ବୀମା ସୁବିଧାରୁ ବଞ୍ଚିତ ହେବେ ଲକ୍ଷାଧିକ ସ୍ୱାସ୍ଥ୍ୟ କର୍ମଚାରୀ

ଖାତାଖତିଆନ୍‌ ନାହିଁ, ଠିକାଦାରଙ୍କ ହାତରେ ଭବିଷ୍ୟତ, ମାସକୁ ମାସ ଦରମା ଗଣ୍ଡାଏ ବି ମିଳୁନି

ପୁରୀ : ସରକାର ଏବେ ସ୍ବାସ୍ଥ୍ୟ କର୍ମୀଙ୍କୁ ‘କରୋନା ଯୋଦ୍ଧା’ ଆଖ୍ୟା ଦେଇଛନ୍ତି। କରୋନା ବିରୋଧୀ ଲଢ଼େଇରେ ସବୁଠୁ ଆଗରେ ରହି କାମ କରୁଥିବା ଡାକ୍ତରଙ୍କଠାରୁ ଆରମ୍ଭ କରି ଝାଡ଼ୁଦାର( ସଫେଇ କର୍ମଚାରୀ) ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କେନ୍ଦ୍ର ସରକାର ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି। ଏ କ୍ଷେତ୍ରରେ ରାଜ୍ୟ ସରକାର ମଧ୍ୟ ପଛରେ ପଡ଼ିନାହାନ୍ତି। ରାଜ୍ୟ ସରକାର ସ୍ବାସ୍ଥ୍ୟ କର୍ମୀଙ୍କ ମନୋବଳ ବଢାଇବା ପାଇଁ ଆଗୁଆ ତିନି ମାସର ଦରମା ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ପାରାମେଡିକାଲ କର୍ମଚାରୀଙ୍କୁ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥି‌ରେ ରାଜ୍ୟର ୫ ଲକ୍ଷରୁ ଅଧିକ ସ୍ବାସ୍ଥ୍ୟ କର୍ମୀ ଉପକୃତ ‌ହେବେ। ତେବେ ଏହା ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ କାମ କରୁଥିବା ପ୍ରାୟ ଏକ ଲକ୍ଷରୁ ଅଧିକ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଭୁଲିଯାଇଛନ୍ତି।

ସମାନ କାମ କରୁଥିବା ଏହି ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ କେହି କହିବାକୁ ନଥିବାରୁ, ଏମାନଙ୍କ ଦାବିକୁ ସରକାର କେବେ ପ୍ରାଥମିକତା ଦେଇନାହାନ୍ତି। ଏହି ସ୍ବାସ୍ଥ୍ୟ କର୍ମଚାରୀଙ୍କ ଭବିଷ୍ୟତ ଠିକାଦାରଙ୍କ ଉପରେ ନିର୍ଭର କରୁଛି। ମେଡିକାଲରେ ସବୁଠୁ ଗୁରୁତ୍ବପୂର୍ଣ୍ଣ କାମରେ ସ୍ବାସ୍ଥ୍ୟ କର୍ମଚାରୀମାନେ ନିୟୋଜିତ ଅଛନ୍ତି। ରାଜ୍ୟର ସମସ୍ତ ମେଡିକାଲରେ ଚାଲିଥିବା ଆଉଟଡୋର, ଇନଡୋର, କାଜୁଆଲଟି ଟିକେଟ୍ ବ୍ୟବସ୍ଥା ଓ ଡାଟା ଏଣ୍ଟ୍ରି ଅପରେଟରମାନେ ଠିକାଦରଙ୍କ ଅଧୀନରେ କାମ କରୁଛନ୍ତି। ଏମାନେ ପ୍ରତିଦିନ ୮ରୁ ୧୦ ଘଣ୍ଟା ପରିଶ୍ରମ କରନ୍ତି। ମାତ୍ର ସେମାନଙ୍କୁ ମ‌ାସକୁ ୪ ରୁ ୫ ହଜାର ଟଙ୍କା ଦରମା ମିଳିଥାଏ। ତାହା ପୁଣି ‌‘ନୋ ୱାର୍କ ନୋ ପେ’ନାହିଁ ଢାଞ୍ଚାରେ। ଠିକାଦାର ଟେଣ୍ଡର ମାଧ୍ୟମରେ କାମ ପାଉଥିବାରୁ ସେମାନେ ଲାଭଖୋର ମନୋବୃତ୍ତି ରଖି ମନମାନି ଚଳାଇଛନ୍ତି। ସରକାର ଟଙ୍କା ଦେଉନାହାନ୍ତି, ବିଲ୍ ମିଳିନି କହି କର୍ମଚାରୀଙ୍କୁ ୪ ରୁ ୫ମାସରେ ଥରେ ଦରମା ଦିଅନ୍ତି। ଏଭଳି ବିପତ୍ତି ସମୟରେ ମଧ୍ୟ ଦରମା ଦେବାକୁ ଅନାଗ୍ରହ ପ୍ରଦର୍ଶନ କରୁଛନ୍ତି। ‌

