କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ (ଏଏସ୍ଓ) ନିଯୁକ୍ତି ପରୀକ୍ଷା ବିବାଦକୁ ନେଇ ଦାୟର ଦୁଇ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା। ଓପିଏସ୍ସି ପକ୍ଷରୁ ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରି ହାଇକୋର୍ଟ ୨୦୨୩, ମେ ୧୯ରେ ପ୍ରଦାନ କରିଥିବା ରାୟର ପୁନର୍ବିଚାର ପାଇଁ ଦାୟର ରିଭ୍ୟୁ ପିଟିସନ୍ ସହିତ ରଦ୍ଦ କରାଯାଇଥିବା ମେଧା ତାଲିକାରେ ସ୍ଥାନ ପାଇଥିବା କେତେକ ପ୍ରାର୍ଥୀଙ୍କ ପକ୍ଷରୁ ରୁଜୁ ରିଟ୍ ଆବେଦନର ଏକତ୍ର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ମେ ୧୯ର ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି କି ନାହିଁ ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ। ଏ ପର୍ଯ୍ୟନ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ଓପିଏସ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଜୁଲାଇ ୧୩କୁ ଦୁଇ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଇ ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏଏସ୍ଓ ପରୀକ୍ଷାରେ ବ୍ୟାପକ ନିୟମ ଉଲ୍ଲଂଘନ ଓ ବିଷୟଭିତ୍ତିକ ସର୍ବନିମ୍ନ ନମ୍ବର ବ୍ୟବସ୍ଥା ଲାଗୁ ବେଆଇନ ଦର୍ଶାଇ ରଜତ କୁମାର ମିଶ୍ର ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନର ଫେବ୍ରୁଆରି ୨ରେ ହାଇକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ମେ ୧୯ରେ ହାଇକୋର୍ଟ ମାମଲାର ରାୟ ପ୍ରକାଶ କରି ଏଏସ୍ଓ ନିଯୁକ୍ତି ପରୀକ୍ଷାରେ ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରିଥିଲେ। ଏଥି ସହିତ ୨୦୧୬ର ନିୟମ ପାଳନ କରି ସାନି ମେଧା ତାଲିକା ୨ ମାସ ଭିତରେ ପ୍ରକାଶ କରିବାକୁ ହାଇେକାର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟର ପୁନର୍ବିଚାର ପାଇଁ ପୂର୍ବରୁ ମେଧା ତାଲିକାରେ ସ୍ଥାନ ପାଇଥିବା କେତେକ ପ୍ରାର୍ଥୀ ଆବେଦନ ଦାୟର କରିଥିଲେ। ମେ ୧୯ ରାୟର ପୁନର୍ବିଚାର କରାଯାଉ, ନଚେତ ପୂର୍ବର ମେଧା ତାଲିକାରେ ସ୍ଥାନ ପାଇଥିବା ବହୁ ଯୋଗ୍ୟ ପ୍ରାର୍ଥୀ ଏଏସ୍ଓ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍ ପଡିବାର ସମ୍ଭାବନା ରହିଛି। ଓପିଏସ୍ସି ନିୟମ ଅନୁସାରେ ୨୦୨୨, ନଭେମ୍ବର ୭ରେ ମେଧା ତାଲିକା ପ୍ରକାଶ କରିଥିଲା। ତେଣୁ ମେଧା ତାଲିକା ରଦ୍ଦ କରା ନ ଯାଉ ବୋଲି ପୁନର୍ବିଚାର ଆବେଦନରେ ଦର୍ଶାଯାଇଛି। ସେହିଭଳି ଭାବେ ପୂର୍ବରୁ ପ୍ରକାଶିତ ମେଧା ତାଲିକାରେ ସ୍ଥାନ ପାଇଥିବା ଆଉ କେତେକ ପ୍ରାର୍ଥୀ ଦାୟର କରିଥିବା ଆବେଦନରେ ଦର୍ଶାଯାଇଛି ଯେ ପୂର୍ବ ମାମଲାରେ ସେମାନଙ୍କୁ ପକ୍ଷଭୁକ୍ତ କରାଯାଇ ନଥିଲା। ଅନ୍ୟପକ୍ଷରେ ସେମାନେ ସ୍ଥାନ ପାଇଥିବା ମେଧା ତାଲିକା ରଦ୍ଦ ପାଇଁ ସଂପୃକ୍ତ ମାମଲାରେ ନିର୍ଦ୍ଦେଶ ଦିଆଯାଇଥିଲା।