ସେମାନେ ପାଣି ପିଇବାକୁ ଆସିଥିବାବେ‌େଳ ଡ୍ରୋନ୍ କ୍ୟାମେରାରେ କଏଦ ‌େହାଇଛନ୍ତି।

ସମ୍ବନ୍ଧିତ ଖବର