ଜୁଲାଇ ୨ ଯାଏ ହାଇକୋର୍ଟରେ ଭିଡିଓ କନ୍‌ଫରେନ୍ସିଂରେ ଶୁଣାଣି

ଶୁଣାଣି କରିବେ ଗୋଟିଏ ଡିଭିଜନ୍ ଓ ୬ଟି ସିଙ୍ଗଲ୍‌ ବେଞ୍ଚ
ନିମ୍ନ ଅଦାଲତ ପାଇଁ ସାନି ନିର୍ଦ୍ଦେଶନାମା

କଟକ : ପୂର୍ବଭଳି ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ହାଇକୋର୍ଟରେ ମାମଲା ଶୁଣାଣି କରାଯିବ। ଏ ନେଇ ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରୀଷ୍ମ ଅବକାଶ ଶେଷ ହୋଇଥିବା ବେଳେ ଜୁନ୍ ୭ ତାରିଖରୁ କିଭଳି ଭାବେ କୋର୍ଟ କାର୍ଯ୍ୟ ଚାଲିବ ସେ ନେଇ ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। କରୋନା ସଂକ୍ରମଣ ସ୍ଥିତି ଓ ସାରା ରାଜ୍ୟରେ ଲକ୍‌ଡାଉନ୍ ‌ନେଇ ମେ ୩୦ରେ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ବିଚାରକୁ ନେଇ ହାଇକୋର୍ଟ ପକ୍ଷରୁ କୋର୍ଟ କାର୍ଯ୍ୟ ସଂକ୍ରାନ୍ତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ, ସମସ୍ତ କାର୍ଯ୍ୟ ଦିବସରେ ହାଇକୋର୍ଟରେ ଗୋଟିଏ ଦୁଇଜଣିଆ ଖଣ୍ଡପୀଠ (ଡିଭିଜନ୍ ବେଞ୍ଚ୍) ଓ ଛଅଟି ଜଣିକିଆ ଖଣ୍ଡପୀଠ (ସିଙ୍ଗଲ୍‌ ବେଞ୍ଚ) ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ମାମଲାଗୁଡ଼ିକର ଶୁଣାଣି କରିବେ। ନୂଆ ମାମଲା ସହିତ ଡକୁମେଣ୍ଟ ଦାଖଲ ଡ୍ରପ୍ ବକ୍ସ, ଇ-ମେଲ୍ ବା ଇ-ଫାଇଲିଂ ପୋର୍ଟାଲରେ କରାଯାଇ ପାରିବ। ଦିନ ୧୦ଟା ୩୦ରୁ ୧୨ଟା ୩୦ ପର୍ଯ୍ୟନ୍ତ କପି ସେକ୍ସନ ନିକଟରେ ରଖାଯାଇଥିବା ଡ୍ରପ୍ ବକ୍ସରେ ନୂଆ ମାମଲା ଓ ଡକୁମେଣ୍ଟ ଦାଖଲ କରାଯାଇପାରିବ। ସେହିପରି ମାମଲା ତାଲିକାଭୁକ୍ତ କରିବା ପାଇଁ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ମେନ୍‌ସନ୍ ମେମୋ ଦାଖଲ କରାଯାଇ ପାରିବ। ଜରୁରୀ ମାମଲା କ୍ଷେତ୍ରରେ ମୌଖିକ ଭାବେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ରେଜିଷ୍ଟ୍ରାର (ଜୁଡିସିଆଲ) ଓ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ନିକଟରେ ‌ମେନ୍‌ସନ୍ କରାଯାଇ ପାରିବ। ହାଇକୋର୍ଟ ପରିସରକୁ ହାଇକୋର୍ଟର ଅଧିକାରୀ ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣା ରହିବ। କିନ୍ତୁ ଆବେଦନରେ  ଥିବା ତ୍ରୁଟି ଦୂର କରିବା ପାଇଁ ଆଇନଜୀବୀମାନେ ହାଇକୋର୍ଟକୁ ଆସିପାରିବେ। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟ କାର୍ଯ୍ୟାଳୟ କାର୍ଯ୍ୟ କରିବ। କର୍ମଚାରୀମାନେ ସେମାନଙ୍କ ପରିଚୟପତ୍ର ପାଖରେ ରଖିବେ। ଜୁନ୍ ୭ରୁ ଜୁଲାଇ ୨ ପର୍ଯ୍ୟନ୍ତ ଏପରି ବ୍ୟବସ୍ଥା ଭିତରେ ହାଇକୋର୍ଟ କାର୍ଯ୍ୟ କରିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ଅନ୍ୟପକ୍ଷରେ, କରୋନା ସଂକ୍ରମଣ ସ୍ଥିତିକୁ ବିଚାରକୁ ନେଇ ହାଇକୋର୍ଟ ପକ୍ଷରୁ ନିମ୍ନ ଅଦାଲତ ଓ ଟ୍ରିବ୍ୟୁନାଲଗୁଡିକ କିଭିଳି କାର୍ଯ୍ୟ କରିବେ ସେ ନେଇ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ଗ୍ରୀଷ୍ମ ଅବକାଶ ପରେ ଜୁନ୍ ୭ରୁ ଜୁଲାଇ ୨ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଏହି ବିଜ୍ଞପ୍ତିରେ ଥିବା ନିର୍ଦ୍ଦେଶନାମା ଅନୁସାରେ ଚାଲିବ।

ସମ୍ବନ୍ଧିତ ଖବର