କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ଏମିତି…: ଭେଣ୍ଟିଲେଟର୍‌ ଅଛି, ଜୀବନ ଯାଉଛି!

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ ସ୍ବାସ୍ଥ୍ୟସେବାରେ ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ହସ୍ପିଟାଲରେ ପିଏମ୍‌ କେୟାର୍‌ସ ଫଣ୍ଡ୍‌ରୁ ମିଳିଥିବା ଭେଣ୍ଟିଲେଟର୍‌ ମହଜୁଦ୍‌ ରହିଛି। ଅଥଚ, ଭେଣ୍ଟିଲେଟର୍‌ ଅଭାବରେ ରୋଗୀ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଗତ ସପ୍ତାହରେ ଭେଣ୍ଟିଲେଟର ଅଭାବରୁ ଜଣେ ୧୧ ବର୍ଷର ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ତେବେ, ଏହା ପ୍ରଥମ କି ଏକମାତ୍ର ଘଟଣା ନୁହେଁ। ହସ୍ପିଟାଲରେ ବାରମ୍ବାର ଏହିଭଳି ଘଟଣା ଘଟୁଥିବା ନେଇ ଅଭିଯୋଗ ହୋଇଆସୁଛି। ସରକାରଙ୍କ ତରଫରୁ କ୍ୟାପିଟାଲ ହସ୍ପିଟାଲକୁ ପିଜିଆଇରେ ପରିଣତ କରି ଉନ୍ନତ ସ୍ବାସ୍ଥ୍ୟ ଚିକିତ୍ସା ଯୋଗାଇ ଦେବାକୁ ଉଦ୍ୟମ କରାଯାଉଥିବାବେଳେ ଏହିଭଳି ସମସ୍ୟା ପ୍ରତି ଗୁରୁତ୍ବ ନଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ହସ୍ତଗତ ସୂଚନା ଅନୁସାରେ, କ୍ୟ‌ାପିଟାଲ ହସ୍ପିଟାଲରେ ୧୨ ବର୍ଷରୁ କମ୍ ପିଲାମାନଙ୍କର ଚିକିତ୍ସା ଶିଶୁବିଭାଗରେ କରାଯାଉଛି। କିନ୍ତୁ, ହସ୍ପିଟାଲରେ କେବଳ ନବଜାତ ଶିଶୁଙ୍କ ପାଇଁ ଏସ୍‌ଏନ୍‌ସିୟୁ ବିଭାଗରେ ଆଇସିୟୁ ଓ ଭେଣ୍ଟିଲେଟର ରହିଛି। ତା’ଠାରୁ ଅଧିକ ବୟସର ପିଲାମାନଙ୍କ ପାଇଁ ଭେଣ୍ଟିଲେଟର ସୁବିଧା ନଥିବ‌ାରୁ ଗୁରୁତର ଶିଶୁରୋଗୀଙ୍କୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରିବାକୁ ପଡ଼ୁଛି। ଦୁର୍ଭାଗ୍ୟର କଥା ଏପଟେ ଭ‌େଣ୍ଟିଲେଟର ଅଭାବରେ କ୍ୟାପିଟାଲ ହସ୍ପିଟାଲରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଲା। ଏହିଭଳି ମୃତ୍ୟୁ ସହିତ ରେଫେରାଲ୍‌ କେସ୍‌ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, କ୍ୟାପିଟାଲ ହସ୍ପିଟାଲ୍‌ର ଷ୍ଟୋର୍‌ ରୁମ୍‌ରେ କିନ୍ତୁ ୨୦ଟି ପିଏମ୍ କେୟାର୍‌ସ ଫଣ୍ଡ୍‌ରୁ ମିଳିଥିବା ଭେଣ୍ଟିଲେଟର୍‌ ସେମିତି ପଡ଼ିରହିଛି। ଏହି ଭେଣ୍ଟିଲେଟରଗୁଡ଼ିକ କରୋନା ତୃତୀୟ ଲହର ସମୟରେ ଗତ ଫେବ୍ରୁଆରି/ମା‌ର୍ଚ୍ଚ ମାସରୁ ହସ୍ପିଟାଲକୁ ଯୋଗାଇ ଦିଆଯାଇଛି। କିନ୍ତୁ, ବର୍ତ୍ତମାନ ପର୍ଯ୍ୟନ୍ତ ଏଗୁଡ଼ିକ କାମରେ ଲାଗିପାରୁ ନାହିଁ। ଭେଣ୍ଟିଲେଟର ଚଳାଇବା‌ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷିତ ଡାକ୍ତର ଓ ଟେକ୍‌ନିସିଆନ୍ ଅଭାବ ଥିବାରୁ ଭେଣ୍ଟିଲେଟରଗୁଡ଼ିକ କାମରେ ଆସୁନଥିବ‌ା ଅଭିଯୋଗ ହୋଇଛି।

ପିଏମ୍ କେୟାର୍‌ସ ଫଣ୍ଡ୍‌ରୁ ମିଳିଥିଲା ୨୦ ଭେଣ୍ଟିଲେଟର୍‌
କାମରେ ଲାଗୁନି, କଟକ ଶିଶୁଭବନକୁ ସ୍ଥାନାନ୍ତର ହେଉଛନ୍ତି ରୋଗୀ

