ଭୁବନେଶ୍ବର: ଆସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ବର୍ତ୍ତମାନ ସୁଦ୍ଧା ନର୍ସିଂ କର୍ମଚାରୀମାନେ ଜରୁରୀ ସ୍ବାସ୍ଥ୍ୟସେବା ଜାରି ରଖିଥିବା ବେଳେ ଆସନ୍ତାକାଲିଠାରୁ ଏହାକୁ ବନ୍ଦ କରିଦେବେ। ରୋଗୀଙ୍କୁ ଇଞ୍ଜେକ୍ସନ୍ ଦେବା ଲାଗି ପାଖରେ ନର୍ସଙ୍କୁ ଖୋଜିଲେ ମଧ୍ୟ ମିଳିବେ ନାହିଁ। ରାତି ପାହିଲେ ରାଜ୍ୟବ୍ୟାପୀ ସରକାରୀ ସ୍ବାସ୍ଥ୍ୟସେବା ସଂପୂର୍ଣ୍ଣଭାବେ ଭୁଶୁଡ଼ି ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନକୁ ରୋକିବା ପାଇଁ ରାଜ୍ୟ ସରକାର ଏସ୍ମା ଲାଗୁ କରିଛନ୍ତି। ମାତ୍ର ଏହାକୁ ଖାତିର ନ କରି ନର୍ସିଂ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କ’ଣ ବିକଳ୍ପ ବ୍ୟବସ୍ଥା କରାଯାଇଛି ତାହା ସଂପର୍କରେ କୌଣସି ସୂଚନା ଦିଆଯାଇନାହିଁ। ତେଣୁ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରାଜ୍ୟବାସୀଙ୍କ ନଜର ରହିଛି।
୧୦ ଦଫା ଦାବି ନେଇ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଗତ ୨ଦିନ ହେବ ପୁନର୍ବାର ଆନ୍ଦୋଳନ ଜାରି ରଖିଛି। ଗତକାଲି ରାଜ୍ୟ ସରକାରଙ୍କ ସହ ସଂଘର ଆଲୋଚନା ହୋଇଥିଲା, ଏଥିରେ କୌଣସି ସମାଧାନର ରାସ୍ତା ବାହାରିପାରିଲା ନାହିଁ। ଦାବି ସମାଧାନ ଦିଗରେ ସରକାରୀ ସ୍ତରରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ସଂଘ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ହେଲେ ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ସଂଘର ସାଧାରଣ ସଂପାଦକ ଅଶ୍ବିନୀ କୁମାର ଦାସ କହିଛନ୍ତି, ଆସନ୍ତାକାଲିଠାରୁ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ। ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଆଲୋଚନା କରାଯାଇନାହିଁ। ତେଣୁ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।
ଆନ୍ଦୋଳନ ସଂପର୍କରେ କିଛି ମତ ଦେଇପାରିବିନି: ନର୍ସିଂ ନିର୍ଦ୍ଦେଶକ
ରାଜ୍ୟରେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ଦେଖାଦେଇଛି। ଏଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ସଂଘ ଅଧୀନରେ ନ ଥିବା ଆଉଟସୋର୍ସିଂ ନର୍ସିଂ କର୍ମଚାରୀଙ୍କ ସମେତ କିଛି ନର୍ସିଂ କଲେଜକୁ ରୋଗୀ ସେବା ପାଇଁ ଅନୁରୋଧ କରାଯାଇଛି। ଆନ୍ଦୋଳନରତ ନର୍ସିଂ କର୍ମଚାରୀମାନେ ପ୍ରଥମେ ରୋଗୀ ସେବାରେ ସାମିଲ ହୋଇ ପରେ ଆନ୍ଦୋଳନକୁ ଯାଉଛନ୍ତି। ମାତ୍ର ଆସନ୍ତାକାଲି ସଂପର୍କରେ କିଛି କହି ହେବନାହିଁ ବୋଲି ହସ୍ପିଟାଲର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ଆସନ୍ତାକାଲିର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସଂଘ ପକ୍ଷରୁ ଏକ ଜରୁରିକାଳୀନ ବୈଠକ ଡକାଯାଇଛି। ଅନ୍ଲାଇନ୍ ଜରିଆରେ ରାଜ୍ୟବ୍ୟାପୀ ସଂଘର କର୍ମକର୍ତ୍ତା ଏଥିରେ ଯୋଡ଼ି ହୋଇଛନ୍ତି। ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତାହା ଉପରେ ଆଲୋଚନା ଜାରି ରହିଛି। ବିଳମ୍ବିତ ରାତିରେ କିଛି ନିଷ୍ପତ୍ତି ହୋଇପାରେ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି। ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ସଂପର୍କରେ ରାଜ୍ୟ ନର୍ସିଂ ନିର୍ଦ୍ଦେଶକ ଡା. ଆର୍ତ୍ତବନ୍ଧୁ ନାୟକଙ୍କୁ ପଚରାଯାଇଥିଲା। ଡା. ନାୟକ କହିଥିଲେ, ମୋତେ ଏ ବିଷୟରେ କିଛି ପଚାରନ୍ତୁ ନାହିଁ। ବର୍ତ୍ତମାନ ମୁଁ କିଛି କହିପାରିବି ନାହିଁ।
ଗଠନ ହେବ ଅନ୍ତଃ ବିଭାଗୀୟ କମିଟି, ଆନ୍ଦୋଳନରୁ ଓହରିବା ଲାଗି ସରକାରଙ୍କ ନିବେଦନ
ଭୁବନେଶ୍ବର: ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଦାବି ଉପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଲୋଚନା କରାଯାଇଛି। ସରକାର ପରିସ୍ଥିତିର ଅନୁଧ୍ୟାନ କରି ସଂଘ ଦ୍ୱାରା ଉଠାଯାଇଥିବା ବିଭିନ୍ନ ଦାବି ଉପରେ ବିଚାର ଆଲୋଚନା କରିବା ପାଇଁ ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଆନ୍ଦୋଳନକାରୀ ନର୍ସିଂ ଅଫିସରମାନେ ଆନ୍ଦୋଳନ ପଥରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/0ety8lGEUmmb4DtayDK8.jpg)