ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ: ଯଥାଶୀଘ୍ର ହେବ… ଖୁବ୍ ଶୀଘ୍ର ‌ହେବ… ନିଶ୍ଚିତ ହେବ

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଗୃହରେ ଉଦ୍‌ବେଗ

ଭୁବନେଶ୍ବର : ଶାସକ ଦଳ ସଭ୍ୟ ପ୍ରଫୁଲ୍ଲ ସାମଲଙ୍କ ମୂଳ ପ୍ରଶ୍ନ- ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ କେଉଁ ମସିହା ସୁଦ୍ଧା କାର୍ଯ୍ୟକ୍ଷମ ହେବ? ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଉତ୍ତର- ନିଶ୍ଚିତ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ। ଯଥାଶୀଘ୍ର ଆରମ୍ଭ ହେବ। ଯେତେ ଶୀଘ୍ର ସମ୍ଭବ ନିଶ୍ଚିତ ହେବ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅତିରିକ୍ତ ପ୍ରଶ୍ନ, ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ବିଳମ୍ବ ହୋଇସାରିଲେଣି। ଆଉ ‘ଯଥାଶୀଘ୍ର’ ବୋଲି କୁହନ୍ତୁନି। ଏ ଶବ୍ଦ ଶୁଣି ଶୁଣି କାନ ଖରାପ ହୋଇଗଲାଣି। ନିର୍ଦ୍ଦିଷ୍ଟ ଭାବେ କେବେ ଆରମ୍ଭ ହେବ କୁହନ୍ତୁ? ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତର- ଏହା ଖୁବ୍ ଶୀଘ୍ର ଆରମ୍ଭ କରିବା ପାଇଁ ବ୍ୟବସ୍ଥା କରୁଛୁ। ଏହା ନିଶ୍ଚିତ ଜଲ୍‌ଦି ହେବ।

ଶାସକ ଦଳ ସଭ୍ୟ ଦେବୀ ପ୍ରସାଦ ମିଶ୍ରଙ୍କ ପ୍ରଶ୍ନ- ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ କେବେ ଆରମ୍ଭ ହେବ? ପୁଣି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତର-ଖୁବ୍ ଶୀଘ୍ର ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ।

ଶାସକ ଦଳ ସଭ୍ୟ ନୃସିଂହ ଚରଣ ସାହୁ ପୁଣି ପଚାରିଲେ, ମନ୍ତ୍ରୀ କହୁଛନ୍ତି ଯଥାଶୀଘ୍ର ହେବ। ଜଲ୍‌ଦି ହେବ। ବାସ୍ତବରେ ଏହା କେବେ ଠାରୁ ଆରମ୍ଭ ହେବ? ମନ୍ତ୍ରୀଙ୍କ ଉତ୍ତର- ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ନେଇ ଗୃହର ଉଦ୍‌ବେଗ ଦେଖୁଛି। ଯେତେ ଶୀଘ୍ର ହୋଇପାରିବ, ତାହାର ବ୍ୟବସ୍ଥା କରୁଛୁ।

କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ୍ ପଚାରିଲେ- ଏତେ ବର୍ଷ ହେଲା ଏଠାରେ ସ୍ଥିର ସରକାର ଅଛି। ଗୋଟିଏ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏତେ ଦିନ ଯାଉଛି। ଏବେ ବି ମନ୍ତ୍ରୀ ‘ଯଥାଶୀଘ୍ର’, ‘ଯଥାଶୀଘ୍ର’ ବୋଲି କହୁଛନ୍ତି। ବିଶ୍ବବିଦ୍ୟାଳୟ କେବେ ପ୍ରତିଷ୍ଠା ହେବ?

ମନ୍ତ୍ରୀ କହିଲେ- ୨୦୨୧‌ରେ ବିଶ୍ବବିଦ୍ୟାଳୟ ବିଲ୍‌ ପାରିତ ହେଲା। ପ୍ରଶାସନିକ ଅଧିକାରୀ ବି ନିଯୁକ୍ତି କରାଯାଇଛି। ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରାଯାଇଛି। ତାହା ପରେ ବି ମାନ୍ୟବର ବିଧାୟକମାନେ ସରକାରଙ୍କ ଉପରେ କାହିଁକି ଭରସା ରଖୁନାହାନ୍ତି? ବିଶ୍ବବିଦ୍ୟାଳୟ ନିଶ୍ଚିତ ଭାବେ ସ୍ଥାପିତ ହେବ। ଖୁବ୍ ଶୀଘ୍ର କରାଯିବ।

ବିଜେପି ସଭ୍ୟ ନାଉରୀ ନାୟକ ଶେଷକୁ ପଚାରିଲେ, ଯଥାଶୀଘ୍ର… ଯଥାଶୀଘ୍ର ମାନେ କେବେ? ୨୦୨୨ ନା ୨୦୨୩? ୨୦୨୪ ଭିତରେ ହେବ ନା ନାହିଁ? ସ୍ବାସ୍ଥ୍ୟ ମନ୍ତ୍ରୀ ଆଉ ଉତ୍ତର ଦେଲେନି, ଏଡ଼ାଇ ଗଲେ।

