ଫାଇଲ୍‌ରେ ରହିଗଲା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ, ୩ ମନ୍ତ୍ରୀ ବଦଳିଲେଣି, କାମ ଆଗଉନି

ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ବଢ଼ୁଛି, ଅବ୍ୟବସ୍ଥା ବି, ପାଞ୍ଚ ବର୍ଷ ହେଲା ଘୋଷଣାରେ ଅଟକିଛି

ଭୁବନେଶ୍ୱର, (ଚୌଧୁରୀ ଅମିତାଭ ଦାସ): ୨୦୧୫ ଜୁନ୍‌ରେ ରାଜ୍ୟରେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ପାଇଁ ଘୋଷଣା ହେଲା। ଏହା ମଧ୍ୟରେ ପାଞ୍ଚ ବର୍ଷ ବିତିଗଲା। କେବଳ ଘୋଷଣା ଓ କାଗଜପତ୍ରରେ ଅଟକିଯାଇଛି ପ୍ରସ୍ତାବିତ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ। ଫାଇଲ୍‌ ଭିତରୁ କେବେ ବିଶ୍ବବିଦ୍ୟାଳୟ ବାହାରକୁ ଆସିବ, ତାହାର ଉତ୍ତର କାହା ପାଖରେ ନାହିଁ। ରାଜ୍ୟରେ ନୂଆ ମେଡିକାଲ କଲେଜ ଖୋଲା ଚାଲିଛି। ସ୍ବାସ୍ଥ୍ୟ ସଂକ୍ରାନ୍ତୀୟ ଘରୋଇ ଅନୁଷ୍ଠାନ ସଂଖ୍ୟା ବଢ଼ିଚାଲିଛି। କିନ୍ତୁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରି ସ୍ବାସ୍ଥ୍ୟ ଶିକ୍ଷାକୁ ବ୍ୟବସ୍ଥିତ କରିବା ପାଇଁ ଆଗ୍ରହ ପ୍ରକାଶ ପାଉନି। ସରକାରଙ୍କ ଏହି ଉଦାସୀନତା ଆଗାମୀ ଦିନରେ ରାଜ୍ୟର ସ୍ବାସ୍ଥ୍ୟ ଶିକ୍ଷାର ଭିତ୍ତିଭୂମିକୁ ବିଗାଡ଼ି ଦେବାର ଆଶଙ୍କା ରହିଛି।

୨୦୧୫ ଜୁନ୍‌ ପ୍ରଥମ ସପ୍ତାହରେ ସ୍ବାସ୍ଥ୍ୟ ବିଭାଗର ବାର୍ଷିକ କାର୍ଯ୍ୟ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ଘୋଷଣା କଲେ। ତତ୍‌କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଲେ। ଶ୍ରୀ ନାୟକଙ୍କ ପରେ ପ୍ରଦୀପ ଅମାତ, ପ୍ରତାପ ଜେନା ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବ ନେଲେ। ସେମାନେ ବି ବିଭିନ୍ନ ସମୟରେ ବିଶ୍ବବିଦ୍ୟାଳୟକୁ ନେଇ ସ୍ବପ୍ନ ଦେଖାଇଲେ। ଏବେ ଏକ ବର୍ଷରୁ ଊର୍ଧ୍ବ ହେବ ନବ କିଶୋର ଦାସ ସ୍ବାସ୍ଥ୍ୟମନ୍ତ୍ରୀ ଅଛନ୍ତି। ତଥାପି ବିଶ୍ବବିଦ୍ୟାଳୟ ଭାଗ୍ୟ ଫିଟିପାରୁନି।

୨୦୧୫ ଜୁନ୍ ମାସ ୧୮ ତାରିଖରେ ତତ୍‌କାଳୀନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସି ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସ୍ବାସ୍ଥ୍ୟ ସଂକ୍ରାନ୍ତୀୟ ସମସ୍ତ ଡିଗ୍ରି ପାଠ୍ୟକ୍ରମ ଏହି ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ ଅଧୀନକୁ ଆସିବ ବୋଲି ନିଷ୍ପତ୍ତି ହେଲା। ବୈଠକରେ ବିଶ୍ବବିଦ୍ୟାଳୟର ଏକ ପ୍ରାଥମିକ ରୂପରେଖ ବି ପ୍ରସ୍ତୁତ କରାଗଲା। ଏହା ପରେ ବିଭିନ୍ନ ପ୍ରକ୍ରିୟା ଦେଇ ‘ୟୁନିଭର୍ସିଟି ଅଫ୍ ହେଲ୍‌ଥ୍‌ ସାଇନ୍‌ସେସ୍ ଆକ୍ଟ,୨୦୧୬’ ଶୀର୍ଷକ ଚିଠା ମେମୋରେଣ୍ଡମ୍ ପ୍ରସ୍ତୁତ କରାଗଲା। ୨୦୧୬ ମେ’ ୬ ତାରିଖରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବରେ ମୋହର ବାଜିଲା। କିନ୍ତୁ ବିଲ୍‌ରେ କିଛି ସର୍ତ୍ତାବଳୀକୁ ରାଜ୍ୟପାଳ ଆପତ୍ତି ଉଠାଇଲା ପରେ ତାହା ଆଇନ ବିଭାଗକୁ ଗଲା ଓ କିଛିଟା ସଂଶୋଧନ କରାଗଲା।