ଡାଟା ଏଣ୍ଟ୍ରି ଅପରେଟର ସହିତ ସରକାରଙ୍କ ବିଭିନ୍ନ ସ୍ବାସ୍ଥ୍ୟ ବୀମା ଯୋଜନା, ଯଥା ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା, ବିଜୁ କୃଷକ କଲ୍ୟାଣ ‌‌ଯୋଜନା ଓଏସଟିଏଫ୍, ବିପିଏଲ ରୋଗୀଙ୍କ ପାଇଁ ଚିକିତ୍ସା, ନିରାମୟ, ନିଦାନ( ବିଭିନ୍ନ ପରୀକ୍ଷା) ପାଇଁ ରାଜ୍ୟରେ ହଜାର ହଜାର କର୍ମଚାରୀ( ଆଉଟସୋର୍ସିଂ) ବା ଠିକାଦାରଙ୍କ ଅଧୀନରେ କାମ କରୁଛନ୍ତି। ଏମାନେ ମଧ୍ୟ ସମାନ ଦଶ‌ା ଭୋଗୁଛନ୍ତି। ଏମାନଙ୍କୁ ଜଣେ କୁଶଳୀ ଶ୍ରମିକର ଦୈନିକ ମଜୁରୀ ମଧ୍ୟ ମିଳେ ନାହିଁ।

ସେହିଭଳି ରାଜ୍ୟର ବିଭିନ୍ନ ମେଡିକାଳ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଠିକାରେ ଆଟେଣ୍ଡାଣ୍ଟ( ରୋଗୀ ସହାୟକ) ନିଯୁକ୍ତି ଦିଆଯାଇଛି। ମେଡିକାଲ ଟେଣ୍ଡର ମାଧ୍ୟମରେ ଠିକାଦାର ନିଯୁକ୍ତି ଦିଅନ୍ତି, ଠିକାଦାର ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତି ଦେଇ କାମ କରାନ୍ତି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ମଧ୍ୟ ଅଭାବନୀୟ ସ୍ଥିତି ଉପୁଜିଛି। ଏଠାରେ କାମ କରୁଥିବା ୮୬ ଜଣ କର୍ମଚାରୀଙ୍କୁ ଆଜକୁ ୧୪ ମାସ ହେବ ଦରମା ମିଳି ନାହିଁ ବୋଲି କର୍ମଚାରୀ ସଂଘ ନେତା ତପନ ସେଠୀ କହିଛନ୍ତି। ଆଉଟ‌ସୋର୍ସିଂରେ କାମ କରୁଥିବା ୩୫ ଜଣ ୧୧ ମାସ ହେବ ଦରମା ପାଇନଥିବା ବେଳେ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧୀନରେ କାମ କରୁଥିବା ୫୧ ଜଣ କର୍ମଚାରୀ ୧୪ ମାସର ଦରମା ପାଇନାହାନ୍ତି। ଆନ୍ଦୋଳନ କଲେ ଚାକିରିରୁ କାଢିଦେବାକୁ ଧମକ ମିଳୁଛି। ପୁରୀ ମେଡିକାଲ ଅବସ୍ଥା କେବଳ ଏକ ନମୁନା ମାତ୍ର, ରାଜ୍ୟର ସମସ୍ତ ମେଡିକାଲରେ କାମ କରୁଥିବା ଠିକ‌ା କର୍ମଚାରୀଙ୍କ ଏଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି।

କଟକ ବଡ଼ ମେଡିକାଲ, ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ର ସମେତ ରାଜ୍ୟର ସମସ୍ତ ମେଡିକାଲ କଲେଜର ସମାନ ଅବସ୍ଥା ଦେଖିବାକୁ ମିଳିଛି। ସରକାର ଏବେ ମେଡିକାଲର ପରିମଳ ବ୍ୟବସ୍ଥାକୁ ମଧ୍ୟ ଠିକାରେ ଦେଇଛନ୍ତି। କିଛି ନିର୍ଦିଷ୍ଟ ଠିକାଦ‌ାର ଲାଭଖୋର ମନୋବୃତ୍ତି ରଖି ସମସ୍ତ ରାଜ୍ୟର ବିଭିନ୍ନ ମେଡିକାଲ କଲେଜର ପରିମଳ ବ୍ୟବସ୍ଥାକୁ ଠିକାରେ ନେଇଛନ୍ତି। ରାଜ୍ୟର ବିଭିନ୍ନ ମେଡିକା‌ଲରେ ଏ କ୍ଷେତ୍ରରେ ୧୦ ହଜାରରୁ ଅଧିକ ସ୍ବାସ୍ଥ୍ୟ ପରିମଳ କର୍ମଚାରୀ ଭାବେ କାମ କରୁଛନ୍ତି। ଏମାନେ ସମସ୍ତେ ଠିକାରେ କାମ କରନ୍ତି। ମେଡିକାଲରେ ସଫେଇଠାରୁ ଆରମ୍ଭ କରି ସମସ୍ତ ପରିମଳ କାର୍ଯ୍ୟ ଏମାନେ ତୁଲାଇଥା’ନ୍ତି। ଏମାନେ ମଧ୍ୟ ସ୍ବଳ୍ପ ଦରମାରେ କାମ କରନ୍ତି। ରାଜ୍ୟରେ ସ୍ବାସ୍ଥ୍ୟ ସେବାକ୍ଷେତ୍ରରେ ଏଭଳି ଆଉଟସୋର୍ସିଂ ବ‌ା ଠିକାଦାରଙ୍କ ଦ୍ବାରା ନିଯୁକ୍ତି ପାଇ ମେଡିକାଲର ଗୁରୁ ଦାୟିତ୍ବ ସମ୍ଭାଳୁ ଥିବ‌ା କର୍ମଚାରୀଙ୍କୁ ସ୍ବାସ୍ଥ୍ୟ କର୍ମୀ ସ୍ବୀକୃତି ଦେବା, ସେମାନଙ୍କୁ ବୀମାଭୁକ୍ତ କରିବା, ମାସିକ ୧୫ ହଜାର ଟଙ୍କା ଦରମା ବ୍ୟବସ୍ଥା କରିବା‌, ମାସକୁ ମାସ ଦରମା ଦେବାର ବ୍ୟବସ୍ଥା କରାଇବାକୁ କର୍ମଚାରୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର