ଭୁବନେଶ୍ବର: ଆର୍ଥିକବର୍ଷ ୨୦୨୫-୨୬ ପାଇଁ ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ନିରୂପଣ କରିବାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ଶୁଣାଣି କରିଛନ୍ତି। ପ୍ରଥମ ଦିନରେ ଓଏଚ୍‌ପିସି ଓ ଓପିଜିସିର ଆବେଦନ ଶୁଣାଣି ହୋଇଛି। ବିଦ୍ୟୁତ୍‌ ଉତ୍ପାଦନ ବର୍ଦ୍ଧିତ କରିବାକୁ ଉଭୟ ସଂସ୍ଥା ଆବେଦନ କରିଛନ୍ତି। ଅବ୍‌ଜେକ୍ଟରମାନଙ୍କର ଆପତ୍ତି ପ୍ରସ୍ତାବ ଶୁଣିବା ପରେ ଓଇଆର୍‌ସି ମାର୍ଚ୍ଚ ଶେଷ ସପ୍ତାହରେ ମୂଲ୍ୟ ବୃଦ୍ଧି ନେଇ ଚୂଡ଼ାନ୍ତ ରାୟ ପ୍ରକାଶ କରିବେ। ଓଇଆର୍‌ସି ଅଧ୍ୟକ୍ଷ ଦାୟିତ୍ବରେ ଥିବା ଗଜେନ୍ଦ୍ର ମହାପାତ୍ର ଓ ସଭ୍ୟ ସୁଶାନ୍ତ ରାୟ ମହାପାତ୍ରଙ୍କୁ ନେଇ ଗଠିତ ବେଞ୍ଚ ଏହି ଶୁଣାଣି କରୁଛନ୍ତି। 

Advertisment

ଓଏଚ୍‌ପିସି ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଆଧାରରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ରାଜସ୍ୱ ଆବଶ୍ୟକତା ପରିମାଣ ୬୭୧.୧୨ କୋଟି ଟଙ୍କା ରହିଛ। ଚଳିତ ବର୍ଷ ତୁଳନାରେ ଏହି ଆବଶ୍ୟକତା ୧୪୬.୩୧ କୋଟି ଟଙ୍କା ଅଧିକ ରହିଛି। ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ହାରାହାରି ଉତ୍ପାଦନ ମୂଲ୍ୟରେ ୟୁନିଟ ପିଛା ୨୬ ପଇସା ବୃଦ୍ଧି ପାଇଁ ପ୍ରସ୍ତାବ ରଖିଛି ଓଏଚ୍‌ପିସି। ଚଳିତ ବର୍ଷ ପାଇଁ ଗ୍ରିଡ୍‌କୋଠାରୁ ପାଇବାକୁ ୧୧ କୋଟିର ଅନୁମୋଦନ ଥିବାବେଳେ ଏହାକୁ ୯୧ କୋଟିକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଏଥିରେ ୬ ଜଣ ଅବ୍‌ଜେକ୍ଟର ଭାଗ ନେଇଥଲେ। 

ଗତବର୍ଷର ଅଡିଟେଡ୍‌ ଆର୍ଥିକ ବିବରଣୀକୁ ଅଣଦେଖା ଅଭିଯୋଗ

ତେବେ ଓଏଚ୍‌ପିସିର ଏହି ପ୍ରସ୍ତାବକୁ ଘୋର ବିରୋଧ କରିଛନ୍ତି ଉପଭୋକ୍ତା ମହାସଂଘ ରମେଶ ଶତପଥୀ ଓ ବରିଷ୍ଠ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର। ୟୁନିଟ୍‌ ପିଛା ୨୬ ପଇସା ବୃଦ୍ଧିକୁ ବିରୋଧକରି ଉଭୟ ଯୁକ୍ତି ବାଢ଼ିଥିଲେ ଯେ, ପୂର୍ବ ବର୍ଷର ଅଡିଟେଡ୍‌ ଆର୍ଥିକ ବିବରଣୀ ମୁତାବକ ଓଏଚ୍‌ପିସି ୩୯୭ କୋଟି ଟଙ୍କା ଲାଭ କରିଛି। ଓଏଚ୍‌ପିସିର ଅଂଶଧନ ବାବଦକୁ ଅଡିଟର୍‌ ଯେଉଁ ୨୪୪୬ କୋଟି ଟଙ୍କା ଦର୍ଶାଇଛନ୍ତି ତାହା ସାଧାରଣ ଜନତାଙ୍କର। ତେଣୁ ତାହା ଉପରେ ‘ରିଟର୍ନ ଅନ୍‌ ଇକ୍ୟୁଟି’ ଆୟ ୧୨୩.୫୫ କୋଟି ଟଙ୍କା ଦର୍ଶାଇ ଭରଣା କରିବା ପାଇଁ ବିଦ୍ୟୁତ୍‌ ମୂଲ୍ୟ ପୁଣି ବୃଦ୍ଧି କରିବା ପ୍ରସ୍ତାବ ହାସ୍ୟାସ୍ପଦ।  

ଆପରାହ୍ନରେ ଓପିଜିସି ନିଜର ବାର୍ଷିକ ଭିତ୍ତିଭୂମି, କୋଇଲା ଓ ନଗଦ ଖର୍ଚ୍ଚକୁ ୧୧୨.୧୭ କୋଟି ଟଙ୍କା ବଢ଼ାଇ ବିଦ୍ୟୁତ ମୂଲ୍ୟ ବୃଦ୍ଧି ପ୍ରସ୍ତାବ ରଖିଥିଲା। ଆୟୋଗଙ୍କ ଦ୍ୱାରା ନିଯୁକ୍ତ ସମୀକ୍ଷକ ୱାଇଜ୍‌, ଓଏଚ୍‌ପିସି ଆବେଦନର ସମୀକ୍ଷା କରିଥିଲା। ଏଥିରେ ୪ ଜଣ ଅବ୍‌ଜେକ୍ଟର ଭାଗ ନେଇଥିଲେ। ଏହି ବିଦ୍ୟୁତ୍‌ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ଉପଭୋକ୍ତା ମହାସଂଘ ଓ ଶକ୍ତି ସମୀକ୍ଷକ ବିରୋଧ କରିଥିଲେ। ସେମାନଙ୍କର ଯୁକ୍ତି ହେଲା କି ଓପିଜିସି ପୂର୍ବବର୍ଷ ଅଡିଟ୍‌ ରିପୋର୍ଟରେ ୬୩୮.୪୩ କୋଟି ଟଙ୍କା ଲାଭ କରିଥିବା ଦର୍ଶାଇଛି। ଓପିଜିସି ଅଂଶଧନରେ ଥିବା ୪୧୯୨.୩୯ କୋଟି ଟଙ୍କା ଉପରେ ଓପିଜିସି ଆୟ କରିବା ପ୍ରସ୍ତାବ ଗ୍ରହଣୀୟ ନୁହେଁ। ଓପିଜିସିର ‘ରିଟର୍ନ ଅନ୍‌ ଇକ୍ୟୁଟି’ ବାବଦକୁ ୭୨ କୋଟି ଟଙ୍କା ଆୟକୁ ଆୟୋଗ ବରଖାସ୍ତ କରନ୍ତୁ ବୋଲି ସେମାନେ ଦାବି କରିଥି‌ଲେ। ଗ୍ରିଡ୍‌କୋ ଓ ଟିପିଡବ୍ଲୁଓଡିଏଲ୍‌ ନିଜ ନିଜର ମତ ରଖିଥିଲେ। ଶକ୍ତି ବିଭାଗ ଅଧିକାରୀ ସୋନାଲୀ ପଟ୍ଟନାୟକ ଜନଶୁଣାଣି ସରିବା ପରେ ‘କନ୍‌ସୋଲିଡେଟେଡ୍‌ ରିପୋର୍ଟ’ ଦାଖଲ କରିବେ ବୋଲି ଆୟୋଗଙ୍କୁ ଅବଗତ କରିଥିଲେ।