ପୁରୀ ବାତ୍ୟା ବିଧ୍ବସ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ

ଭୁବନେଶ୍ବର : ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ର ବିଭିନ୍ନ ଗାଁର ସ୍ବାସ୍ଥ୍ୟସେବାର ସ୍ଥିତି ପରଖିଛନ୍ତି ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା। ତାଙ୍କ ସହିତ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ କୃଷ୍ଣପ୍ରସାଦ ବ୍ଲକ୍‌ ଗସ୍ତରେ ଅଛନ୍ତି। ଦୁହେଁ ଗାଁରେ ଥିବା ବା ଆଶାକର୍ମୀଙ୍କ ସହିତ ଆଲୋଚନା କରି ଔଷଧ ବିତରଣ ଓ ପରିମଳ ସଂକ୍ରାନ୍ତରେ ଅନୁଧ୍ୟାନ ସହିତ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ବାତ୍ୟା ପରବର୍ତୀ ସ୍ବାସ୍ଥ୍ୟସେବା ଉପରେ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯିବା ସହିତ କୌଣସି ସ୍ଥାନରେ ମହାମାରୀ ନ ବ୍ୟାପିବା ଉପରେ ଗୁରୁତ୍ବ ଦିଆଯାଉଛି। ଲୋକଙ୍କୁ ବିଶୁଦ୍ଧ ଜଳ ସହିତ ଗାଁ ପରିମଳ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଗାଁ କଲ୍ୟାଣ ସମିତିଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଭାଗର କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ହାଲୋଜେନ ବଟିକା, ଓଆରଏସ୍‌ ପ୍ୟାକେଟ୍‌ ସହିତ ଜିଙ୍କ ଓ କ୍ଲୋରିନ୍ ବଟିକା ଆଦି ବଣ୍ଟନ କରାଯାଇଛି।

ସେହିପରି ବ୍ରହ୍ମଗିରିକୁ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ମାନସ ପାଢ଼ୀ ଓ ଉପ ସଚିବ ରାଜେଶ ଅଗ୍ରୱାଲ, ସତ୍ୟବାପୀ ବ୍ଲକ୍‌କୁ ବିଭାଗର ଯୁଗ୍ମ ସଚିବ ଯାମିନୀ ଷଡ଼ଙ୍ଗୀ ଓ ଉପସଚିବ ଦୁର୍ଗେଶ ନନ୍ଦିନୀ ସାହୁ, କଣାସ ବ୍ଲକ୍‌କୁ ଉପସଚିବ ଜସ୍ମିନ୍ ପଟ୍ଟନାୟକ ଓ ସ୍ବତନ୍ତ୍ର ସଚିବ ଶରତ ମିଶ୍ର ଓ ଗୋପ ବ୍ଲକ୍‌କୁ ଯୁଗ୍ମ ସଚିବ ସ୍ମିତା ବିଶ୍ବାଳ ଓ ଉପସଚିବ ମମତା ବାରିକ ପରିଦର୍ଶନ କରିଛନ୍ତି। ଏହି ଟିମ୍ କ୍ଷେତ୍ରସ୍ଥଳକୁ ଯାଇ ବାତ୍ୟା ପରବର୍ତୀ ସ୍ଥିତିରେ ଲୋକମାନେ କିଭଳି ସ୍ବାସ୍ଥ୍ୟସେବା ପାଉଛନ୍ତି ତାହାର ଅନୁଧ୍ୟାନ କରିଛନ୍ତି। ବିଶେଷକରି ବାତ୍ୟା ପରେ ଲୋକଙ୍କୁ ଆବଶ୍ୟକ ମୁତାବକ ଔଷଧ, ପ୍ରସୂତିଙ୍କୁ ଆବଶ୍ୟକ ଚିକିତ୍ସା, ଜଳ ବିଶୋଧନ ସହିତ ମହାମାରୀ ନ ବ୍ୟାପିବା ପାଇଁ ବିଭାଗ ପକ୍ଷରୁ ଜାରି ସତକର୍ତା କିଭଳି କାର୍ଯ୍ୟକାରୀ ହେଉଛି ତାହା ଲୋକଙ୍କଠାରୁ ବୁଝିଛନ୍ତି।

ବାତ୍ୟାଞ୍ଚଳରେ ୨୯ଲକ୍ଷ ଓଆରଏସ୍‌ ପ୍ୟାକେଟ୍ ଓ ୨୪ଲକ୍ଷ ହାଲୋଜେନ୍ ବଟିକା ବଣ୍ଟନ ଲାଗି ଯୋଗାଇ ଦିଆଯାଇଛି। ବାତ୍ୟାରେ ୧୦୩୨ ସ୍ବାସ୍ଥ୍ୟାନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଥିରୁ ୩ଶହରୁ ଅଧିକଙ୍କୁ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟବହାର ଉପଯୋଗୀ କରାଯାଇଛି। ବାତ୍ୟା ପ୍ରପୀଡ଼ିତଙ୍କ ପାଇଁ ୭୦୩ ମେଡିକାଲ ରିଲିଫ୍ ସେଣ୍ଟର ‌ବା ଏମ୍‌ଆରସି ଖୋଲା ଯାଇଥିବା ବେଳେ ୧୦ହଜାରରୁ ଅଧିକ ଆହତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି। କ୍ଷତିଗ୍ରସ୍ତ ଅଞ୍ଚଳରେ୧୮୪ଟି ମେଡିକାଲ ଟିମ୍ ମୁତୟନ ହୋଇଥିବା ବେଳେ ପୁରୀ ଓ ଖୋର୍ଧା ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଆହୁରି ୨୦ଜଣ ଓ ୨ଶହ ବହୁମୁଖୀ ସ୍ବାସ୍ଥ୍ୟକର୍ମୀଙ୍କୁ ମୁତୟନ କରାଯାଇଛି। ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଅଣାଯାଇଛି।

ସମ୍ବନ୍ଧିତ ଖବର