କେମିତି ଚାଲିଛି କନ୍ଧମାଳ ଜିଲ୍ଲାରେ ସ୍ବାସ୍ଥ୍ୟସେବା? ବର୍ଷ ବର୍ଷ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜନୌଷଧି କେନ୍ଦ୍ରରେ ତାଲା
ଫୁଲବାଣୀ : ଭଗବାନଙ୍କ ଭରସାରେ ଚାଲିଛି କନ୍ଧମାଳ ଜିଲ୍ଲାର ସ୍ବାସ୍ଥ୍ୟସେବା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛାଡ଼ିଦେଲେ ବାକି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ଡାକ୍ତର ନଥିବାରୁ ରୋଗୀସେବା ବିପର୍ଯ୍ୟସ୍ତ ଅବସ୍ଥାରେ। ବିଶେଷକରି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଚିକିତ୍ସାଳୟରେ ନୂଆ କରି ନିଯୁକ୍ତି ପାଇଥିବା ଯୁବ ଡାକ୍ତର ଏବଂ ଡାକ୍ତରାଣୀ ସେଠାରେ ରହିବାକୁ ଇଚ୍ଛା କରୁନାହାନ୍ତି। ଦୁର୍ଗମ ଅଞ୍ଚଳରେ ପୋଷ୍ଟିଂ ପାଇଯିବା ପରେ ଏହି ଯୁବ ଡାକ୍ତରମାନେ କାଗଜପତ୍ରରେ ଉପସ୍ଥାନ ଦର୍ଶାଇ ଜିଲ୍ଲା ସଦରମହକୁମା ଫୁଲବାଣୀ କିମ୍ବା ଭୁବନେଶ୍ବରରେ ରହିବାକୁ ପସନ୍ଦ କରୁଛନ୍ତି। ଏସବୁ ଗ୍ରାମାଞ୍ଚଳ ଡାକ୍ତରଖାନାରେ ଗୋଟିଏ ପଟେ ଡାକ୍ତର ଉପସ୍ଥିତ ଅଛନ୍ତି ବୋଲି ଦେଖାଯାଉଛି। ମାତ୍ର, ପ୍ରକୃତରେ ଗରିବ ଆଦିବାସୀ ରୋଗୀ ଡାକ୍ତରଖାନାରୁ ଉପଯୁକ୍ତ ସେବା ନପାଇ ସ୍ଥାନୀୟ ଅଞ୍ଚଳର ବଙ୍ଗଳାଦେଶୀ କ୍ବାକ୍ମାନଙ୍କ ନିକଟକୁ ଚିକିତ୍ସା ନିମନ୍ତେ ଧାଉଁଛନ୍ତି।
ଜିଲ୍ଲାରେ କେମିତି ସ୍ବାସ୍ଥ୍ୟସେବା ଚାଲିଛି ତାହାର ଆଉ ଗୋଟିଏ ନମୁନା ହେଉଛି ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜନୌଷଧି ଔଷଧ କେନ୍ଦ୍ର। ରେଡକ୍ରସ୍ ଦ୍ବାରା ପରିଚାଳିତ ଏହି ଜନୌଷଧି କେନ୍ଦ୍ରଟି ଡାକ୍ତରଖାନାର ପରିତ୍ୟକ୍ତ ଅବସ୍ଥାରେ ସେମିତି ଏକ କୋଣରେ ରହିଛି। କେନ୍ଦ୍ରଟି ଏଭଳି ଏକ ପରିତ୍ୟକ୍ତ ସ୍ଥାନରେ ଥିବାବେଳେ ସେଥିରେ ପୁଣି ବର୍ଷତମାମ ତାଲା ପଡ଼ିରହୁଛି। ଏହି ଜନୌଷଧି କେନ୍ଦ୍ର ମାଧ୍ୟମରେ କନ୍ଧମାଳ ଜିଲ୍ଲାର ଗରିବ ରୋଗୀମାନଙ୍କୁ ଶସ୍ତା ଦରରେ ମୂଲ୍ୟବାନ ଔଷଧ ଯୋଗାଇ ଦେବାକୁ ଯୋଜନା ରହିଥିଲା। ଏହି ଜନୌଷଧି କେନ୍ଦ୍ର ଏକ ଆଶୀର୍ବାଦ ସଦୃଶ ହେବାକୁ ଥିବାବେଳେ ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ଏଥିରେ ପ୍ରତିବନ୍ଧକ ସାଜିଛନ୍ତି। କୌଣସି ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟମାନେ ଜନୌଷଧି କେନ୍ଦ୍ରରୁ ଔଷଧ ଆଣିବାକୁ ଗଲେ ସେଠାରେ ତାଲା ପଡ଼ିଥିବା ଦେଖନ୍ତି ଓ ନିରାଶ ହୋଇ ଫେରିଆସନ୍ତି।
କାହିଁକି ବର୍ଷସାରା ଏହି ଜନୌଷଧି କେନ୍ଦ୍ରରେ ତାଲା ପଡୁଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟଙ୍କୁ ପଚାରିବାରୁ କର୍ମଚାରୀ ଅଭାବରୁ ସେଠାରେ କେହି ବସିବାକୁ ନାହାଁନ୍ତି ବୋଲି ଉତ୍ତର ଦେଇଛନ୍ତି। ଅନ୍ୟପଟେ ସେ ଏହି ଜିଲ୍ଲାରେ ବେଶି ଦିନ ରହିବେନି ଏବଂ ମେଡିକାଲରେ କ’ଣ ହେଲା ନ ହେଲା ସେ ନେଇ ତାଙ୍କର ଆଗ୍ରହ ନାହିଁ ବୋଲି ଡାକ୍ତର ଉପାଧ୍ୟାୟ ଅଜବ ଉତ୍ତର ରଖିଛନ୍ତି।
ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏଠାରେ ରୁହନ୍ତୁ ବା ନ’ ରୁହନ୍ତୁ ତାହା ଭିନ୍ନ ପ୍ରସଙ୍ଗ। ମାତ୍ର, କନ୍ଧମାଳର ଗରିବ ଆଦିବାସୀ ରୋଗୀମାନେ କ’ଣ ଦୋଷ କରିଛନ୍ତି? ସେମାନେ କାହିଁକି ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରହିବେ ବୋଲି ଫୁଲବାଣୀ ନଗର ବିଜେପି ସଭାପତି ସୁଶାନ୍ତ କୁମାର ମହାନ୍ତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ତୁରନ୍ତ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସେବାକୁ ସ୍ବାଭାବିକ, ସହଜ ଏବଂ ସୁଲଭ କରିବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି। ଏହାସହ ଉନ୍ନତମାନର ଆନୁଷଙ୍ଗିକ ବ୍ୟବସ୍ଥା, ଡାକ୍ତର ନିଯୁକ୍ତି, ପ୍ରତି ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବାକୁ ବ୍ୟବସ୍ଥିତ କରାଇବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ସାମୂହିକ ମତପ୍ରକାଶ ପାଇଛି।