Buzz Spritis

ଏତିକିରେ ଅଟକିଯାଇଛି ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଗଠନ ପ୍ରକ୍ରିୟା। ଚାରି ବର୍ଷ ହେଲା ସଂଶୋଧିତ ପ୍ରସ୍ତାବ କ୍ୟାବିନେଟ୍‌କୁ ଆସୁ ନାହିଁ କି ବିଧାନସଭାରେ ଉପସ୍ଥାପନ ହେଉ ନାହିଁ। ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ମୁଣ୍ଡ ଟେକିବା ଆଗରୁ ଖୋଦ୍ ସ୍ବାସ୍ଥ୍ୟ ବିଭାଗ ହିଁ ତାହାକୁ ନାଲିଫିତା ତଳେ ଚାପି ଦେଲା। ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ମନ୍ତ୍ରୀମାନେ କରୁଥିବା ଘୋଷଣା ସହିତ ବିଭାଗୀୟ କାର୍ଯ୍ୟର କୌଣସି ସମ୍ପର୍କ ନ ଥିଲା ବୋଲି ସ୍ପଷ୍ଟ ହୋଇଛି।

ଦୀର୍ଘ ବର୍ଷ ଧରି ରାଜ୍ୟରେ ମାତ୍ର ତିନିଟି ସରକାରୀ ମେଡିକାଲ୍ କଲେଜ ଓ ଅନ୍ୟ ପାଠ୍ୟକ୍ରମ ପାଇଁ ଖୁବ୍ କମ୍ କଲେଜ ଥିବାରୁ ସ୍ବାସ୍ଥ୍ୟ ଶିକ୍ଷା ପାଇଁ ଏକ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟର ଆବଶ୍ୟକତା ନ ଥିଲା। କିନ୍ତୁ ଗତ କିଛି ବର୍ଷ ହେଲା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିପୁଳ ସଂଖ୍ୟାରେ ମାନବ ସମ୍ବଳର ଆବଶ୍ୟକତା ସୃଷ୍ଟି ହେଲା। ଉଭୟ ଘରୋଇ ଓ ସରକାରୀ ସ୍ତରରେ ଅନେକ ହସ୍ପିଟାଲ୍‌ ପ୍ରତିଷ୍ଠା ହେଲା। ଉଭୟ ଡାକ୍ତରୀ ଶିକ୍ଷା ଓ ଆନୁଷଙ୍ଗିକ ସ୍ବାସ୍ଥ୍ୟ ପାଠ୍ୟକ୍ରମର ଚାହିଦା ବଢ଼ିବାରେ ଲାଗିଲା। ଫଳରେ ସରକାର ନୂଆ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରୁଥିଲା ବେଳେ ଘରୋଇ ଉଦ୍ୟମରେ ମଧ୍ୟ ମେଡିକାଲ୍ କଲେଜ ଓ ଅନ୍ୟ ଆନୁଷଙ୍ଗିକ ପାଠ୍ୟକ୍ରମ ପାଇଁ ବହୁ କଲେଜ ପ୍ରତିଷ୍ଠା ହେଲା।

ଏବେ ରାଜ୍ୟରେ ସରକାରଙ୍କ ଅଧୀନରେ ୭ଟି ମେଡିକାଲ କଲେଜ ରହିଛି। ପୁଣି ଆଉ ତିନିଟି ମେଡିକାଲ କଲେଜର ଭିତ୍ତିଭୂମି ବି ନିର୍ମାଣ ସରିଲାଣି। ଏହା ବାଦ୍ ଘରୋଇ ଉଦ୍ୟମରେ ତିନିଟି ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି, ଯେଉଁଥିରୁ କି ଦୁଇଟି ଡିମ୍‌ଡ ବିଶ୍ବବିଦ୍ୟାଳୟ ଅଧୀନରେ ପରିଚାଳିତ ହେଉଥିଲା ବେଳେ ଗୋଟିଏ ସରକାରୀ ବିଶ୍ବବିଦ୍ୟାଳୟ ଅଧୀନରେ ରହିଛି। ଏହା ବାଦ୍ ଫାର୍ମାସି, ନର୍ସିଂ, ଫିଜିଓଥେରାପି ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ଆଦି ପାଠ୍ୟକ୍ରମରେ ଘରୋଇ ଅନୁଷ୍ଠାନ ସଂଖ୍ୟା ‌ବି ‌େଢର୍ ରହିଛି।

