ଗଞ୍ଜାମରେ ସ୍ବାସ୍ଥ୍ୟକର୍ମୀଙ୍କୁ ୧୧ଟି କେନ୍ଦ୍ରରେ ଦିଆଯିବ କୋଭିଡ଼୍‌ ଟିକା, ଟିକା ଦେବାକୁ ପ୍ରଶିକ୍ଷଣ ନେଇଛନ୍ତି ୧୦୭୦ କର୍ମଚାରୀ

ବ୍ରହ୍ମପୁର : କରୋନା ଏକରକମ ନିୟନ୍ତ୍ରଣକୁ ଆସିଛି। କରୋନାକୁ ସମ୍ପୂର୍ଣ୍ଣ ରୋକ ଦେବା ଲାଗି ପ୍ରତିଷେଧକ ଟିକା ବାହାରିବା ପରେ ସମେସ୍ତ ଆଶ୍ବସ୍ତ ହୋଇଛନ୍ତି। ସବୁଠି ଟିକା‌ ଦେବା ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟ ପହଞ୍ଚଛି। ଏଥିରେ ଗଞ୍ଜାମ ଜିଲ୍ଲା ପଛରେ ପଡ଼ିନାହିଁ। ଗଞ୍ଜାମରେ ଟିକା ଦେବା ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୧ଟି ସ୍ଥାନରେ ୨୫ହଜାର ୧୬୦ ସ୍ବାସ୍ଥ୍ୟ କର୍ମଚାରୀ ଟିକା ନେବେ। ପ୍ରତି କେନ୍ଦ୍ରରେ ପ୍ରତ୍ୟହ ଶହେ ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଟିକା ଦିଆଯିବ। ଦିନେ କିମ୍ବା ଦୁଇଦିନ ମଧ୍ୟରେ ଜିଲ୍ଲାରେ କୋଭିଡ଼୍‌ ଟିକା ପହଞ୍ଚିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କୋଭିଡ଼୍‌ ଭ୍ୟାକ୍ସିନ ମହଜୁଦ୍‌ ରଖିବା ୭୮ଟି ସ୍ଥାନରେ ଷ୍ଟୋରେଜ ପଏଣ୍ଟ୍ କରାଯାଇଛି। ୧୦୭୦ଜଣ ସ୍ବାସ୍ଥ୍ୟ କର୍ମଚାରୀ ଟିକା ଦେବା ଲାଗି ତାଲିମ ନେଇଛନ୍ତି। ସମୁଦାୟ ଜିଲ୍ଲାର ୩୬ଟି ସ୍ଥାନରେ ଟିକା ଦେବା ଲାଗି ସ୍ଥିର ହୋଇଛି। ସେଥିମଧ୍ୟରେ ୨୮ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୪ଟି ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏଥିସହ ଖ୍ରୀଷ୍ଟିଆନ୍‌ ହସ୍ପିଟାଲ, ଆସିକା ରୋଡ଼ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର,ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଓ ସିଟି ହସ୍ପିଟାଲ ରହିଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୨୫୧୬୦ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ୧୧ଟି କେନ୍ଦ୍ରରେ କୋଭିଡ଼ ଟିକା ଦିଆଯିବ। ଉକ୍ତ ୧୧ଟି କେନ୍ଦ୍ର ହେଲା ଆସିକା ପିପିସି, ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଆସିକା ରୋଡ଼ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ବ୍ରହ୍ମପୁର ବଡ଼ ଡାକ୍ତରଖାନା, ଖ୍ରୀଷ୍ଟିୟାନ ହସ୍ପିଟାଲ, ବ୍ରହ୍ମପୁର ସିଟି ହସ୍ପିଟାଲ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ, ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା, ଧରା କୋଟ, ଚିକିଟି ଓ ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର।

ଜିଲ୍ଲାରେ କୋଭିଡ଼୍‌ ଟିକାକରଣ ଲାଗି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଏସ୍‌ଓପି ପ୍ରସ୍ତୁତ କରାଯାଇଛି। ପ୍ରତି ଟିକାକରଣ କେନ୍ଦ୍ରରେ ୩ଟି କକ୍ଷ ଯଥା ପ୍ରତୀକ୍ଷା କକ୍ଷ, ଟିକାଦାନ କକ୍ଷ ଓ ନିରୀକ୍ଷକ କକ୍ଷ ରହିବ। ଉକ୍ତ କେନ୍ଦ୍ରରେ ମାସ୍କ, ସାନିଟାଇଜର୍ ମହଜୁଦ୍ ରହିବା ସାଙ୍ଗକୁ ବସିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିବ। ପ୍ରତ୍ୟେକ ବ୍ୟକ୍ତି ୬ ଫୁଟ ଦୂରତାରେ ବସିବେ। ପାନୀୟ ଜଳର ବ୍ୟବସ୍ଥା ରହିବ। ପ୍ରତି କେନ୍ଦ୍ର ସମ୍ମୁଖରେ ପୁଲିସ ମୁତୟନ ହେବେ। ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର, ସିଟି ହସ୍ପିଟାଲ ଓ ଏମ୍‌କେସିଜିରେ କଣ୍ଟ୍ରୋଲ ରୁମ୍ ଖୋଲିବ। ସମସ୍ତ ଆରବିଏସ୍‌କେ ଓ ବିପିଏମ୍‌ୟୁର ଗାଡ଼ି ଏବଂ ସରକାରୀ ଆମ୍ବୁଲାନ୍ସ ମହଜୁଦ ରଖାଯିବ। ଏଥିସହ ଆରଆରଟି ମୁତୟନ ରହିବ। ପ୍ରତି ଟିକାକରଣ କେନ୍ଦ୍ରରେ ଅକ୍ସିଜେନ ସିଲିଣ୍ଡର ରଖାଯିବ। ପ୍ରତି ଟିକାକରଣ କେନ୍ଦ୍ରରେ ରକ୍ତଚାପମାପକ ଯନ୍ତ୍ର, ଅକ୍ସିମିଟର, ପଲସ୍‌ ମିଟର, ଇନ୍‌ଫ୍ରାରେଡ୍‌ ଥର୍ମୋମିଟର ଓ ଜରୁରୀ ଆବଶ୍ୟକ ପଡ଼ୁଥିବା ଔଷଧ ଆଦି ରହିବ।

ସମ୍ବନ୍ଧିତ ଖବର