ଭୁବନେଶ୍ବର: ଆଇସିୟୁ, ଏଚ୍‌ଡିୟୁ, ଓଟି(ଅସ୍ତ୍ରୋପଚାର ଗୃହ) ଓ ଅସ୍ତ୍ରୋପଚାର ପରବର୍ତ୍ତୀ ୱାର୍ଡରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ କହୁଣି ତଳେ କୌଣସି ଜିନିଷ ପିନ୍ଧିପାରିବେ ନାହିଁ। ସଂକ୍ରମଣ ନିୟନ୍ତ୍ରଣ ସାଙ୍ଗକୁ ପରିମଳ ଓ ରୋଗୀଙ୍କ ସ୍ବାସ୍ଥ୍ୟ ଯତ୍ନକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଉ। ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକ କେନ୍ଦ୍ରୀୟ ଡାକ୍ତରଖାନାମାନଙ୍କୁ ଏଭଳି ପତ୍ର ଲେଖିଛନ୍ତି। ତେଣୁ ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ଡାକ୍ତରଖାନାମାନେ ମଧ୍ୟ ସଂକ୍ରମଣ ‌ରୋକିବା ଲାଗି ଏଭଳି ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।

Advertisment

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କହିବା କଥା, ଡ୍ୟୁଟିରେ ଥିବା ସ୍ବାସ୍ଥ୍ୟ କର୍ମୀ କହୁଣି ତଳେ ମୁଦି, ଚୁଡ଼ି, ବ୍ରେସଲେଟ୍‌, ଧାର୍ମିକ ସୂତା ଓ ହାତଘଣ୍ଟା ପିନ୍ଧିପାରିବେ ନାହିଁ। ଏହାସହ ଆଇସିୟୁ, ଏଚ୍‌ଡିୟୁ, ଓଟିରେ ମୋବାଇଲ ଫୋନ୍‌ର ବ୍ୟବହାରକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ପଡ଼ିବ। ରୋଗୀଙ୍କ ସ୍ବାସ୍ଥ୍ୟ ଓ ସଂକ୍ରମଣ ନିୟନ୍ତ୍ରଣକୁ ସର୍ବାଧିକ ଗୁରୁତ୍ବ ଦେବାକୁ ହେବ। ଏପରିକି ଯେଉଁଠି ହାତଘଣ୍ଟାକୁ ଅନୁମତି ରହିଛି ସେଠାରେ ଆବଶ୍ୟକସ୍ଥଳେ ଏସ୍‌ଓପିରେ ପରିବର୍ତ୍ତନ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ଏଭଳି ନିୟମ ପୂର୍ବରୁ ରହିଛି। କେନ୍ଦ୍ର ସରକାର ଏହାକୁ ଆଉଥରେ ଦୋହରାଇଛନ୍ତି। ‘କାୟାକଳ୍ପ’ ଆରମ୍ଭ ହେବା ପରଠାରୁ ଏଥିରେ ହସ୍ପିଟାଲରେ ସଂକ୍ରମଣ ନିୟନ୍ତ୍ରଣ ନେଇ କ’ଣ କ’ଣ କରିବାକୁ ହେବ ତାହା ଉପରେ ନିର୍ଦ୍ଦେଶାବଳୀ ଜାରି ହୋଇଛି। ତେଣୁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଏହା ଉପରେ ସଚେତନ ମଧ୍ୟ କରାଯାଉଥିବା ଡା.ମହାପାତ୍ର କହିଛନ୍ତି।