ରାୟଗଡ଼ା: ଖାଲି ପଡିଛି ଡାକ୍ତର, ନର୍ସ, ଫାର୍ମାସିଷ୍ଟ୍, ସ୍ବାସ୍ଥ୍ୟକର୍ମୀ ପଦବି। ବିନା ବିଶେଷଜ୍ଞରେ ଚାଲିଛି ଜିଲ୍ଲାର ୧୨ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ। ବର୍ଷ ବର୍ଷ ଧରି ଖାଲି ପଡିଥିବା ପଦବି ପୂରଣ ପାଇଁ ସରକାର ପର୍ଯ୍ୟାୟକ୍ରମେ ଯେଉଁ କିଛି ଡାକ୍ତର, ବିଶେଷଜ୍ଞଙ୍କୁ ପଠାଉଛନ୍ତି କାର୍ଯ୍ୟରେ ଯୋଗଦେବାର କିଛି ମାସ ମଧ୍ୟରେ ସେମାନେ ରାୟଗଡ଼ା ଛାଡ଼ି ପଳାଉଛନ୍ତି। ଫଳରେ ଆକାଂକ୍ଷା ଜିଲ୍ଲା ରାୟଗଡ଼ାରେ ସୁଧୁରି ପାରୁନି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ଚିତ୍ର।

Advertisment

ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ୮୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି। ଯାହାଙ୍କୁ ସେବା ଯୋଗାଇବା ପାଇଁ ବ୍ଲକସ୍ତରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପଞ୍ଚାୟତ ଓ ଗ୍ରାମ ସ୍ତରରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। କିନ୍ତୁ ଏହି ସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ଯୋଗାଇବାକୁ ନାହାନ୍ତି ଆବଶ୍ୟକ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟ। ଜିଲ୍ଲାର ଅଧିକାଂଶ ବ୍ଲକ୍ ମ୍ୟାଲେରିଆ, ଡେଙ୍ଗୁ, କଲେରା, ହଇଜା ପ୍ରବଣ ହୋଇଥିଲେ ମଧ୍ୟ ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଯେଉଁ ଭଳି ସୁଧାର ଆଣିବା କଥା ତାହା ହୋଇପାରୁନି। ଫଳରେ ରୋଗ ବ୍ୟାପିବା ସମୟରେ ଲୋକେ ସ୍ବାସ୍ଥ୍ୟସେବା ଅଭାବରୁ ଅକାଳରେ ମୃତ୍ୟୁବରଣ କରିବା ସହ ଦିନ ଦିନ ଧରି ରୋଗଶର୍ଯ୍ୟାରେ ପଡି ରହୁଛନ୍ତି। ନିକଟରେ କାଶୀପୁର ବ୍ଲକରେ କଲୋରା ମହାମାରୀ ବ୍ୟାପିବା ପରେ ବହୁ ଜୀବନ ଅକାଳରେ ଝଡ଼ିବା ସହ ସ୍ଥିତିରେ ସୁଧାର ଆଣିବା ପାଇଁ ୧ ମାସରୁ ଉର୍ଦ୍ଧ୍ବ ସମୟ ଲାଗିଥିଲା। ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଏବେ ବି ଝାଡାବାନ୍ତି, ମ୍ୟାଲେରିଆ, ଡେଙ୍ଗୁ ସ୍ଥିତି ସଙ୍ଗୀନ୍ ରହିଛି। ଡାକ୍ତର ପଦବି ପୂରଣ ସାଙ୍ଗକୁ ଆନୁସଙ୍ଗିକ ଚିକିତ୍ସା ସୁବିଧା ନଥିବାରୁ  ଡେଙ୍ଗୁରେ ପୀଡ଼ିତ ‌ରୋଗୀ ଚିକିତ୍ସା ପାଇଁ ବିଶାଖାପାଟଣା, ବ୍ରହ୍ମପୁର, ଭୁବନେଶ୍ବର, କଟକ ମେଡ଼ିକାଲ୍ ଉପରେ ନିର୍ଭର କରୁଛନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ଥିବା ରୋଗୀ ଖର୍ଚ୍ଚାନ୍ତ ହୋଇ ଜୀବନ ରକ୍ଷା କରୁଥିବା ବେଳେ ଗରିବ, ଗୁରୁବା ରୋଗୀ ଭଗବାନଙ୍କ ଭରସାରେ ରୋଗଶର୍ଯ୍ୟାରେ ପଡି ରହୁଛନ୍ତି।

ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଜିଲ୍ଲା ସଦର ମହକୁମାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୁଣପୁର ଉପଖଣ୍ଡରେ ଉପଖଣ୍ଡ ଚିକିତ୍ସାଳୟ, ରାୟଗଡ଼ା ସହରାଞ୍ଚଳରେ ୩ଟି ସହରାଞ୍ଚଳ, ଗୁଣପୁରରେ ୨ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମେତ ୩୪ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏହି ସମସ୍ତ ଚିକିତ୍ସାଳୟ ନିମନ୍ତେ ୨୪୯ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ଅଛନ୍ତି ୧୫୪। ୯୫ ଡାକ୍ତର ପଦବି ଜିଲ୍ଲାରେ ଖାଲି ପଡିଛି। ସେହିପରି ୩୬୮ ନର୍ସ ସ୍ଥାନରେ ଅଛନ୍ତି ୨୫୯। ୧୦୯ ନର୍ସ ପଦବି ଖାଲି ପଡିଛି। ୮୯ ଫାର୍ମାସିଷ୍ଟଙ୍କ ସ୍ଥାନରେ ୫୧ କାର୍ଯ୍ୟରତ ଥିବା ବେଳେ ୩୮ ପଦବି ଖାଲି ପଡିଛି। ଟେକ୍ନିସିଆନ ସ୍ଥିତି ମଧ୍ୟ ସମାନ୍।  ୩୫ ସ୍ଥାନରେ ଅଛନ୍ତି ମାତ୍ର ୧୪। ୨୧ ଟେକ୍ନିସିଆନ ପଦବି ଖାଲି ପଡିଛି। ୩୧୯ ସ୍ବାସ୍ଥ୍ୟକର୍ମୀ ସ୍ଥାନରେ ଅଛନ୍ତି ୨୯୪। ୨୫ ସ୍ବାସ୍ଥ୍ୟକର୍ମୀ ପଦବି ଖାଲି। କାଶୀପୁରରେ କଲେରା ବ୍ୟାପିବା ପରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାଶ। କାଶୀପୁର ସମେତ ଜିଲ୍ଲାରେ ଖାଲି ପଡିଥିବା ଡାକ୍ତରୀ ପଦବି ପୂରଣ ଦିଗରେ ସରକାର ତୁରନ୍ତ ପଦକ୍ଷେ‌ପ ନେବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ସୁଦ୍ଧା ଜିଲ୍ଲାକୁ ଜଣେ ବି ନୂଆ ଡାକ୍ତର ଆସି ପାରିଲେନି। ବରଂ ପିଜି ଏବଂ ଅନ୍ୟ କାରଣ ଦର୍ଶାଇ ଜିଲ୍ଲାରୁ ଡାକ୍ତର ଅନ୍ୟତ୍ର ଚାଲି ‌ଗଲେଣି। କେବଳ ଅତିରିକ୍ତ ଦାୟିତ୍ବରେ ଜିଲ୍ଲାରେ ସ୍ବାସ୍ଥ୍ୟସେବା ଚାଲିଥିବାରୁ ଲୋକଙ୍କୁ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ମିଳିପାରୁନି।