ବ୍ରହ୍ମପୁର: ରୋଗୀଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ନର୍ସମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଡାକ୍ତର ଓ ନର୍ସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। କାରଣ କେବଳ ଔଷଧ ଦ୍ବାରା ଜଣେ ରୋଗୀକୁ ଭଲ କରାଯାଇପାରିବନି। ୨୪ ଘଣ୍ଟା ଧରି ରୋଗୀର ଯତ୍ନ ନେବା ସହ ମାନସିକସ୍ତରରେ ସେମାନଙ୍କ ମନୋବଳ ଦୃଢ଼ କରିବାରେ ନର୍ସମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି। ସଂପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ସ୍ବାସ୍ଥ୍ୟସେବାକୁ ବ୍ୟବସ୍ଥିତ କରିବା ଦିଗରେ ମାଳମାଳ ଯୋଜନା ହାତକୁ ନେଉଥିବା ବେଳେ ତୃଣମୂଳସ୍ତରରେ ରୋଗୀ ସେବାରେ ପ୍ରମୁଖ ଭୂମିକା ନେଉଥିବା ନର୍ସ ନିଯୁକ୍ତିକୁ ପ୍ରାଧାନ୍ୟ ଦିଆଯାଉନି।
୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଆବଶ୍ୟକ ଥିବା ୧୧୯୮ ନର୍ସିଂ ଅଫିସର୍ଙ୍କ ଜାଗାରେ ମାତ୍ର ୫୭୨ ଜଣ କାର୍ଯ୍ୟ କରୁଛନ୍ତି। ୬୨୬ ପଦବି ଖାଲି ପଡ଼ିଛି। ମୋଟାମୋଟି ଭାବେ କହିବାକୁ ଗଲେ ମାତ୍ର ୪୭ ପ୍ରତିଶତ ନର୍ସିଂ ଅଫିସର୍ଙ୍କୁ ନେଇ ରୋଗୀସେବା ଚାଲିଛି। ଫଳରେ ସ୍ବାସ୍ଥ୍ୟସେବା ବହୁ ସମୟରେ ବାଧାପ୍ରାପ୍ତ ହେଉଥିବାର ନଜିର୍ ରହିଛି। ଏପରିକି ଗର୍ଭବତୀ ବି ଆଖି ବୁଜୁଛନ୍ତି। ଭାତହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାର କଥାକୁ ବିଚାରରେ ନେଲେ ଏଠାରେ ଆବଶ୍ୟକ ୩୨ ଜଣ ଷ୍ଟାଫ୍ନର୍ସଙ୍କ ଜାଗାରେ ମାତ୍ର ୭ ଜଣ କାମ କରୁଛନ୍ତି। ଫଳରେ ରୋଗୀ ସେବା କେମିତି ଚାଲୁଥିବ ତାହା ଏଥିରୁ ସ୍ପଷ୍ଟ ଅନୁମେୟ। କେବଳ ରୋଗୀ ସେବା ନୁହଁ, ଡାକ୍ତରଖାନାର ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ବି ବାଧାପ୍ରାପ୍ତ ହେଉଛି।
ସେବା ଯୋଗାଉଛନ୍ତି ୪୭ ପ୍ରତିଶତ ମାନବସମ୍ବଳ
ଉପଖଣ୍ଡ ଡାକ୍ତରଖାନାରେ ସ୍ଥିତି ଚିନ୍ତାଜନକ
ଅନ୍ୟପକ୍ଷରେ ନର୍ସିଂ ଅଫିସର୍ ପଦବି ଖାଲି ପଡ଼ିଥିବାରୁ ପ୍ରାଥମିକ ସ୍ବାସ୍ଥ୍ୟସେବା ଉପରେ ଏହାର ବିଶେଷ ପ୍ରଭାବ ପଡ଼ୁଛି। ରୋଗୀ ସେବାରୁ ଆରମ୍ଭ କରି ଔଷଧ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମରେ ବ୍ୟାଘାତ ସୃଷ୍ଟି ହେଉଛି। ଜିଲ୍ଲାରେ ଗୋଟିଏ ମୁଖ୍ୟ ଚିକିତ୍ସାଳୟ, ୪ଟି ଉପଖଣ୍ଡ ଡାକ୍ତରଖାନା, ୨୮ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୯୩ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ୩୬୭ଟି ସବ୍ସେଣ୍ଟର ରହିଛି। ବର୍ତ୍ତମାନ ମୋ’ହସ୍ପିଟାଲ୍ ଯୋଜନାରେ କିଛି ଡାକ୍ତରଖାନାର ରୂପାନ୍ତରୀକରଣ ହୋଇଛି। ଭିତ୍ତିଭୂମିର ବି ବିକାଶ ହୋଇଛି। କିନ୍ତୁ ନର୍ସିଂ ଅଫିସର୍ ନଥିବାରୁ ରୋଗୀ ସେଠାରେ ଚିକିତ୍ସିତ ହେବାକୁ ସୁରକ୍ଷିତ ମଣୁନାହାନ୍ତି। ଖର୍ଚ୍ଚାନ୍ତ ହୋଇ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ମୁଖ୍ୟ ଚିକିତ୍ସାଳୟରୁ ଦୂରରେ ରହୁଥିବା ରୋଗୀଙ୍କ ପାଇଁ ସବ୍ସେଣ୍ଟର୍ ହେଉଛି ପ୍ରମୁଖ ବିକଳ୍ପ। କିନ୍ତୁ କର୍ମଚାରୀ ଓ ନର୍ସ ଅଭାବରୁ ସେମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ଜିଲ୍ଲାରେ ରହିଥିବା ସମୁଦାୟ ୫୭୨ ଜଣ ନର୍ସିଂ ଅଫିସରଙ୍କ ମଧ୍ୟରୁ ଅନେକଙ୍କୁ କିଛି ବର୍ଷ ପୂର୍ବେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ରୂପେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ୩୫୯ ଜଣ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ (ସିଏଚ୍ଓ) ଓ ୨୧୩ ଜଣ ନର୍ସିଂ ଅଫିସର୍ ରହିଛନ୍ତି। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ବିଶେଷଭାବେ ଏଥିପାଇଁ ପ୍ରଭାବିତ ହେଉଛି। ସବ୍ସେଣ୍ଟରମାନଙ୍କରେ ଓପିଡି ଠାରୁ ଆରମ୍ଭ କରି ଡକ୍ୟୁମେଣ୍ଟେସନ, ଚିକିତ୍ସା, କ୍ଷେତ୍ର ପରିଭ୍ରମଣ ଓ ଅଲଟ୍ରାସାଉଣ୍ଡ୍ ଇତ୍ୟାଦି ବାଧାପ୍ରାପ୍ତ ହେଉଛି। ଖାଲିପଡ଼ିଥିବା ନର୍ସିଂ ଅଫିସର୍ ପଦବି ପୂରଣ ଦିଗରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେବାକୁ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଦାବି ହୋଇଛି।