ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତ୍ୟେକ ସୋମବାର ଭୁବନେଶ୍ୱରରେ ଅଭିଯୋଗ ଶୁଣାଣି କରୁଥିବା ବେଳେ ଆସନ୍ତାକାଲି ଜୁଲାଇ ୨୨ ତାରିଖ ସୋମବାର ତାହା ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ଆସନ୍ତାକାଲି ସୋମବାର ହୋଇଥିଲେ ହେଁ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ବନ୍ଦ ରଖାଯାଇଛି ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି।

ନୂଆ ସରକାର ଗଠନ ହେବା ପରେ ଜୁଲାଇ ମାସ ପ୍ରଥମ ସୋମବାର ଅର୍ଥାତ୍ ଜୁଲାଇ ୧ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି ତାର ସମାଧାନ କରୁଛନ୍ତି। ଭୁବନେଶ୍ୱରର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଏହି ଅଭିଯୋଗ ଶୁଣାଣି ଆୟୋଜିତ ହେଉଛି। ପ୍ରତ୍ୟେକ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ତାଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଅନ୍ୟ କେତେ ଜଣ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହୁଛନ୍ତି।

ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ବିଧାନସଭାର ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟ ଦିବସ ଥିବାବେଳେ ଜୁଲାଇ ୨୫ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ। ରାଜ୍ୟରେ ପ୍ରଥମ ବିଜେପି ସରକାରର ଏହା ପ୍ରଥମ ବଜେଟ୍ ଅଧିବେଶନ । ବିଜେପି ସରକାର ନିଜର ପ୍ରଥମ ବଜେଟରେ କେଉଁ ସବୁ ପ୍ରସଙ୍ଗକୁ ସ୍ଥାନିତ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।