ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ସ୍ବାସ୍ଥ୍ୟସେବା ଆଣ୍ଠେଇଛି। ବିଶେଷ କରି ବ୍ଲକ୍‌ଗୁଡ଼ିକର ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି। ଜିଲ୍ଲାର ପ୍ରାୟ ୬୦%ରୁ ଅଧିକ ‌ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି)ରେ ସ୍ବାସ୍ଥ୍ୟସେବା ସଙ୍ଗିନ। କେଉଁଠି ଡାକ୍ତର ଥିଲେ ଆବଶ୍ୟକ କର୍ମଚାରୀ ନାହାନ୍ତି ତ ଅନ୍ୟ କେଉଁଠି କର୍ମଚାରୀ ଥିଲେ ଡାକ୍ତର ନାହାନ୍ତି। ଉପାନ୍ତ ବ୍ଲକ୍‌ଗୁଡିକରେ ସ୍ଥିତି ଆହୁରି ଖରାପ। ଏସବୁ ସିଏଚ୍‌ସି ଓ ପିଏଚ୍‌ସିରୁ ରୋଗୀମାନେ ମୁହଁ ଫେରାଇ ନେଉଛନ୍ତି। କାଁ ଭାଁ କିଛି ରୋଗୀ ଆସୁଥିବା ଦେଖିବାକୁ ମିଳୁଛି।

Advertisment

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ସୁନ୍ଦରଗଡ଼ରେ ୧୭ ବ୍ଲକ୍‌ରେ ୧୭ଟି ସିଏଚ୍‌ସି ଓ ୬୦ଟି ପିଏଚ୍‌ସି ରହିଛି। ଉଭୟ ସିଏଚ୍‌ସି ଓ ପିଏଚ୍‌ସିରେ ୬୯୯ ନର୍ସିଂ ଅଧିକାରୀ ରହିବା ଦରକାର। ହେଲେ ଅଛନ୍ତି ମାତ୍ର ୨୩୪ । ବର୍ତ୍ତମାନ ସୁଦ୍ଧା ୪୬୫ ନର୍ସିଂ ଅଧିକାରୀ ପଦବି ଖାଲି ପଡ଼ିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅନୁମତି ପରେ ଖାଲି ପଡ଼ିଥିବା ପଦବି ପୂରଣ ହେବ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ମାତ୍ର କେବେ ପୂରଣ ହେବ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ଏଥିରୁ ସୁନ୍ଦରଗଡ଼ର ସ୍ବାସ୍ଥ୍ୟସେବାକୁ ରାଜ୍ୟ ସରକାର କେତେ ଗୁରୁତ୍ବ ଦେଉଛନ୍ତି, ଖାଲିପଡ଼ିଥିବା ପଦବିରୁ ସ୍ପଷ୍ଟ ବାରି ହୋଇପଡୁଛି। ଗୁରୁଣ୍ଡିଆ, କୋଇଡ଼ା, ନୂଆଗାଁ, ହେମଗିରି, ଟାଙ୍ଗରପାଲି, ବାଲିଶଙ୍କରା, ଲହୁଣିପଡ଼ା, ବିଶ୍ରା, କୁଆରମୁଣ୍ଡା ଆଦି ବ୍ଲକ୍‌ରେ ଥିବା ସିଏଚ୍‌ସି ଓ ପିଏଚ୍‌ସିରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନାହାନ୍ତି। ଏସବୁ ଅଞ୍ଚଳର ଦୈନିକ ଶତାଧିକ ରୋଗୀ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ ଆର୍‌ଜିଏଚ୍‌କୁ ଆସିବାକୁ ବାଧ୍ୟ ହେଉଛନ୍ତି।

ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଆବଶ୍ୟକ ଶଯ୍ୟା ନାହିଁ। ଗତ ୪ ବର୍ଷ ତଳେ ଅର୍ଥାତ୍‌ ୨୦୧୯ରେ ଆର୍‌ଜିଏଚ୍‌କୁ ୪୦୦ ଶଯ୍ୟା ଡାକ୍ତରଖାନା ଘୋଷଣା କରାଗଲା। ଏ ସମ୍ପର୍କିତ ଚିଠି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆର୍‌ଜିଏଚ୍‌ ନିର୍ଦ୍ଦେଶକଙ୍କ ପାଖକୁ ଆସିଲା। କିନ୍ତୁ ଆଜି ଯାଏଁ ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାଣିଚାଏ ପଦକ୍ଷେପ ନିଆଗଲା ନାହିଁ। ଆଶ୍ଚର୍ଯ୍ୟ କଥା, ସିଏମ୍‌ଓ ଅଫିସ୍‌ରୁ ଯେଉଁ ଚିଠି ଆସିଛି, ସେଥିରେ ଚିଠିର ଇସ୍ୟୁ ନମ୍ବର ନାହିଁ କି କୌଣସି ଅଧିକାରୀଙ୍କ ଦସ୍ତଖତ ନାହିଁ। ୨୭୬ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ଦୈନିକ ଅନ୍ତଃବିଭାଗରେ ଭର୍ତ୍ତି ହେଉଛନ୍ତି ୩୮୦ ରୁ ୪୦୦ ‌ ରୋଗୀ। ବେଡ୍‌ ନଥିବାରୁ କିଛି ରୋଗୀ ବାରଣ୍ଡାରେ ତ ଅନ୍ୟ କିଛି ବେଡ୍‌ ତଳ ଚଟଣାରେ ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲର ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଏମ୍‌ଆର୍‌ଡି (ମେଡିକାଲ୍‌ ରେକର୍ଡ ଡିପାର୍ଟମେଣ୍ଟ)ରେ କାଗଜପତ୍ରଗୁଡ଼ିକ ଠିକ୍‌ ଭାବେ ଦେଖାରେଖା କରାଯାଇପାରୁ ନାହିଁ। ଡାକ୍ତର ଓ କର୍ମଚାରୀଙ୍କ ପାଇଁ ରହିଛି ମାତ୍ର ୧୬ଟି ସରକାରୀ କ୍ବାର୍ଟର୍ସ। ୬୬ ଡାକ୍ତରଙ୍କୁ ମାତ୍ର ୬ଟି ଓ ୨୦୦ରୁ ଅଧିକ କର୍ମଚାରୀଙ୍କ ପାଇଁ ରହିଛି ୧୦ଟି କ୍ବାର୍ଟର୍ସ।