ଏମ୍‌ସିଆଇ ପରି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଗାଇଡ୍‌ଲାଇନ୍ ଅନୁଯାୟୀ ସ୍ବାସ୍ଥ୍ୟ ସଂକ୍ରାନ୍ତୀୟ ପାଠ୍ୟକ୍ରମଗୁଡ଼ିକ ପରିଚାଳିତ ହେଉଛନ୍ତି। ରାଜ୍ୟ ସରକାରଙ୍କ ଡିଏମ୍‌ଇଟି ମଧ୍ୟ ସ୍ବାସ୍ଥ୍ୟ ଶିକ୍ଷାର ତଦାରଖ କରନ୍ତି। ତେବେ ଏଠାରେ ଏକାଧିକ ବିଶ୍ବବିଦ୍ୟାଳୟ ସହ ଉଭୟ ସରକାରୀ ଓ ଘରୋଇ କଲେଜଗୁଡ଼ିକ ଅନୁବନ୍ଧିତ ହେଉଛନ୍ତି। ଯେଉଁ ଅଞ୍ଚଳରେ କଲେଜ ପ୍ରତିଷ୍ଠା ହେଉଛି, ସେଠାରେ ଥିବା ବିଶ୍ବବିଦ୍ୟାଳୟ ସହ ତାହା ଅନୁବନ୍ଧିତ ହେଉଛି। ଫଳରେ ସଂପୃକ୍ତ ବିଶ୍ବବିଦ୍ୟାଳୟ ପକ୍ଷରୁ ସେଠାରେ ପରୀକ୍ଷା ପରିଚାଳନା, ସାର୍ଟିଫିକେଟ୍‌ ଆଦି ପ୍ରଦାନ କରାଯାଉଛି।

ସ୍ବାସ୍ଥ୍ୟ ସଂକ୍ରାନ୍ତୀୟ ଶିକ୍ଷାନୁଷ୍ଠାନ ସଂଖ୍ୟା ଏତେ ମାତ୍ରାରେ ବଢ଼ୁଛି ଯେ ସାଧାରଣ ବିଶ୍ବବିଦ୍ୟାଳୟଗୁଡ଼ିକ ପକ୍ଷେ ଠିକଣା ଢଙ୍ଗରେ ପରୀକ୍ଷା ପରିଚାଳନା ଓ ଆନୁଷଙ୍ଗିକ କାର୍ଯ୍ୟ ସମ୍ଭବ ହେଉ ନାହିଁ। ବହୁ ସମୟରେ ପରୀକ୍ଷା କରିବା ଓ ଫଳ ପ୍ରକାଶନରେ ବିଳମ୍ବ ନେଇ ଅଭିଯୋଗ ଉଠୁଛି। କିଛି ବିଶ୍ବବିଦ୍ୟାଳୟ ଜାଣିଶୁଣି ଅନୁଷ୍ଠାନଗୁଡ଼ିକୁ ହଇରାଣ କରୁଥିବାର ଅଭିଯୋଗ ମଧ୍ୟ ବିଭିନ୍ନ ସମୟରେ ଆସୁଛି। ବିଶ୍ବବିଦ୍ୟାଳୟଗୁଡ଼ିକ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବାରୁ ତାହା ଉପରେ ସ୍ବାସ୍ଥ୍ୟ ବିଭାଗର କୌଣସି ନିୟନ୍ତ୍ରଣ ରହୁନି। ଫଳରେ ଶିକ୍ଷାନୁଷ୍ଠାନଗୁଡ଼ିକ ଛୋଟ ଛୋଟ କାମରେ ବିଶ୍ବବିଦ୍ୟାଳୟରେ ବହୁ ସମସ୍ୟା ଭୋଗୁଛନ୍ତି। ଏତେ ସବୁ ସମସ୍ୟା ସତ୍ତ୍ବେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଭାଗ କାହିଁକି ଆଗ୍ରହ ଦେଖାଉନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭାଗୀୟ ଅଧିକାରୀମାନଙ୍କ ବେପରୱା ମନୋଭାବ ପାଇଁ ବିଶ୍ବବିଦ୍ୟାଳୟ ପ୍ରକ୍ରିୟା ଅଟକିଛି ନା ଏହା ପଛରେ ଆଉ କିଛି କାରଣ ଅଛି, ତାହା ବୁଝାପଡ଼ୁ ନାହିଁ।

ସମ୍ବନ୍ଧିତ ଖବର