ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧାଙ୍କ କ୍ଷେତ୍ରରେ ପ୍ରିକସନ୍ ଡୋଜ୍ ହାର କମ୍ ରହିଛି। ତୃତୀୟ ଲହରରେ ମଧ୍ୟ ପୂର୍ବଭଳି ବହୁ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା କରୋନାରେ ସଂକ୍ରମିତ ହୋଇଥିବାରୁ ସେମାନେ ପ୍ରିକସନ୍ ଡୋଜ୍ ନେଇ ପାରିନାହାନ୍ତି। ଯାହାଫଳରେ ଜାତୀୟ ହାରଠାରୁ ଓଡ଼ିଶାରେ ପ୍ରିକସନ୍ ଡୋଜ୍ ହାର କମ୍ ରହିଛି।

Advertisment

ଦ୍ବିତୀୟ ଡୋଜ୍‌ର ୯ମାସର ବ୍ୟବଧାନରେ ଜଣେ ପ୍ରିକସନ୍ ଡୋଜ୍ ନେଇପାରିବ। ରାଜ୍ୟରେ ଯେତିକି ଲୋକଙ୍କ ୯ମାସ ସମୟ ପୂରଣ ହୋଇଛି ସେମାନଙ୍କ ମଧ୍ୟରୁ ଶତ ପ୍ରତିଶତ ପ୍ରିକସନ୍ ଡୋଜ୍ ନେଇଛନ୍ତି। ସାମଗ୍ରିକ ଭାବେ ଏହା ୪୬ ପ୍ରତିଶତ ରହିଛି। ସେହିପରି ୧୫-୧୮ବର୍ଗରେ ୮୦ ପ୍ରତିଶତ ନିଜର ପ୍ରଥମ ଡୋଜ୍ ନେଇ ସାରିଥିବା ବେଳେ ୬୨ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇ ସାରିଥିବା ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ଅପରପକ୍ଷରେ ରାଜ୍ୟର ୧୨ଟି ଜିଲ୍ଲାରେ ଦ୍ବିତୀୟ ଡୋଜ୍ କୋଭିଡ ଟିକାକରଣ ହାର କମ୍ ଥିବାରୁ ଡୋର ଟୁ ଡୋର କ୍ୟାମ୍ପେନ୍ ଜରିଆରେ ଟିକାକରଣକୁ ବଢ଼ାଇବା ଲାଗି ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଅନେକ ସ୍ବାସ୍ଥ୍ୟକର୍ମୀ/ସମ୍ମୁଖ ଯୋଦ୍ଧା କୋଭିଡରେ ଆକ୍ରାନ୍ତ ହୋଇଥିବାରୁ ସେମାନେ ପ୍ରକିସନ୍ ଡୋଜ୍ ନେଇ ପାରି ନାହାନ୍ତି। ରାଜ୍ୟରେ ବର୍ତମାନ ସୁଦ୍ଧା ୩.୨୮ କୋଟିରୁ ଅଧିକ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ନେଇଥିବା ବେଳେ ୨.୭୯ କୋଟି ଦ୍ବିତୀୟ ଡୋଜ୍ ନେଇ ସାରିଲେଣି। ଆଜି ୭୧,୨୪୧ ଜଣ କୋଭିଡ ଟିକା ଦିଆଯାଇଛି