ଟିକା ନେବା ଲାଗି ସ୍ବାସ୍ଥ୍ୟକର୍ମୀଙ୍କ ଆଗ୍ରହ କମୁଛି

ଟିକା ନେଲେଣି ୨ଲକ୍ଷରୁ ଅଧିକ ସ୍ବାସ୍ଥ୍ୟକର୍ମୀ
ଶୁକ୍ରବାର ୧୨ଟି ଜିଲ୍ଲାରେ ୬୫%ରୁ କମ୍ ଟିକାକରଣ
ନୂଆପଡ଼ାରେ ସର୍ବନିମ୍ନ, ସମ୍ବଲପୁ‌ରରେ ସର୍ବାଧିକ
ସମୁଦାୟ ୨୦ ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ ପାର୍ଶ୍ବ ପ୍ରତିକ୍ରିୟା

ଭୁବନେଶ୍ବର : ଟିକାକରଣରେ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ମାତ୍ର ରାଜ୍ୟରେ ଟିକା ନେବା ଲାଗି ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉ ନଥିବା ପରିଲକ୍ଷିତ ହେଉଛି। ତେଣୁ ଏହାକୁ ନେଇ ରାଜ୍ୟ ସରକାର ଏବେ ଚିନ୍ତିତ ଅଛନ୍ତି। ଶୁକ୍ରବାର ରାଜ୍ୟରେ ୭୧ ପ୍ରତିଶତ ଟିକାକରଣ ହୋଇଥିବାବେଳେ ୧୨ଟି ଜିଲ୍ଲାରେ ୬୫ ପ୍ରତିଶତରୁ କମ୍ ଟିକାକରଣ ହୋଇଥିବା ନଜରକୁ ଆସିଛି। ନୂଆପଡ଼ାରେ ସର୍ବନିମ୍ନ ୩୩.୫ ପ୍ରତିଶତ ଟିକାକରଣ କରାଯାଇଛି। ଲଗାତାର ଦ୍ବିତୀୟ ଦିନ ଲାଗି ରାଜ୍ୟରେ କରୋନା ଟିକାକରଣ ଶତ ପ୍ରତିଶତରୁ କମ୍ ରେକର୍ଡ କରାଯାଇଛି। ଏହା ସତ୍ତ୍ବେ ରାଜ୍ୟରେ ସମୁଦାୟ ୨ ଲକ୍ଷ ୫ହଜାର ୨ଶହ ଟିକା ଦିଆସରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ନୂଆପଡ଼ା, ଗଞ୍ଜାମ, ଅନୁଗୁଳ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, କନ୍ଧମାଳ, ଖୋର୍ଧା, ମୟୂରଭଞ୍ଜ, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଆଜି ୬୫ ପ୍ରତିଶତରୁ କମ୍ ଟିକାକରଣ ହୋଇଛି। ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରିରେ କୌଣସି ଅଧିବେଶନ ଆୟୋଜିତ ହୋଇ ନଥିଲା। ରାଜ୍ୟରେ ସମୁଦାୟ ୧୮୭ ଅଧିବେଶନରେ ୧୫,୭୦୧ଜଣଙ୍କୁ ଟିକା ଦେବା ଲାଗି ଲକ୍ଷ୍ୟ ରହିଥିବା ବେଳେ ୧୧,୧୪୨ଜଣଙ୍କୁ ଟିକା ଦିଆଯାଇଛି। ୯୬ଟି ଅଧିବେଶନରେ ଟିକାକରଣ ୭୧ ପ୍ରତିଶତ ରହିଛି। ସେହିପରି ରାଜଧାନୀ ଭୁବନେଶ୍ବରରେ ୬୦ ପ୍ରତିଶତ ଟିକାକରଣ ହୋଇଥିବାବେଳେ ସମ୍ବଲପୁରରେ ସର୍ବାଧିକ ୧୩୨ପ୍ରତିଶତ ଟିକାକରଣ କରାଯାଇଛି।

ରାଜ୍ୟରେ ଦିଆଯାଉଥିବା ଦୁଇ ପ୍ରକାର ଟିକା କୋଭିସିଲ୍ଡର ୧୦୨୫ ଓ କୋଭାକ୍ସିନ୍‌ର ୬୪ ଭାଏଲ ବ୍ୟବହାର କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଆଜି ବୌଦ୍ଧରେ ଜଣେ ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ୨୦ ଜଣଙ୍କ ନିକଟରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଛି। ଏହାସହ ନୂଆପଡ଼ା ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ଟିକା ନେବା ପରେ ମୃତ୍ୟୁ ହୋଇଛି। ମାତ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଟିକା ନେଇଥିବା କାରଣରୁ ହୋଇ ନଥିବା କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ସୁଦ୍ଧା ଓଡ଼ିଶା ଟିକାକରଣରେ ଦେଶରେ ବଡ଼ ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଥିଲା। କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଲାକ୍ଷାଦୀପରେ ସର୍ବାଧିକ ୮୩.୪ପ୍ରତିଶତ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିବା ବେଳେ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାରେ ୫୦.୭ ପ୍ରତିଶତ ଟିକାକରଣ ଜରିଆରେ ଓଡ଼ିଶା ସର୍ବାଗ୍ରେ ରହିଥିଲା। ଓଡ଼ିଶା ପଛକୁ ହରିୟାନାରେ ୫୦ ପ୍ରତିଶତ, ରାଜସ୍ଥାନରେ ୪୬.୮ ପ୍ରତିଶତ, ତେଲେଙ୍ଗାନାରେ ୪୦.୩ ପ୍ରତିଶତ, ଆନ୍ଧ୍ରରେ ୩୮.୧ ପ୍ରତିଶତ ଟିକାକରଣ ହୋଇସାରିଛି। ତେବେ ଆଜି ସୁଦ୍ଧାରେ ରାଜ୍ୟରେ ୬୦.୫ ପ୍ରତିଶତ ଟିକାକରଣ ହୋଇସାରିଛି।

ସମ୍ବନ୍ଧିତ ଖବର