ଆଜି ସୋନପୁରରେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ଶୁଭାରମ୍ଭ, ଭର୍‌ଚୁଆଲ୍‌ ମୋଡ୍‌ରେ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଉଦ୍‌ଘାଟିତ ହେବ ବିଜୁପଟ୍ଟନାୟକ ସନ୍ତରଣାଗାର

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍‌ଚୁଆଲ ମୋଡ୍‌ରେ ହେଲ୍‌ଥ ସ୍ମାର୍ଟ କାର୍ଡ ବିତରଣ ଶୁଭାରମ୍ଭ କରିବେ। ଏହି ଅବସରରେ ବିଭିନ୍ନ ବିଭାଗର ୬୭ଟି ଜନକଲ୍ୟାଣକାରୀ ଯୋଜନାର ମଧ୍ୟ ଉଦ୍‌ଘାଟନ ହେବ। ୩୫ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ୧,୫୩,୯୦୨ ଜଣ ହିତାଧିକାରୀ ସ୍ମାର୍ଟ କାର୍ଡ ପାଇବେ। ଏମାନଙ୍କ ମଧ୍ୟରୁ ୬ଟି ବ୍ଲକରେ ଗ୍ରାମାଞ୍ଚଳର ୧,୪୫,୧୫୭ ଜଣ ଏବଂ ତିନୋଟି ପୌରାଞ୍ଚଳରେ ୮, ୭୪୬ ଜଣ ହିତାଧିକାରୀ ଅଛନ୍ତି। ଏହି କାର୍ଡ ଦ୍ୱାରା ହିତାଧିକାରୀଙ୍କ ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ସହାୟତା ରହିଥିବା ବେଳେ ମହିଳାଙ୍କ ପାଇଁ ବର୍ଷକୁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରହିଛି।  ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗରେ ୭୯ କୋଟି ୨୨ଲକ୍ଷ ୧୩ ହଜାର ବ୍ୟୟ ଅଟକଳରେ ସମ୍ପୂର୍ଣ୍ଣ ହୋଇଥିବା ୬୭ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହେବ। ଆହୁରି ମଧ୍ୟ ୧୪୮,୦୪,୮୨୦୦୦ ଅଟକଳ ଥାଇ ୩୫ଗୋଟି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବାକୁ ଥିବା ଏହିସବୁ ଜନକଲ୍ୟାଣକାରୀ ଯୋଜନାର ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମ ରୂପାୟନ ସଭା ନୂତନ ଭାବରେ ୫,୩୪,୬୦୦୦  ଟଙ୍କା ବ୍ୟୟରେ ସହର ଉପକଣ୍ଠରେ ନିର୍ମିତ ଟାଉନ୍‌ ହଲଠାରେ ହେବ।

ଏହି ପରିପ୍ରେକ୍ଷୀରେ ସୋନପୁରରେ ଉଦ୍‌ଘାଟନ ଅପେକ୍ଷାରେ ଥିବା ବିଜୁ ପଟ୍ଟନାୟକ ସୁଇମିଂପୁଲ ଜିଲ୍ଲା ପାଇଁ ବିଶେଷ ଉପହାର ହେବ। ୪.୭୪କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି ସନ୍ତରଣାଗାର ଜିଲ୍ଲାରେ ସନ୍ତରଣ ଏବଂ ଜଳକ୍ରୀଡ଼ା ପ୍ରେମୀଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିବ। ୫୦ ମିଟର ଲମ୍ବ ଏହି ସୁଇମିଂ ପୁଲରେ ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ପ୍ରଶିକ୍ଷକ ରହିବେ ଏବଂ ଅଲଗା ଅଲଗା ପ୍ରସାଧନ କକ୍ଷ ରହିବ। ୨୦୧୮ରେ ଆରମ୍ଭ ହୋଇ ୨୦୨୦ ରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଏହି ସୁଇମିଂପୁଲ କରୋନା ମହାମାରୀ ଯୋଗୁଁ କାର୍ଯ୍ୟକ୍ଷମ ହେବାରେ ବାଧା ସୃଷ୍ଟି ହୋଇଥିଲା। ଏହି ସୁଇମିଂ ପୁଲ ଦ୍ୱାରା ଜିଲ୍ଲାର ବହୁ କ୍ରୀଡ଼ାବିତ ସେମାନଙ୍କ କ୍ରୀଡ଼ା ଦକ୍ଷତା ରାଜ୍ୟ ଓ ଜାତୀୟସ୍ତରରେ ଦେଖାଇବାକୁ ସୁଯୋଗ ପାଇବେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ପାଇଁ ଏକ ନୂତନ ଯୁଗର ବାର୍ତ୍ତାବହ ହୋଇପାରିବ।

ସମ୍ବନ୍ଧିତ ଖବର