‌ହେଲ୍‌ଥ ଟିପ୍ସ: ଟିକା ନେଲେ ଶରୀର ଚୁମ୍ବକ ହେବା କେବଳ ଏକ ଗୁଜବ

ଚିକିଟା ଝାଳ ପାଇଁ ଏଭଳି ଘଟୁଛି

ଦେହ ହୋଇଯାଉଛି ଚୁମ୍ବକ। କାହା ଦେହରେ ବାସନକୁସନ ଲାଗିଯାଉ ଥିବାବେଳେ କିଏ ଚାମଚ ଅଥବା କଏନ୍‌ ଛାତିରେ ଲଗାଇ ଦେଖାଉଛନ୍ତି। ସୋସିଆଲ ମିଡିଆରେ ଘୂରି ବୁଲୁଛି ଏଭଳି ଏକାଧିକ ଚିତ୍ର। ସେମାନଙ୍କ କହିବା କଥା ହେଲା ଟିକା ନେବା ପରେ ସେମାନଙ୍କ ଶରୀରରେ ଏଭଳି ପ୍ରତିକ୍ରିୟା ଦେଖାଯାଉଛି। ସାରା ରାଜ୍ୟରୁ ସାମ୍ନାକୁ ଆସିବାରେ ଲାଗିଛି ଏଭଳି ଚିତ୍ର ସବୁ। ତେବେ ଏ ସଂପର୍କରେ ବିଶେଷଜ୍ଞଙ୍କ କହିବା କଥା ହେଲା, ଟିକା ନେବା ପରେ ଶରୀର ଚାରିପଟେ କୌଣସି ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ ନାହିଁ। କିନ୍ତୁ ଚିକିଟା ଝାଳ ଥିଲେ ଶରୀରରେ ଯେକୌଣସି ସାମଗ୍ରୀ ଲଗାଇଲେ ତାହା ଲାଗି ରହିବ। ରାଜ୍ୟରେ ସାଢେ ୪କୋଟି ଲୋକ ଅଛନ୍ତି, ସେଥିରୁ କେବଳ ୪୦ଜଣ ଲୋକଙ୍କ ପାଖରେ ଏଭଳି ଦେଖିବାକୁ ମିଳୁଛି। କାରଣ ସେହି ଲୋକଙ୍କ ଶରୀରରେ ଚିକିଟା ଝାଳ ଥିବାରୁ ତାଙ୍କ ଶରୀରରେ ଏଭଳି ଚାମଚ, ଗ୍ଲାସ୍‌ ସବୁ ଲାଗି ରହୁଛି। ଲୋକ ଲକ୍‌ଡାଉନ୍‌ରେ ଘରେ ବସିଛନ୍ତି, ଟିଭିରେ ଦେଖିଲେ, ଖବରକାଗଜରୁ ପଢ଼ିଲେ; ତେଣୁ ଚାଲ ଆମ ଶରୀରରେ ଏଭଳି ହେଉଛି ନା ନାହିଁ ଦେଖିବା ଭାବି ପରୀକ୍ଷା ନିରୀକ୍ଷା କଲେ। ଏଭଳି ଅଯଥା କାମ ସବୁ କରି ସମୟ ନଷ୍ଟ କରୁଛନ୍ତି।

ସ୍କୁଲରେ ଜଣେ ପିଲାକୁ ଭୂତ ଲାଗିଲେ ତା’ ସହିତ ଧୀରେ ଧୀରେ ଅନ୍ୟ ପିଲା ବି ସେଥିରେ ଆକ୍ରାନ୍ତ ହୋଇଥାଆନ୍ତି, ଭୂତ ଲାଗିବା ଟ୍ରାନ୍ସମିଟ୍‌ ହୋଇଥାଏ। ସମସ୍ତଙ୍କ ଶୈଳୀ ଓ ଲକ୍ଷଣ ଏକାଭଳି ଦେଖାଯାଏ। ସେଭଳି କ୍ଷେତ୍ରରେ ଘଟୁଥିବା ଘଟଣାକୁ ଆମେ ମାନସିକ ରୋଗର ପରିଭାଷାରେ ‘ସେୟାର ସାଇକୋଟିକ୍‌ ଡିଜ୍‌ଅର୍ଡର’ ବୋଲି କହିଥାଉ। ଜଣଙ୍କୁ ଦେଖି ଅନ୍ୟମାନେ ତା’ଦ୍ବାରା ପ୍ରଭାବିତ ହୋଇ ସମାନ ଭଳି କାର୍ଯ୍ୟ କରିଥାଆନ୍ତି ବା ଭୂତ ସମସ୍ତଙ୍କୁ ଲାଗିଥାଏ। କିନ୍ତୁ ଦେହ ଚୁମ୍ବକ ହୋଇଯିବା ଘଟଣ‌ାକୁ ଆମେ ‘ସେୟାର ସାଇକୋଟିକ୍‌ ଡିଜ୍‌ଅର୍ଡର’ ବୋଲି କହିପାରିବା ନାହିଁ। କାରଣ ଏଭଳି ଘଟଣା ଭିନ୍ନ ଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଓ ଗଣମାଧ୍ୟମ ଦେଖି ଲୋକମାନେ ନିଜ ଶରୀରରେ ଏହାକୁ ପ୍ରୟୋଗ କରୁଛନ୍ତି। ଲକ୍‌ଡାଉନ୍‌ରେ ଏଭଳି ନକାରାତ୍ମକ ଚିନ୍ତାଧାରା ବା ମାନସିକତା ବୃଦ୍ଧି ପାଇଛି। ଯେହେତୁ ଲୋକ ଘରେ ରହୁଛନ୍ତି, ତେଣୁ ଯାହା ଦେଖୁଛନ୍ତି ତାକୁ ପ୍ରୟୋଗ କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି କରିବା ଠିକ୍‌ ନୁହେଁ, କାରଣ ଏହା ମାନସିକ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।

ଡାକ୍ତର ସାରଦା ପ୍ରସନ୍ନ ସ୍ବାଇଁ
ପ୍ରଫେସର ତଥା ନିର୍ଦ୍ଦେଶକ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ
ଏସ୍‌ସିବି ଉତ୍କୃଷ୍ଟ ମାନସିକ ପ୍ରତିଷ୍ଠାନ, କଟକ

ସମ୍ବନ୍ଧିତ ଖବର