ରାଉରକେଲା: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପରି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ଗୁରୁତ୍ବ ଦିଆଯାଉନି। ଗତ ୨୦୧୯ରେ ୫ଟି ସଚିବ ଆର୍‌ଜିଏଚ୍‌ ପରିଦର୍ଶନ ଆସିଥିଲେ। ଡାକ୍ତରଖାନାକୁ ୪୦୦ ଶଯ୍ୟା ଘୋଷଣା କରିଥିଲେ। ଏ ସମ୍ପର୍କିତ ଚିଠି ମଧ୍ୟ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲା।
ହେଲେ ଚିଠିରେ ଇସ୍ୟୁ ନମ୍ବର ନାହିଁ କି କୌଣସି ସ୍ବାସ୍ଥ୍ୟ ଅଧିକାରୀଙ୍କ ଦସ୍ତଖତ ନାହିଁ। ଉକ୍ତ ଚିଠି ଆଧାରରେ ୨୭୬ ଶଯ୍ୟା କ୍ଷମତା ବିଶିଷ୍ଟ ଆର୍‌ଜିଏଚ୍‌ର ଶଯ୍ୟା ସଂଖ୍ୟା ୪୦୦କୁ ବଢ଼ାଇ ଦିଆଯାଇଛି ସତ। ହେଲେ ସେଥି ପାଇଁ ଅନ୍ୟାନ୍ୟ ଆନୁସଂଗିକ ବ୍ୟବସ୍ଥା କରାଗଲା ନାହିଁ। ତେଣୁ ୪୦୦ ରୋଗୀଙ୍କୁ ସେବା ଦେବାର କ୍ଷମତା ବର୍ତ୍ତମାନର ଆର୍‌ଜିଏଚ୍‌ ପାଖରେ ନାହିଁ। ହେଲେ ଏହି ୪୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଅନ୍ତଃବିଭାଗରେ ଦୈନିକ ୫୫୦ରୁ ୬୦୦ ରୋଗୀ ଚିକିତ୍ସିତ ହେଉଛନ୍ତି। ଶଯ୍ୟା ଅଭାବରୁ ବହୁ ରୋଗୀ ଚଟାଣରେ ଗଡ଼ୁଛନ୍ତି।

Advertisment

କେତେକ ବାରଣ୍ଡାରେ ତ ଆଉ କିଛି ରୋଗୀଙ୍କୁ ୱାର୍ଡ ମଧ୍ୟରେ ଥିବା ଖାଲି ସ୍ଥାନରେ ତଳେ ଶୁଆଇ ଚିକିତ୍ସା କରାଯାଉଛି। ସରକାରଙ୍କ ପାଣ୍ଠିର ଅଭାବରୁ ଆର୍‌ଜିଏଚ୍‌ର ୩୦% ଖର୍ଚ୍ଚ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ବହନ କରାଯାଉଛି। ଡାକ୍ତରଖାନା ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ପୁରୁଷ ୱାର୍ଡରେ ଦୈନିକ ପ୍ରାୟ ୧୫୦, ମହିଳା ୱାର୍ଡରେ ୨୭୦ରୁ ଅଧିକ, ମା’ ଓ ଶିଶୁ ୱାର୍ଡରେ ୧୫୦ରୁ ଅଧିକ ରୋଗୀ ଭର୍ତ୍ତି ହେଉଛନ୍ତି। ପୁରୁଷ ଓ ମହିଳା ୱାର୍ଡର ଶଯ୍ୟା ଅଭାବରୁ ରୋଗୀମାନେ ଚଟାଣରେ ପଡିଛନ୍ତି। ମାତୃ ଶିଶୁ ୱାର୍ଡରେ ସ୍ଥିତି ଆହୁରି ସାଂଘାତିକ। ପ୍ରତ୍ୟେକ ଦିନ ପ୍ରାୟ ୬୦ରୁ ୭୦ ଗଭର୍ବତୀ, ପ୍ରସୂତି ମା’ ଶିଶୁ ଚଟାଣରେ ପଡିଛନ୍ତି। ଏହି ସ୍ଥିତି ବର୍ଷ ତମାମ ଜାରି ରହିଛି। କେବଳ ଏତିକି ନୁହେଁ ଅଧିକାଂଶ ସମୟ ଡାଇଲେସିସ୍‌, ଏକ୍ସ-ରେ ଚାଲୁନି। ମର୍ଗ ହାଉସ୍‌ ମଧ୍ୟରେ ସେହି ସମାନ ସମସ୍ୟା ଉପୁଜିଛି। ଅଧିକାଂଶ ସମୟରେ ଫ୍ରିଜ୍‌ର କାମ କରୁ ନଥିବାରୁ ଶବ ସଢ଼ୁଛି। ଆଜି ପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇପାରୁନି।

publive-image

ସେପଟେ ଇଣ୍ଡିଆନ୍‌ ପବ୍ଲିକ୍‌ ହେଲ୍‌ଥ ଷ୍ଟାଣ୍ଡାର୍ଡ (ଆଇପିଏଚ୍‌ଏସ୍‌) ଗାଇଡ୍‌ଲାଇନ ଅନୁଯାୟୀ ୪୦୦ ବେଡ୍‌ ହସ୍ପିଟାଲରେ ୭୨ରୁ ଅଧିକ ଡାକ୍ତର ରହିବା କଥା। ଏବେ କାର୍ଯ୍ୟ କରୁଛନ୍ତି ପାଖାପାଖି ୬୦ ଡାକ୍ତର। ଏମାନଙ୍କ ମଧ୍ୟରୁ କିଛି ଡାକ୍ତର ଲମ୍ବା ଛୁଟିରେ ଯାଇଛନ୍ତି। ୭ରୁ ଅଧିକ ଡାକ୍ତର ଯୋଗଦେଇ ପାଠ ପଢ଼ିବାକୁ ଯାଇଛନ୍ତି। ସେମାନେ କେବେ ଫେରିବେ କାହାରି ପାଖରେ ‌ଉତ୍ତର ନାହିଁ। ୪ ଜଣ ମେଡିସିନ୍‌ ବିଶେଷଜ୍ଞଙ୍କ ସ୍ଥାନରେ ଅଛନ୍ତି ୨ ଡାକ୍ତର। ନିଶ୍ଚେିତକ, ଯକ୍ଷ୍ମା ଓ ଛାତିରୋଗ ବିଭାଗରେ ଜଣେ ଲେଖାଏଁ ଡାକ୍ତରଙ୍କ ଅଭାବ ରହିଛି। ଏସବୁ କେବେ ପୂରଣ ହେବ, କେହି କହିପାରୁ ନାହାନ୍ତି। ଡାକ୍ତରମାନଙ୍କ ରହିବାକୁ ସରକାରୀ କ୍ବାର୍ଟର୍ସ ନାହିଁ। ୯୦% ଡାକ୍ତର ଭଡ଼ାରେ ରହୁଛନ୍ତି। ଏଥିରୁ ୫ଟି ସଚିବ କହିବାନୁଯାୟୀ ଆରଜିଏଚ୍‌କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କେତେ ଗୁରୁତ୍ବ ଦେଉଛି ତାହା ସ୍ପଷ୍ଟ ଜଣା ପଡ଼ୁଛି। ଏ ସଂକ୍ରାନ୍ତରେ ଆର୍‌ଜିଏଚ୍‌ର ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ବାଇଁଙ୍କୁ ପଚାରିବାରୁ ଦେଶ ସାରା ସ୍ବାସ୍ଥ୍ୟ ବିଭାଗର ଏଭଳି ସ୍ଥିତି ବୋଲି କହିଥିଲେ। ଆର୍‌ଜିଏଚ୍‌କୁ ୪୦୦ ବେଡ୍‌ କରାଯାଇଛି। ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି ପ୍ରତିକ୍ରିୟା ରଖିଥିଲେ।