ଆଜି ବିଧାନସଭାର ପ୍ରଶ୍ନକାଳରେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ସଂକ୍ରାନ୍ତରେ ଆସିଥିବା ଏକ ପ୍ରଶ୍ନର ଆଲୋଚନାରେ ବିଧାୟକ ଓ ମନ୍ତ୍ରୀଙ୍କ ଭିତରେ ଏମିତି ଭା‌ବେ ପ୍ରଶ୍ନୋତ୍ତର ଚାଲିଥିଲା। ବିଶ୍ବବିଦ୍ୟାଳୟ ଯଥାଶୀଘ୍ର ହେବ ବୋଲି ମନ୍ତ୍ରୀଙ୍କ ଉତ୍ତରରେ ବିଧାୟକମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ବାରମ୍ବାର ବିଧାୟକମାନେ ନିର୍ଦ୍ଦିଷ୍ଟ ସମୟ ଜାଣିବାକୁ ଚାହିଁଥିଲେ ବି ମନ୍ତ୍ରୀ ଶେଷ ପର୍ଯ୍ୟନ୍ତ ଠୋସ୍‌ ଉତ୍ତର ଦେଇପାରି ନ ଥିଲେ।

ବିଧାୟକଙ୍କ ପ୍ରଫୁଲ୍ଲ ସାମଲଙ୍କର ଏ ସଂକ୍ରାନ୍ତରେ ମୂଳ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଧାନସଭାରେ ୨୦୨୧ ଜୁଲାଇରେ ବିଲ୍‌ ପାସ୍‌ହୋଇଥିଲା। ୨୦୨୧ ନଭେମ୍ବରରେ ଗେଜେଟ୍‌ରେ ତାହା ପ୍ରକାଶିତ ହୋଇଛି। ଚଳିତ ବର୍ଷ ପ୍ରଫେସର ଦତ୍ତେଶ୍ବର ହୋତାଙ୍କୁ ଏହି ବିଶ୍ବବିଦ୍ୟାଳୟର ଓଏସ୍‌ଡି ଭାବେ ନିଯୁକ୍ତ କରାଯାଇଛି। ଅତିରିକ୍ତ ଡିଏମ୍ଇଟି ଉମାକାନ୍ତ ଶତପଥୀଙ୍କୁ ଓଏସ୍‌ଡିଙ୍କୁ ସହଯୋଗ କରିବା ପାଇଁ ନିଯୁକ୍ତି ଦିଆଯାଇଛି। ସରୋଜ କୁମାର ବେହେରାଙ୍କୁ ବିଶ୍ବବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ରୂପେ ନିଯୁକ୍ତି ଦିଆଯାଇଛି। ସତ୍ୟନାରାୟଣ ମହାପାତ୍ରଙ୍କୁ ବିଶ୍ବବିଦ୍ୟାଳୟର ଆର୍ଥିକ କାର୍ଯ୍ୟକଳାପର ସୁପରିଚାଳନା ନିମନ୍ତେ ନିୟୋଜିତ କରାଯାଇଛି। ଶିଶୁଭବନ ଛକସ୍ଥିତ ସିଏମ୍‌ଜିଆଇ କୋଠାକୁ ବିଶ୍ବବିଦ୍ୟାଳୟର ଅସ୍ଥାୟୀ କାର୍ଯ୍ୟାଳୟ ନିମନ୍ତେ ହସ୍ତାନ୍ତର କରାଯାଇଛି। ବିଶ୍ବବିଦ୍ୟାଳୟର ଉନ୍ନତୀକରଣ ନିମନ୍ତେ ୨.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଅତିରିକ୍ତ ପ୍ରଶ୍ନ ପଚାରି ତାରାପ୍ରସାଦ ବାହିନୀପତି କୋରାପୁଟ ମେଡିକାଲ କଲେଜ ସମସ୍ୟା ଓ ସନାତନ ବିଜୁଳି ବାରିପଦା ମେଡିକାଲ କଲେଜ ସମସ୍ୟା ସମ୍ପର୍କରେ କହିଥିଲେ। ନାଉରୀ ନାୟକ ଭିମ୍‌ସାର୍‌ର ଆଇସିୟୁ ଶଯ୍ୟା ବଢ଼ାଇବାକୁ ଦାବି କରିଥିଲେ। ବିଷ୍ଣୁ ସେଠୀ ଓ ସଞ୍ଜୀବ ମଲ୍ଲିକ ଭଦ୍ରକରେ ମେଡିକାଲ କଲେଜ ନିର୍ମାଣ ପାଇଁ ଦାବି କରିଥିଲେ। ଦିବ୍ୟଶଙ୍କର ମିଶ୍ର ଓ ରମେଶ ଚନ୍ଦ୍ର ବେହେରା ମଧ୍ୟ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର