ଭୁବନେଶ୍ବର: ଶ୍ରବଣବାଧିତଙ୍କ ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ(ଏସ୍‌ଏସ୍‌ଇପିଡି) ପକ୍ଷରୁ ଶ୍ରବଣଯନ୍ତ୍ର କିଣାଗଲା। ଏହି ଶ୍ରବଣଯନ୍ତ୍ର କେଉଁ ହିତାଧିକାରୀ ପାଇବେ ସେଥିପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି ହୋଇଥିଲା। ଏବେ ସ୍ଥିତି ଏପରି ହୋଇଛି ଯେ ଯେଉଁମାନେ ମାଗଣାରେ ଶ୍ରବଣଯନ୍ତ୍ର ପାଇବେ ସେମାନେ ଏହାକୁ ପିନ୍ଧିବାକୁ ରାଜି ନୁହନ୍ତି। ମାତ୍ର ଯେଉଁମାନେ ପିନ୍ଧିବାକୁ ରାଜି ସେମାନଙ୍କ ପାଇଁ ନିର୍ଦ୍ଦେଶାବଳୀ କଟକଣା ବାଧକ ସାଜିଛି। ପ୍ରଶାସନିକ ଅପାରଗତା ପାଇଁ ପ୍ରାୟ ୪୦ଲକ୍ଷ ଟଙ୍କାର ଶ୍ରବଣଯନ୍ତ୍ର ଏବେ ନଷ୍ଟ ହେବାକୁ ବସିଛି। ରାଜ୍ୟରେ ଶ୍ରବଣବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ୨ବର୍ଷ ତଳେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଶ୍ରବଣଯନ୍ତ୍ର କିଣାଯାଇ ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ(ଏସ୍‌ଆଇଡିଆର)କୁ ପ୍ରଦାନ କରାଯାଇଥିଲା।

Advertisment

ଏଥିରେ ବିଟିଇ-୮(ଏସ୍‌ଆଇଜି) ୪୩୨ ଓ ବିଟିଇ-୧୨(ଏସ୍‌ଆଇଜି) ୩୩୬କୁ ମିଶାଇ ସମୁଦାୟ ୭୬୮ ଶ୍ରବଣଯନ୍ତ୍ର ଓ ଆଇଟିସି-୮(ଏସ୍‌ଆଇଜି) ୫୧୦ ଓ ଆଇଟିସି-୧୨(ଏସ୍‌ଆଇଜି) ୨୦କୁ ମିଶାଇ ୫୩୦ ଶ୍ରବଣଯନ୍ତ୍ର କିଣାଯାଇଥିଲା। ତହିଁରୁ ବିଟିଇ-୮ ଓ ୧୨ର ୭୬୮ ଶ୍ରବଣଯନ୍ତ୍ରକୁ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ବିଦ୍ୟାଳୟରେ ହିତାଧିକାରୀଙ୍କୁ ବଣ୍ଟାଯାଇଛି। ତେବେ ଆଇଟିସି-୮(ଏସ୍‌ଆଇଜି)ର ୫୩୦ ଶ୍ରବଣଯନ୍ତ୍ରରୁ କେବଳ ୪୨ଟି ପ୍ରଦାନ କରାଯାଇଥିଲା ବେଳେ ତହିଁରୁ ୪୮୮ଟି ପଡ଼ି ରହିଛି। ବଳକା ୪୮୮ ଶ୍ରବଣଯନ୍ତ୍ରକୁ ଫେରାଇ ନେବା ଲାଗି ଏସ୍‌ଆଇଡିଆର କର୍ତ୍ତୃପକ୍ଷ ବିଭାଗକୁ ପତ୍ର ଲେଖିଥିଲେ। ୨୦୨୩ ସେପ୍ଟେମ୍ବର ୧ତାରିଖରେ ପ୍ରଥମ ପତ୍ର ଲେଖା ଯାଇଥିବା ବେଳେ ଚଳିତବର୍ଷ ଫେବ୍ରୁଆରି ମାସରେ ଦ୍ବିତୀୟବାର ପତ୍ର ଜାରି ହୋଇଥିଲା। ମାତ୍ର ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏ ସଂପର୍କରେ କୌଣସି ପ୍ରତ୍ୟୁତ୍ତର ଦିଆଯାଇନାହିଁ। 

ହିତାଧିକାରୀ ପିନ୍ଧିବାକୁ ଅରାଜି, ସରିଗଲାଣି ଗ୍ୟାରେଣ୍ଟି ଅବଧି
ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ସାମାଜିକ ସୁରକ୍ଷା ବିଭାଗ ଚୁପ୍

ବିଭାଗ ପକ୍ଷରୁ କିଣାଯାଇଥିବା ଏହି ଶ୍ରବଣଯନ୍ତ୍ରର ମୂଲ୍ୟ ପ୍ରାୟ ୯ହଜାର ଟଙ୍କା। ହେଲେ କିଣିବା ପୂର୍ବରୁ ଏସ୍‌ଆଇଡିଆର କର୍ତ୍ତୃପକ୍ଷଙ୍କୁ ଏହାର ବୈଷୟିକ ସୂଚନା ଦିଆଯାଇ ନ ଥିଲା। ମିଳିଥିବା ସୂଚନା ଅନୁସାରେ, ଆଇଟିସି ୮ ଚ୍ୟାନେଲ ଶ୍ରବଣଯନ୍ତ୍ର ପିନ୍ଧିବାକୁ ହିତାଧିକାରୀ ରାଜି ନୁହନ୍ତି। ଏହି ଯନ୍ତ୍ରରେ ଖୁବ କମ୍ ଶୁଭୁଥିବା ବେଳେ ଏହାକୁ ଚଳାଇବା ପାଇଁ ଅଧିକ ଖର୍ଚ୍ଚର ଆବଶ୍ୟକତା ପଡ଼ୁଛି। କାରଣ ଗୋଟିଏ ସପ୍ତାହରେ ହିଁ ଏହାର ଗୋଟିଏ ବ୍ୟାଟେରି ଶେଷ ହୋଇଯାଉଛି। ଏହାସହ ଯେଉଁମାନଙ୍କର ଶ୍ରବଣ ଶକ୍ତି ଧାର୍ଯ୍ୟ ମାନଦଣ୍ଡଠାରୁ ଯଥେଷ୍ଟ କମ୍ ସେମାନଙ୍କ ପାଇଁ ଏହି ଯନ୍ତ୍ର କୌଣସି ଫଳପ୍ରଦ ହେଉନାହିଁ। ଏହା ଭିତରେ କମ୍ପାନି ପ୍ରଦାନ କରିଥିବା ଏହି ଶ୍ରବଣଯନ୍ତ୍ରର ଗ୍ୟାରେଣ୍ଟି ଅବଧି ଶେଷ ହୋଇଯାଇଛି। ‌ତେଣୁ ବଳକା ଥିବା ୪୮୮ ଶ୍ରବଣଯନ୍ତ୍ରର ଭାଗ୍ୟ ହେବ କ’ଣ ହେବ ତାହା ସଂପର୍କରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ରାଜ୍ୟ ସାମାଜିକ ସୁରକ୍ଷା ବିଭାଗର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ କହିଛନ୍ତି, ଶ୍ରବଣଯନ୍ତ୍ରର ସ୍ଥିତି ସଂପର୍କରେ ବୁଝିବା ପରେ ମତ ଦେଇପାରିବି।