The Hindu

ଜଣେ ରୋଗୀଙ୍କ ଅଭିଭାବକଙ୍କ ଅଭିଯୋଗ ଅନୁସାରେ, ‘ଏହା ଏମିତି ଏକ ଜଟିଳ ସମସ୍ୟା ନୁହେଁ ଯେ ସ୍ବାସ୍ଥ୍ୟ ବିଭାଗ ପାଇଁ ସମସ୍ୟା ସୃଷ୍ଟି କରିବ। ଗୋଟିଏପଟେ, ଭେଣ୍ଟିଲେଟର୍‌ ବ୍ୟବହୃତ ନହୋଇ ପଡ଼ିରହିଛି, ଅନ୍ୟପଟେ ଭେଣ୍ଟିଲେଟର୍‌ ଅଭାବରୁ ରୋଗୀଙ୍କୁ ପ୍ରାଣ ହରାଇବାକୁ ପଡ଼ୁଛି ନଚେତ୍‌ କଟକ ଶିଶୁଭବନକୁ ସ୍ଥାନାନ୍ତର ହେବାକୁ ପଡ଼ୁଛି।’ ଏହି ସମସ୍ୟା ପ୍ରତି ସରକାର ଦୃଷ୍ଟିଦେବାର ଆବଶ୍ୟକ ରହିଥିବା ସେମାନେ କହିଛନ୍ତି।

ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ସେ କହିଛନ୍ତି, ହସ୍ପିଟାଲରେ ବର୍ତ୍ତମାନ ଡାକ୍ତର ସଂଖ୍ୟା କମ୍‌ ନାହାନ୍ତି। ପିଜିଆଇ ପାଇଁ ବହୁ ଦକ୍ଷ ପ୍ରଫେସର ଯୋଗ ଦେଇଛନ୍ତି। ‌ପିଏମ୍ କେୟାର୍‌ସରେ ଆସିଥିବ‌ା ଭେଣ୍ଟିଲେଟରଗୁଡ଼ିକ କାର୍ଯ୍ୟକ୍ଷମ କରିବାପାଇଁ ବର୍ତ୍ତମାନ ଯଥେଷ୍ଟ କ୍ୟାବିନ ନାହିଁ। ନୂତନ ଘର ତିଆରି ଚାଲିଛି। ଘର ତିଆରି ହୋଇଗଲେ, ସେଗୁଡ଼ିକ ଲଗାଯାଇପାରିବ ବୋଲି ସେ କହିଛନ୍ତି। ଏହାସହ ସେସବୁ ଭେଣ୍ଟିଲେଟରଗୁଡ଼ିକ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷ‌ରେ, କ୍ୟାପିଟାଲ ହସ୍ପିଟାଲରେ ଫାର୍ମାସିଷ୍ଟ ଅଭାବ ଏକ ବଡ଼ ସମସ୍ୟା ହୋଇରହିଛି। ହସ୍ପିଟାଲରେ ବର୍ତ୍ତମାନ ୪୦ ଫାର୍ମାସିଷ୍ଟ ପଦବି ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୨୧ ଜଣ। ଫଳରେ ଫାର୍ମ‌ାସିଷ୍ଟ ଅଭାବରୁ ଷ୍ଟାଫ୍‌ ନର୍ସଙ୍କ ଉପରେ ଅଧିକ ଚାପ ରହୁଛି। ଔଷଧ ବିତରଣ କେନ୍ଦ୍ରରେ ଉପରବେଳା ୪ଟି କାଉଣ୍ଟରରୁ ୩‌ଟି ଖୋଲାରହୁଛି। ହସ୍ପିଟାଲରେ ଚାଲୁଥିବା‌ ୬ଟି ଓଟିରେ ମଧ୍ୟ ଫାର୍ମାସିଷ୍ଟ ନଥିବାରୁ ଷ୍ଟାଫ୍ ନର୍ସମାନ‌େ କାମ ଚଳାଉଛନ୍ତି। କେବେକେବେ କେହି ଛୁଟିରେ ରହିଲେ ହସ୍ପିଟାଲ କର୍ତ୍ତୃପକ୍ଷ ହଇରାଣ ହେଉଥିବ‌ା ଅଭିଯୋଗ କରିଛନ୍ତି। ଏହାସହ ଆଉ ମାସେ ଭିତରେ ଦୁଇ ଜଣ ଫାର୍ମାସିଷ୍ଟ ଅବସର ନେଇଯାଉଥିବାରୁ ଏହି ସମସ୍ୟା ଜଟିଳ ଆକାର ନେବାକୁ ଯାଉଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। ଏବାବଦରେ ହସ୍ପିଟାଲ ଅଧିକାରୀଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ହସ୍ପିଟାଲ ତରଫରୁ ଫାର୍ମ‌ାସିଷ୍ଟ ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି।

ସମ୍ବନ୍ଧିତ ଖବର